ହାଣ୍ଡିଭଙ୍ଗା ଯାତ୍ରା ବନ୍ଦରୁ ନୀତି ବିଭ୍ରାଟ: ଦିନତମାମ ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର୧/୩: ହାଣ୍ଡିଭଙ୍ଗା ଯାତ୍ରା ସମ୍ପାଦନ କ୍ଷେତ୍ରରେ ପ୍ରଶାସନ ଫେଲ ମାରିବା ଫଳରେ ଶ୍ରୀଲିଙ୍ଗରାଜଙ୍କ ନୀତିରେ ଘୋର ବିଭ୍ରାଟ ଦେଖା ଦେଇଛି । ପ୍ରତ୍ୟୁଷରେ ଠାକୁରଙ୍କ ଆଳତୀ, ଅବକାଶ ନୀତି ସମ୍ପନ୍ନ ପରେ ସାହାଣ ମେଲା ଦର୍ଶନରେ ନୀତି ଅଟକି ଯାଇଛି । ଠାକୁରଙ୍କ ସକାଳ ଧୂପ, ଦ୍ୱିପ୍ରହର ଧୂପ ଓ ସନ୍ଧ୍ୟାଧୂପ ହୋଇ ପାରିନାହିଁ । ଏପରିକି ପହୁଡ଼ ନୀତି ମଧ୍ୟ ଦିନ ଆଉ ରାତିରେ ସମ୍ପାଦିତ ହୋଇ ପାରିନାହିଁ । ଉଭୟ କପିଳେଶ୍ୱର ଓ ଐଶାନେଶ୍ୱରରେ ଠାକୁର ବିଜେ ହୋଇ ପାରିନାହାନ୍ତି । ଆସନ୍ତାକାଲି ପ୍ରତ୍ୟୁଷରୁ ଠାକୁରଙ୍କ ନୀତି ସ୍ୱାଭାବିକ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ମହାଶିବରାତ୍ରି ତିଥି ପରେ ପଡ଼ୁଥିବା ପ୍ରଥମ ଶନିବାର ଅବସରରେ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୁଏ । ଆବହମାନ କାଳରୁ ଏହି ତିଥିରେ ଶ୍ରୀଲିଙ୍ଗରାଜ ପ୍ରଥମେ କପିଳେଶ୍ୱର ଓ ଏହାପରେ ଐଶାନେଶ୍ୱର ମନ୍ଦିରରେ ବିଜେ କରିବା ବିଧି ରହିଛି । ଚଳିତ ବର୍ଷ ପ୍ରଥମ ଶନିବାରରେ ଅମାବାସ୍ୟା ତିଥି ଲାଗି ରହିବାରୁ ଏହି ଯାତ୍ରା ଆଜି ସମ୍ପାଦନ ହେବ ବୋଲି ସ୍ଥିର ହୋଇଥିଲା । ତେବେ ୫ ବର୍ଷ ହେବ ଏହି ପରମ୍ପରା ଅଟକି ଯାଇଛି । ପରମ୍ପରା ସ୍ୱାଭାବିକ କରିବା ଲାଗି ହାଇକୋର୍ଟଙ୍କ ଏକାଧିକ ନିର୍ଦ୍ଦେଶକୁ ପ୍ରଶାସନ ପାଳନ କରିବାରେ ବ୍ୟର୍ଥ ହୋଇଛି । ଚଳିତ ବର୍ଷ ମଧ୍ୟ ପ୍ରଶାସନର ଏହି ଉଦ୍ୟମ କେବଳ ବୈଠକ ଓ ଆଲୋଚନାରେ ଅଟକି ଯାଇଛି । ହାଣ୍ଡିଭଙ୍ଗା ଯାତ୍ରା ସମ୍ପାଦନ କ୍ଷେତ୍ରରେ ପ୍ରଶାସନର ଅସହାୟତା ସ୍ପଷ୍ଟ ହୋଇଛି । ଏପଟେ ଠାକୁରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଅଟକି ଯିବାରେ ସେବାୟତଗଣ ବିଧି ମୁତାବକ ଅନ୍ୟନୀତି ସମ୍ପାଦନ କରି ନପାରି ପ୍ରଶାସନର ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ ।

ଗତକାଲି ଚଳିତ ସନ୍ଧ୍ୟାରେ ହାଣ୍ଡିଭଙ୍ଗା ଯାତ୍ରା ହୋଇ ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଜଣାଇ ଦିଆଯାଇଥିଲା । ଆଜି ପ୍ରତ୍ୟୁଷରେ ସେବାୟତଗଣ ଠାକୁରଙ୍କ ପହୁଡ଼ ଖୋଲି ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ କରିଥିଲେ । ଏହାପରେ ନୀତିନିର୍ଘଣ୍ଟ ମୁତାବକ ସାହାଣ ମେଲା ଦର୍ଶନ ପାଇଁ ଗମ୍ଭୀରା ଦ୍ୱାର ଖୋଲା ଯାଇଥିଲା । କିନ୍ତୁ ଆଗକୁ ଥିବା ଯାତ୍ରା ପୂଜା ସମ୍ପନ୍ନ ହୋଇପାରିବ ନାହିଁ ବୋଲି ସେବାୟତଗଣ ଜାଣିବା ପରେ ନୀତି ଆଗକୁ ଗଡ଼ାଇ ନଥିଲେ । କାରଣ ଯାତ୍ରା ପୂଜା ସମ୍ପାଦିତ ହେଲେ ଠାକୁରଙ୍କୁ ବିମାନରେ ବିଜେ କରି ଶୋଭାଯାତ୍ରାରେ ଗନ୍ତବ୍ୟ ପଥକୁ ନେବାର ବିଧି ରହିଛି । ଫଳରେ ସେବାୟତଗଣ ଅନନ୍ୟୋପାୟ ହୋଇ ସେହିଠାରେ ନୀତି ଅଟକାଇବାକୁ ବାଧ୍ୟ ହୋଇଥିଲେ । ତେଣୁ ଠାକୁରଙ୍କ କୌଣସି ଧୂପ ହୋଇ ପାରିନାହିଁ । ଆଜି ତିଥିର ସମୟସୀମା ସରିବା ପରେ ପୁଣି ଆସନ୍ତାକାଲି ପ୍ରତ୍ୟୁଷରୁ ଠାକୁରଙ୍କ ନୀତି ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ହେବା ପ୍ରଚାରିତ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେବା ପ୍ରତିନିଧି ସଂଗଠନର ଅଧ୍ୟକ୍ଷ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଆଜି ସକାଳେ ମନ୍ଦିର ସାମ୍ମୁଖରେ ଧାରଣା ଦିଆଯାଇଥିଲା । ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟି କୋଣରୁ ପୁଲିସ ଧାରଣାରତ ଲୋକଙ୍କୁ ମନ୍ଦିର ସମ୍ମୁଖରୁ ହଟାଇ ଦେଇଥିଲା । ଠାକୁରଙ୍କ ନୀତି ବିଭ୍ରାଟ ହେବାରେ ଆଜି ଶ୍ରଦ୍ଧାଳୁଗଣ ଅବଢ଼ା ପ୍ରସାଦ ପାଇବାରେ ବଞ୍ଚିତ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ

ପାଟିରେ ସୁନା ବିସ୍କୁଟ ପୂରାଇ ଚେନ୍ନାଇ ଯିବାକୁ ଚେଷ୍ଟା କରୁଥିଲେ ସ୍ମଗଲିଂର: କଥା କହି ପାରିଲେନି ବୋଲି ଏୟାରପୋର୍ଟରେ ଧରାପଡିଲେ, ୪୦୦ ଗ୍ରାମର ସୁନା ଜବତ

ଆଜି ୩ଟି କରୋନା ଭ୍ୟାକସିନ ପ୍ରସ୍ତୁତି ସେଣ୍ଟର ବୁଲିବେ ପ୍ରଧାନମନ୍ତ୍ରୀ; ଅହମଦାବାଦ, ପୁଣେ ଓ ହାଇଦ୍ରାବାଦରେ କରିବେ ସମୀକ୍ଷା…

ଏହି ଦେଶର ରାଷ୍ଟ୍ରପତିଙ୍କ ଅଜବ ଯୁକ୍ତି; “ଆମକୁ ଆବଶ୍ୟକ ନାହିଁ କରୋନା ଭ୍ୟାକ୍‌ସିନ, କେବଳ ମୋ କୁକୁରକୁ ଦରକାର”…

ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା