ବେହେଲା ବାଦକ ଆର୍ତ୍ତତ୍ରାଣଙ୍କୁ ଜୀବନବ୍ୟାପୀ ସମ୍ମାନ

ଭୁବନେଶ୍ୱର,୬ା୩(ବ୍ୟୁରୋ): ସାଂସ୍କୃତିକ ଅନୁଷ୍ଠାନ ‘ଶ୍ରୁତି’ ପକ୍ଷରୁ ଦୁଇଦିନିଆ ଚତୁର୍ଦ୍ଦଶ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ-୨୦୧୯ ଜୟଦେବ ଭବନଠାରେ ଉଦ୍ଘାଟିତ ହୋଇଯାଇଛି । ପ୍ରାରମ୍ଭିକ ଓଡ଼ିଶୀ ସଙ୍ଗୀତର ଏ ସମାହାରକୁ ରାଜସ୍ୱ ପର୍ଷଦ ପ୍ରାକ୍ତନ ସଭ୍ୟ ଅଶୋକ ତ୍ରିପାଠୀ ମୁଖ୍ୟ ଅତିଥି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଡ. ରାମକୃଷ୍ଣ ସାହୁ, ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଗୁରୁ ଡ. ବିଜୟ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜୀବନବ୍ୟାପୀ କଳା କ୍ଷେତ୍ରରେ ସମ୍ମାନନୀୟ କାର୍ଯ୍ୟ ପାଇଁ ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନରେ ପୁରୀର ବିଶିଷ୍ଟ ବେହେଲା ବାଦକ ଓ ଗବେଷକ ଆର୍ତ୍ତତ୍ରାଣ ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ‘ପ୍ରମେୟ’ର ସାମ୍ବାଦିକ ମନୋରଞ୍ଜନ ମହାନ୍ତି, ରାଜ୍ୟ ପାଲା ଗାୟକ ପରିଷଦ ସଭାପତି ମଦନ ମୋହନ ଜେନା, କଳାପ୍ରେମୀ ଶଶିଭୂଷଣ ସ୍ୱାଇଁଙ୍କୁ ‘ଶ୍ରୁତି ସମ୍ମାନ’ ପ୍ରଦାନ କରାଯାଇଥିଲା । ସଭା ଓ ସମ୍ମାନ ପର୍ବ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଯୁଗ୍ମ ଓଡ଼ିଶୀ ଗାୟନ କରିଥିଲେ ହିମାଂଶୁ ଶେଖର ସ୍ୱାଇଁ ଓ ମାତୃପ୍ରସାଦ ଦାସ । ସେହିପରି ଗୁରୁ କେଶବ ଚନ୍ଦ୍ର ରାଉତ ଏକକ ଓଡ଼ିଶୀ ଗାନ କରିଥିଲେ । ପରେ ବୃନ୍ଦ ବାଦନରେ ଶିଳ୍ପୀ ଅଗ୍ନିମିତ୍ର ବେହେରା, ଶ୍ରୀନିବାସ ଶତପଥୀ, ବିଶ୍ୱରଞ୍ଜନ ନନ୍ଦ, ବୈଭବ ଦାଶଙ୍କୁ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଗୁରୁ ରାମହରି ଦାସ, ସହସମ୍ପାଦକ ରଶ୍ମୀରଞ୍ଜନ ସ୍ୱାଇଁ ଏବଂ ସମ୍ପାଦିକା ହରପ୍ରିୟା ସ୍ୱାଇଁ ଉପସ୍ଥିତ ଥିଲେ ।