ସମ୍ପୂର୍ଣ୍ଣ ଉଠିବନି ଲକ୍‌ଡାଉନ୍‌: ମେ୧୭ ପରେ ଆହୁରି କୋହଳ ହେବ କଟକଣା

ନୂଆଦିଲ୍ଲୀ, ୧୧/୫: ଭାରତରେ କରୋନା ଭାଇରସ୍‌ (କୋଭିଡ-୧୯)ର କାୟା ପ୍ରତିଦିନ ବଢ଼ିବାରେ ଲାଗିଛି । ତେଣୁ ମେ ୧୭ ତାରିଖରେ ଶେଷ ହେଉଥିବା ଲକ୍‌ଡାଉନ ୩.୦କୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯିବ ନାହିଁ । ଲକ୍‌ଡାଉନ କଟକଣାକୁ ଆହୁରି କୋହଳ କରାଯିବ ଓ ଏହାକୁ ଧୀରେ ଧୀରେ ଉଠାଯିବ ବୋଲି ଜଣାପଡିଛି । ରବିବାର କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ବୈଠକରେ ଆଲୋଚନା କରିବା ଅବସରରେ ଏଭଳି ସଙ୍କେତ ମିଳିଛି ।

ବୈଠକରେ ସାମିଲ ଜଣେ ଅଧିକାରୀଙ୍କ କହିବାନୁଯାୟୀ କେନ୍ଦ୍ର ସରକାର ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ ପାଇଁ ଧାର୍ଯ୍ୟ କରିଥିବା କଟକଣାକୁ ନେଇ କେତେକ ରାଜ୍ୟ ଆପତ୍ତି ଉଠାଇଛନ୍ତି । ତେଣୁ ତାକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍‌ ବାହାରେ ରହୁଥିବା ଅଞ୍ଚଳକୁ ଅଧିକ ରିହାତି ମିଳିବ । ରେଡ୍‌ଜୋନ୍‌ ଅଞ୍ଚଳରେ କଟକଣା ବଳବତ୍ତର ରହିବ । କିନ୍ତୁ ରେଡ୍‌ଜୋନରେ ଥିବା ଜିଲ୍ଲାକୁ ସମ୍ପୂର୍ଣ୍ଣ କଟକଣାରେ ରଖାଯିବ ନାହିଁ । କେବଳ ସଂକ୍ରମିତ ଅଞ୍ଚଳ ଓ ତାର ଆଖପାଖରେ କଟକଣା ରହିବ । ଯାହାକି କଣ୍ଟେନମେଣ୍ଟ ଅଞ୍ଚଳ ଭିତରେ ରହିବ । ଏହା ବାହାରେ ଆର୍ଥିକ ଗତିବିଧିକୁ ଅନୁମତି ମିଳିବ । ତେବେ ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବା ପରେ ମେ ୧୭ ପରବର୍ତ୍ତୀ ପରିସ୍ଥିତି କିଭଳି ରହିବ ତା’ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି । ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଗ୍ରୀନ୍‌ଜୋନ ଅଞ୍ଚଳରେ ସବୁ କାର୍ଯ୍ୟକୁ ଅନୁମତି ଦେଇଛନ୍ତି । କିନ୍ତୁ ନିର୍ମାଣ କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁନାହିଁ । ପ୍ରବାସୀ ଶ୍ରମିକଙ୍କ ପଳାୟନ ପରେ ଏହି କ୍ଷେତ୍ର ପାଇଁ ସଙ୍କଟ ସୃଷ୍ଟି ହୋଇଛି । ଶ୍ରମିକ ସଙ୍କଟ ଯୋଗୁ ମାନୁଫ୍ୟାକଚରିଂ ସେକ୍ଟର ମଧ୍ୟ ପ୍ରଭାବିତ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି କରୋନା ମୁକାବିଲା ପାଇଁ ଦେଶରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁବିଧା ରହିଛି। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ୪୮୩ଟି ଜିଲ୍ଲାରେ ମୋଟ ୭ ହଜାର ୭୪୦ଟି ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଚିକିତ୍ସା କେନ୍ଦ୍ରକୁ ୩ ଭାଗରେ ବିଭକ୍ତ କରାଯାଇଛି ଯଥା ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ, କୋଭିଡ ହେଲଥ ସେଣ୍ଟର ଓ କୋଭିଡ କେୟାର ସେଣ୍ଟର । ଏସବୁ କେନ୍ଦ୍ରରେ ୬ ଲକ୍ଷ ୫୬ ହଜାର ୭୬୯ ଆଇସୋଲେସନ ବେଡ୍‌, ୯୯ ହଜାର ୪୯୨ଟି ଅକ୍ସିଜେନ ଥିବା ବେଡ୍‌ ଓ ୩୪ ହଜାର ୭୬ ଆଇସିୟୁ ବେଡ୍‌ ରହିଛି । ସେହିଭଳି ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ (ଏନ୍‌ସିଡିସି)ରେ ନମୁନା ପରୀକ୍ଷାକୁ ଆହୁରି ବ୍ୟାପକ କରିବା ଓ ଏହାର ଦକ୍ଷତା ବଢ଼ାଇବା ଉଦ୍ଦେଶ୍ୟରେ କ୍ଷମତାସମ୍ପନ୍ନ ମନ୍ତ୍ରୀଗୋଷ୍ଠୀର ଅନୁମୋଦନ କ୍ରମେ ଅତ୍ୟାଧୁନି କୋବାସ ୬୮୦୦ ମେସିନ ଲଗାଯାଇଛି । ଦିଲ୍ଲୀ, ଏନ୍‌ସିଆର, ଲଦାଖ, ଜମ୍ମୁ-କାଶ୍ମୀର ଓ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ନମୁନା ପରୀକ୍ଷାରେ ଏନ୍‌ସିଡିସି ସହଯୋଗ କରୁଛି । ବର୍ତ୍ତମାନ ଏନ୍‌ସିଡିସି ପ୍ରତିଦିନ ୩୦୦ରୁ ୩୫୦ ନମୁନା ପରୀକ୍ଷା କରୁଛି । ୨୪ ଘଣ୍ଟାରେ ୧୨୦୦ ନମୁନା ପରୀକ୍ଷା କରିବାର ଦକ୍ଷତା ଏହାର ରହିଛି ।

ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ଭାରତୀୟ ରେଳବାଇ ଅଧିକ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିବାକୁ ପ୍ରସ୍ତୁତ ଅଛି । ଏଥିପାଇଁ ସମ୍ପୃକ୍ତ ରାଜ୍ୟ ସରକାରମାନେ ଅନୁମତି ଦେବାକୁ ରେଳମନ୍ତ୍ରୀ ପିୟୁଷ ଗୋୟଲ ଅନୁରୋଧ କରିଛନ୍ତି । ଏଭଳି ଟ୍ରେନ ଚଳାଚଳ କରିବାକୁ ଅନୁମତି ଦେବା ସକାଶେ ଶନିବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିବାର ଦିନକ ପରେ ରେଳମନ୍ତ୍ରୀ ଏଭଳି ଅନୁରୋଧ କରିଛନ୍ତି । ଟୁଇଟ୍‌ କରି ରେଳମନ୍ତ୍ରୀ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ରେଳବାଇ ଗତ ୬ ଦିନ ହେଲା ଦୈନିକ ପ୍ରାୟ ୩୦୦ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି । ରାଜ୍ୟ ସରକାରମାନେ ଅନୁମତି ଦେଲେ ରେଳବାଇ ଅଧିକ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିବ ଓ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଆଗାମୀ ୩-୪ ଦିନ ଭିତରେ ସେମାନଙ୍କ ରାଜ୍ୟରେ ପହଞ୍ଚାଇଦେବ । ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଗତ ୫ ଦିନ ଭିତରେ ଶ୍ରମିକ ଏକ୍ସପ୍ରେସ ଟ୍ରେନରେ ପ୍ରାୟ ୨୦ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଯାଇଛି । ତେବେ ପଶ୍ଚିମବଙ୍ଗ ଓ ରାଜସ୍ଥାନ ଭଳି ରାଜ୍ୟ ସରକାର ଅନୁମତି ଦେଉନଥିବାରୁ ସେଠାକୁ ଏଭଳି ଟ୍ରେନ ଚଳାଚଳ କରାଯାଇପାରୁନାହିଁ ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ