‘ଦଳଡିଆଁ’ଙ୍କୁ ପୁରସ୍କାର, ପୁରୁଣାଙ୍କୁ ଅଣଦେଖା

ଭୁବନେଶ୍ୱର,୨୩ ।୩(ବ୍ୟୁରୋ): ନିଜ ରଣକୌଶଳରେ ବେଶ୍‌ ସଫଳ ହେଲେ । ଅନ୍ୟ ଦଳକୁ ଡିଆଁ ମାରିଲେ । ବାଜି ମାରିନେଲେ । ପୁରୁଣା ନେତାଙ୍କୁ କାଟି ଦଳୀୟ ଟିକେଟ ହାତେଇ ନେବାରେ ସଫଳ ମଧ୍ୟ ହେଲେ । ବିଜେଡି, ବିଜେପି ସହ କଂଗ୍ରେସରେ ଚଳିତ ନିର୍ବାଚନରେ ଦଳଡିଆଁମାନେ ବେଶ୍‌ ଲାଭ ଉଠାଇଛନ୍ତି । ଦଳଡିଆଁଙ୍କ ପାଇଁ ଅସଲି ଦଳୀୟ ସିପାହୀମାନେ ଚିତ୍‌ପଟାଙ୍ଗ ମାରିଛନ୍ତି । ଏହାକୁ ନେଇ ତିନି ଦଳରେ ଅସନ୍ତୋଷର ନିଆଁ ଜଳିଲାଣି । ମାତ୍ର ଦଳ ଛାଡ଼ି ଅନ୍ୟ ରାଜନୈତିକ ଦଳରୁ ଲାଭ ଉଠାଇଛନ୍ତି ଏହି ବିଦ୍ରୋହୀ ଦଳଡିଆଁ । କଂଗ୍ରେସ କ୍ୟାମ୍ପ ଛାଡ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ସୁନ୍ଦରଗଡ଼ ଆସନରୁ ବିଜେଡି ଲୋକସଭା ଟେିକଟ୍‌ ହାତେଇବାରେ ସକ୍ଷମ ହୋଇଛନ୍ତି । ସେହିଭଳି କଂଗ୍ରେସ କ୍ୟାମ୍ପ ଛାଡ଼ିଥିବା ଦୁଷ୍ମନ୍ତ ନାଏକ ଭବାନୀପାଟଣାରୁ ଓ ଭୁପିନ୍ଦିର ସିଂହ ନର୍ଲା ବିଧାନସଭା ପାଇଁ ଶଙ୍ଖ ଚିହ୍ନରେ ଲଢ଼ିବେ । ବ୍ରହ୍ମପୁରରେ ସିନେଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ କ୍ରେଜ୍‌ ଉପରେ ବିଜେଡି ିଭରସା କଲାନି । ତାଙ୍କ ସ୍ଥାନରେ କଂଗ୍ରେସ ଛାଡ଼ି ଆସିଥିବା ଭେଟେରାନ ଚନ୍ଦ୍ରଶେଖର ସାହୁଙ୍କୁ ସାଂସଦ ପ୍ରାର୍ଥୀ କରିଛି । ଚନ୍ଦ୍ରଶେଖରଙ୍କ ଅନୁଗତ ଭାବେ କଂଗ୍ରେସ ଛାଡ଼ିଥିବା ବିକ୍ରମ କେଶରୀ ପଣ୍ଡା ବ୍ରହ୍ମପୁର ବିଧାନସଭା ଟିକେଟ୍‌ ପାଇବାକୁ ସକ୍ଷମ ହୋଇଛନ୍ତି ।

ନୂଆକରି ବିଜେଡିରେ ସାମିଲ ହୋଇଥିବା ପାରଳା ଯୁବରାଣୀ କଲ୍ୟାଣୀ ଗଜପତି ପାରଳାଖେମୁଣ୍ଡି ଆସନରୁ ଲଢ଼ିବେ । କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ନବ ଦାସଙ୍କୁ ବିଜେଡି ଝାରସୁଗୁଡ଼ାରୁ ପ୍ରାର୍ଥୀ କରିଛି । କଂଗ୍ରେସ ଛାଡ଼ିଥିବା ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କୁ ବିଜେଡି ସୁନ୍ଦରଗଡ଼ରୁ ପ୍ରାର୍ଥୀ କରିଛି । ବିଜେପି ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ ବିଜେଡିରେ ସାମିଲ୍‌ ହୋଇଛନ୍ତି । ତାଙ୍କୁ ବିଜେଡି ଟିକେଟ ଦେବାର ସମ୍ଭାବନା ଅଛି । ବିଜେପିରେ ‘ଦଳ ଡିଆଁ’ଙ୍କ ପ୍ରାଦୁର୍ଭାବରେ ପୁରୁଣା ନେତାମାନେ ମଳିନ ପଡ଼ି ଯାଇଛନ୍ତି । ବିଜେଡି ଓ କଂଗ୍ରେସ ତ୍ୟାଗ କରି ପଦ୍ମ ଧରିଥିବା ନେତାମାନଙ୍କୁ ଦଳ ଆଶାଠୁ ଅଧିକ ପୁରସ୍କୃତ କରିଛି । ବିଜେଡି ଟିକେଟ ଦେଲାନି । ସିଧା ପଦ୍ମ ପୋଖରୀକୁ ଡେଇଁଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ବିଜେପି ପାଇଁ ସେଠାରେ ପର୍ଶୁରାମ ମାଝୀ ସାଂସଦ ପ୍ରାର୍ଥୀ ହେବା ଶତ ପ୍ରତିଶତ ନିଶ୍ଚିତ ଥିଲାବେଳେ ବଳଭଦ୍ର ବିଜେପିରେ ଯୋଗଦେବା ପରେ ସବୁ ଅଙ୍କ ଭୁଲ ହୋଇଗଲା । ଦିନକ ମଧ୍ୟରେ ପ୍ରାର୍ଥୀ ବଦଳିଗଲେ । ବିଜେପି ବଳଭଦ୍ରଙ୍କୁ ଟିକେଟ ଦେଲା । ପର୍ଶୁରାମଙ୍କୁ ଝରିଗାଁ ବିଧାନସଭା ଆସନରେ ସନ୍ତଷ୍ଟୁ ହେବାକି ପଡିଲା ।

ବିଜେଡିରୁ ବିଦା ହୋଇ ବହୁ ବିଳମ୍ବରେ ବିଜେପିରେ ଯୋଗଦେଇ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ମିଳିଛି ଟିକେଟ୍‌ । ପ୍ରାୟ ବର୍ଷକ ତଳେ କୋରାପୁଟର ବିଜେଡିି ଭେଟେରାନ ଜୟରାମ ପାଙ୍ଗୀ ଦଳକୁ ବାଏ ବାଏ କହି ପଦ୍ମ ଧରେିଲେ । ପଦ୍ମ ଦଳ ତାଙ୍କୁ କୋରାପୁଟ ଆସନରୁ ସାଂସଦ ପ୍ରାର୍ଥୀ କରିଛି । ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଦାମୋଦର ରାଉତ ବିଜେପିରେ ଯୋଗ ଦେବାର ଦିନ କେଇଟା ପରେ ନିଜ ପସନ୍ଦର ଆସନ ଏରସମା ବିଧାନସଭା ଚାହିଁଲେ । ବିଜେପି ସବୁଜ ସଂକେତ ଦେଇଛି । ସୁନ୍ଦରଗଡ଼ ବିଧାନସଭା ଆସନରେ ବିଜେଡି ଟିକେଟ ପାଇବାକୁ ବଞ୍ଚିତ କୁସୁମ ଟେଟେ ପଦ୍ମ ଶିବିରକୁ ଆସି ସୁନ୍ଦରଗଡ଼ ଟିକେଟ ପାଇଛନ୍ତି । ବିଜେଡି ନେତା ବିଜେପିକୁ ଆସି ବାବୁ ସିଂହ ଏକାମ୍ର ଟିକେଟ ହାତେଇବା ପରେ ପରୁଣା ଅମୀୟ ଦାଶଙ୍କ ସମର୍ଥକମାନେ ବିଜେପି କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । କଂଗ୍ରେସ ଛାଡ଼ିଥିବା ଧନୁର୍ଜୟ ସିଦ୍ଧୁ ଓ ପୃଥ୍ୱୀରାଜ କହଁର ତେଲକୋଇ ଓ ଘସିପୁରାରୁ ବିଜେପି ପାଇଁ ନିର୍ବାଚନ ଲଢ଼ିବେ । ଜଳେଶ୍ୱର ଆସନରୁ ଜୟନାରାୟଣ ମହାନ୍ତି, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ବାସୁଦେବପୁରରୁ ମାଧବାନନ୍ଦ ମଲିକ୍ ବିଜେପି ଟିକେଟ ପାଇଛନ୍ତି । ସେହିଭଳି କଂଗ୍ରେସକୁ ଗୁଡବାଏ କହି ପଦ୍ମ ପ୍ରେମରେ ପଡି କୋରେଇରୁ ବିଶ୍ୱଜିତ ନାୟକ, ବିଞ୍ଝାରପୁରରୁ ବବିତା ମଲ୍ଲିକ ଟିକେଟ ବାଜି ଜିତି ନେଇଛନ୍ତି ।

ବରିରୁ ବିଦ୍ରୋହୀ କଂଗ୍ରେସ ନେତା ବିଶ୍ୱରଂଜନ ମଲ୍ଲିକ୍, ବଡ଼ଚଣାରୁ ବିଦ୍ରୋହୀ ବିଜେଡି ନେତା ଅମର ନାୟକ ବିଜେପିକୁ ଆସି ଟିକେଟ ପାଇଛନ୍ତି । ପୁରୁଣା ଦଳୀୟ ନେତାମାନେ ବାଦ୍‌ ପଡଛନ୍ତି । କଂଗ୍ରେସ ବିଧିାୟକ ପ୍ରକାଶ ବେହେରା ଦଳ ଛାଡି ବିଜେପି ଟିକେଟ ପାଇବାକୁ ସକ୍ଷମ ହୋଇଛନ୍ତି । ଆଳିର କଂଗ୍ରେସ ନେତା ଦୋଳଗୋବିନ୍ଦ ନାୟକ ମଧ୍ୟ ପଦ୍ମ ଧରି ପୁରୁଣା ବିଜେପି ନେତାଙ୍କୁ କାଟି ଦଳୀୟ ଟିକେଟ ହାତେଇଛନ୍ତି । ସୁକିନ୍ଦାରୁ ବିଦ୍ରୋହୀ ବିଜେଡି ନେତା ପ୍ରଦୀପ ବଳସାମନ୍ତ ବିଜେପି କ୍ୟାମ୍ପକୁ ଆସି ଟିକେଟ ଅକ୍ତିଆର କରିଥିଲା ବେଳେ ଜେଏମଏମ ଛାଡି ପଦ୍ମ ଧରିଥିବା ପ୍ରକାଶ ସୋରେନ୍‌ ବାରିପଦା ବିଧାନସଭା ଟିକେଟ୍‌ ପାଇଛନ୍ତି । କଂଗ୍ରେସ ଟାଇଗର ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଓ ଭାଇ ବିଜେପିରେ ଯୋଗ ଦେବା ପରେ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ଆସନରୁ ଟିକେଟ ପାଇଛନ୍ତି । କିଛି ମାସ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇ ଇରାନୀ ରାୟ ନୟାଗଡ଼ ବିଧିାନସଭା ଟିକେଟ ପାଇଛନ୍ତି ।

ସେହିଭଳି ବିଜେପିରେ ଯୋଗ ଦେଇ ଆସ୍କାର ବିଜେଡି ବିଧାୟକ ଦେବରାଜ ମହାନ୍ତି ଓ ଦଶପଲ୍ଲା ବିଧିାୟକ ପୂର୍ଣ୍ଣଚନ୍ଦ୍ର ନାୟକ ପଦ୍ମ ଟିକେଟ ପାଇଛନ୍ତି । ଏପରିକି ଆସ୍କା ଆସନ ପାଇଁ ଘୋଷିତ ସରୋଜ ପାଢ଼ୀଙ୍କ ନାମକୁ ବିଜେପି ରଦ୍ଦ କରିଛି । ବିଜେଡିର ପୂର୍ବତନ ବିଧିାୟକ କେ.ନାରାୟଣ ରାଓ ଦୁଇଦିନ ତଳେ ବିଜେପିରେ ଯୋଗ ଦେଇ ଟିକେଟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । କଂଗ୍ରେସରେ ମଧ୍ୟ ଦଳଡିଆଁ ପୁରସ୍କୃତ ହୋଇଛନ୍ତି । ବିଜେଡିର ପୂର୍ବତନ ବିଧାୟକ ନବୀନ ନନ୍ଦ ନିକଟରେ କଂଗ୍ରେସରେ ସାମିଲ ହୋଇ ଟିକେଟ୍‌ ପାଇଛନ୍ତି । ରଘୁନାଥପାଲ୍ଲୀର ବିଜେଡି ଟିକେଟରୁ ବଂଚିତ ହୋଇ ପ୍ରଶାନ୍ତ ସେଠୀ ହାତ ଧରିବା ପରେ କଂଗେସ୍ର ତାଙ୍କୁ ଟିକେଟ୍ ଦେଇଛି । ତିନି ଦଳରେ ଦଳଡିଅିାଁ ଲାଭ ଉଠାଇଛନ୍ତି । ଦଳ ପାଇଁ କାମ କରିବା ସହ ତୃଣମୂଳସ୍ତରରୁ ସଂଗଠନକୁ ରଖିଥିବା ନେତାମାନେ ବଳି ପଡିଛନ୍ତି ।

   ସମ୍ବନ୍ଧିତ ଖବର


ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ରାଲିରେ ଏନଡିଏକୁ ରାହୁଲଙ୍କ ଟାର୍ଗେଟ, କହିଲେ- ପୁଣିଥରେ ମୋଦି-ନୀତୀଶ ଆସିଲେ ପକୁଡି ଖୁଆଇ ଦେବ…

ଯୌନକର୍ମୀଙ୍କୁ ରାସନ୍ ନଦେବା ନେଇ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

କଣ’ ଭାରତରେ ମାଗଣାରେ ମିଳିବ କରୋନା ଟିକା ? ଏମିତି ଜବାବ ରଖିଲା ସରକାରୀ ପ୍ୟାନେଲ…

ବଜାରକୁ ଆସୁଛି Harley-Davidsonର ଇଲେକ୍ଟ୍ରିକ୍ ସାଇକେଲ୍, ଜାଣନ୍ତୁ କ’ଣ ରହିଛି ବିଶେଷ୍ବତ