PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଶ୍ରୀଲିଙ୍ଗରାଜଙ୍କ ଭଜନ ମଣ୍ଡପ ପାଇଁ ୫ କୋଟିର ପ୍ୟାଜେକ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୯/୧୨: ଆଜି ଭାଙ୍ଗିବ ମହାଖଳାରେ ଥିବା ଭଜନ ମଣ୍ଡପ । ତେବେ ଦୀର୍ଘ ବର୍ଷ ହେବ ଏକାମ୍ରକ୍ଷେତ୍ରରେ ଶୈବ ସଂସ୍କୃତିର ବାର୍ତ୍ତା ବହନ କରି ଆସୁଥିବା ଏହି ସାଂସ୍କୃତିକ କେନ୍ଦ୍ରର ପୁନଃନିର୍ମାଣ କଥା ବିଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ପ୍ରକଳ୍ପ ମଧ୍ୟରେ ସାନି ଭଜନ ମଣ୍ଡପ ନିର୍ମାଣ ପାଇଁ ରବିବାର ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜମି ଚିହ୍ନଟ ହେବା ପରେ ସେଠାରେ ଭଜନ ମଣ୍ଡପ ନିର୍ମାଣ ହେବ ।

ମହାଖଳା ନିକଟରେ ୧୯୮୩ ମସିହାରେ ସ୍ଥାନୀୟ ପୌର ପରିଷଦ ଭଜନ ମଣ୍ଡପ ନିର୍ମାଣ କରି ସାଂସ୍କୃତିକ ସଂଗଠନ ଏକାମ୍ର ସାଂସ୍କୃତିକ ପ୍ରକାଶନୀକୁ ହସ୍ତାନ୍ତର କରିଥିଲା । ସେହିଦିନଠାରୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଯାନିଯାତ୍ରା ବେଳେ ପ୍ରକାଶନୀ ଆୟୋଜନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇ ଆସୁଛି । ତେବେ ଏହି ନିର୍ମାଣ ଦେବୀ ପାଦହରା ଐତିହ୍ୟକୁ ଘୋଡ଼ାଇ ପକାଉଥିବାରୁ ଏକାମ୍ର ଯୋଜନାରେ ଏହାକୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ହୋଇଛି । ଦେବୀ ପାଦହରା ୪ପଟରୁ ସମସ୍ତ ସରକାରୀ, ବେସରକାରୀ ନିର୍ମାଣକୁ ହଟାଇ ଦିଆଗଲାଣି । କେବଳ ଭଜନ ମଣ୍ଡପ ବାକି ରହିଛି । ମଣ୍ଡପ ତଳେ ଥିବା କକ୍ଷରେ ଏକ ଲାଇବ୍ରେରୀ ରହିଛି । ଏଥିରେ ବହୁ ସଂଖ୍ୟକ ଗ୍ରନ୍ଥ ଓ ପତ୍ରିକା ରଖାଯାଇଛି । ଉକ୍ତ ବହି ଗୁଡ଼ିକ ସ୍ଥାନାନ୍ତର କରି ରଖିବା ଲାଗି ସରକାରଙ୍କ ପକ୍ଷରୁ ନବନିର୍ମିତ ମାର୍କେଟ କମ୍ପେ୍ଲକ୍ସରେ ୨ଟି ଘର ଯୋଗାଇ ଦିଆଯାଇଛି । ବହି ସହିତ ଅନ୍ୟାନ୍ୟ ଆସବାବପତ୍ର ତୁରନ୍ତ ଖାଲି କରିବାକୁ ସାଂସ୍କୃତିକ ପ୍ରକାଶନୀର ବରିଷ୍ଠ ସଦସ୍ୟଙ୍କୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜଣାଇ ଦେଇଛି ।

ଭଜନ ମଣ୍ଡପ ସ୍ଥାନାନ୍ତର ପ୍ରସଙ୍ଗକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା । କଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କାନକୁ ଯାଇଥିଲା । ପ୍ରକାଶନୀର ସଦସ୍ୟଙ୍କ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଆଉ ୨ ମାସ ପରେ ମହାଶିବରାତ୍ରୀ ପଡ଼ୁଥିବାରୁ ସାଂସ୍କୃତିକ କାର୍ଯ୍ୟକ୍ରମ କିପରି ଅନୁଷ୍ଠିତ ହେବ ବୋଲି ଜଣାଇଥିଲେ । ସ୍ଥାନୀୟ ଲୋକଙ୍କ ଅନୁରୋଧକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପ୍ରସ୍ତାବିତ ନୂଆ ଭଜନ ମଣ୍ଡପ କୋଠାରେ ସୁଦୃଶ୍ୟ ପେଣ୍ଡାଲ ସହିତ ଶ୍ରୀଲିଙ୍ଗରାଜ ଗବେଷଣା କେନ୍ଦ୍ର ରହିବ। ଏହି ଭଜନ ମଣ୍ଡପ ଶ୍ରୀଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜାରେ ଲୋକଙ୍କ ସମାଗମକୁ ଆଧାର କରି ନିର୍ମାଣ ହେବ । ୩ ମହଲା ବିଶିଷ୍ଟ ଏହି ନିର୍ମାଣର ଉପରିଭାଗରେ ଏକ ୱାଚ୍‌ ଟାୱାର ରହିବ । ଟାୱାରରେ ଚଢ଼ି ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଶ୍ରୀଲିଙ୍ଗରାଜ ମନ୍ଦିରର ଶୋଭା ଦର୍ଶନ କରିପାରିବେ । ଶ୍ରୀଲିଙ୍ଗରାଜ ସଂସ୍କୃତି ସମ୍ପର୍କରେ ଜାଣିବା ଲାଗି ଆଗ୍ରହୀ ପର୍ଯ୍ୟଟକଙ୍କୁ ମଧ୍ୟ ଏଠାରେ ସମସ୍ତ ସୂଚନା ଯୋଗାଇ ଦିଆଯିବାର ବନ୍ଦୋବସ୍ତ ରହିବ । ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି ।

ଏପଟେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଭଜନ ମଣ୍ଡପରୁ ସମସ୍ତ ବହି, କାଗଜାତ, ଆସବାବପତ୍ର ଖାଲି କରିବା ଲାଗି ପ୍ରକାଶନୀର ସଦସ୍ୟଗଣ ଜରୁରି ବୈଠକ ଡକାଇଛନ୍ତି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଘରେ ସମସ୍ତ ଆସବାବପତ୍ର ରଖିବାକୁ ସ୍ଥାନ ହେବ କି ନାହିଁ ତାହା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରକାଶନୀର ସମ୍ପାଦକ କହିଛନ୍ତି, ଭଜନ ମଣ୍ଡପର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ମହାଶିବରାତ୍ରି ଅବସରରେ ଅନୁଷ୍ଠିତ ହୁଏ । ମହାଶିବରାତ୍ରି ପର୍ବ ଆଉ ଅଳ୍ପ ଦିନ ଥିବା ବେଳେ ଭଜନ ମଣ୍ଡପ ଭାଙ୍ଗିଗଲେ କାର୍ଯ୍ୟକ୍ରମ କେମିତି ଆଉ କେଉଁଠି ହେବ ତାହା ଆମ ପାଇଁ ଚିନ୍ତାର କାରଣ ପାଲଟିଛି । ଶିବରାତ୍ରି ପର୍ଯ୍ୟନ୍ତ ଭଜନ ମଣ୍ଡପକୁ ସଂରକ୍ଷିତ କରି ରଖିଲେ ସ୍ଥାନୀୟ ଲୋକେ ଖୁସି ହୁଅନ୍ତେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଏମ୍‌ସିର ଅତିରିକ୍ତ କମିଶନର ତଥା ଏନ୍‌ଫୋର୍ସମେଣ୍ଟ ଟିମ୍‌ର ମୁଖ୍ୟ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି, ଭଜନ ମଣ୍ଡପ ଆସନ୍ତା କାଲି ଭାଙ୍ଗି ଦେବାକୁ ସ୍ଥିର ହୋଇଛି । ଏକଥା ପ୍ରକାଶନୀ ସଂଗଠନର ସଦସ୍ୟକୁ ଜଣାଇ ଦିଆଯାଇଛି । ଆସନ୍ତାକାଲି ସକାଳେ ଭଜନମଣ୍ଡପ ଲାଇବ୍ରେରୀରେ ଥିବା ସମସ୍ତ ବହି, ଆସବାବପତ୍ର ମାର୍କେଟ କମ୍ପେ୍ଲକ୍ସରେ ଦିଆଯାଇଥିବା ଘରକୁ ସ୍ଥାନାନ୍ତର କରାଯିବ । ଅପରାହ୍ଣ ୩ଟା ବେଳେ ମଣ୍ଡପ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ ହୋଇଛି ।