ମୌସୁମୀ ପୂର୍ବରୁ ମାଡ଼ି ଆସିବେ ପଙ୍ଗପାଳ: ସରକାରଙ୍କୁ ପଶ୍ଚିମ ଓଡ଼ିଶା ଚିନ୍ତା, ଖୋଲିଲା କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର, ୧/୦୬: ମହାମାରୀ କରୋନା ମୁକାବିଲାରେ ନୟାନ୍ତ ରାଜ୍ୟ ସରକାରଙ୍କୁ ଏବେ ଘାରିଲାଣି ପଙ୍ଗପାଳ ଭୟ। ଓଡ଼ିଶାକୁ ଆତଙ୍କୀ କୀଟ ପଙ୍ଗପାଳ ଦଳ ମାଡ଼ି ଆସିପାରନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ଏ କୀଟ ଦଳ ଛତିଶଗଡ଼ରେ ପହଞ୍ଚି ଓଡ଼ିଶାମୁହାଁ ହୋଇପାରନ୍ତି । ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଚାଷୀକୁଳ ବହୁଳ କ୍ଷତିଗ୍ରସ୍ତ ହେବେ । ଏହାକୁ ଦୃଷ୍ଟିରେ ରଖି ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କୃଷି ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯିବା ସହ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପରାମର୍ଶ ଲୋଡ଼ିଛନ୍ତି ସରକାର । ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି।

ଗୋଟିଏ ପରେ ଗୋଟିଏ ଏମିତି ୮ଟି ରାଜ୍ୟକୁ ଚରିଗଲେଣି ପଙ୍ଗପାଳ । ଲକ୍ଷ ଲକ୍ଷ ହେକ୍ଟର କ୍ଷେତର ଫସଲ ଖାଇ ନଷ୍ଟ କରୁଛନ୍ତି ଏ କୀଟ । ଏବେ ପଶ୍ଚିମା ପବନ ବହୁଥିବାରୁ ପଙ୍ଗପାଳ ଦଳ ଓଡ଼ିଶାମୁହାଁ ହୋଇପାରନ୍ତି । ମଧ୍ୟପ୍ରଦେଶରୁ ଭାୟା ଛତିଶଗଡ଼ ହୋଇ ଏ ଧ୍ୱଂସକାରୀ କୀଟ ମୌସୁମୀ ପୂର୍ବରୁ ଓଡ଼ିଶା ମାଡ଼ିଆସିପାରନ୍ତି । ଏମିତି ପୂର୍ବାନୁମାନ କରିଛି ଫୁଡ୍‌ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ୍‌ (ଫାଓ) । ଆସନ୍ତା ସପ୍ତାହ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଫାଓ ଦର୍ଶାଇଛି । ଏ ସତର୍କ ସୂଚନା ପରେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । କୃଷି ବିଭାଗ ପକ୍ଷରୁ ଘନ ଘନ ବୈଠକ ସହ ଓୟୁଏଟିର ସହଯୋଗ ଲୋଡ଼ାଯାଇଛି ।

କୃଷି ବିଭାଗ ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ସମ୍ଭାବ୍ୟ ବିପଦର ମୁକାବିଲା କରିବାକୁ ରାଜ୍ୟ ସରକାର ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସରକାର କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି । ଚାଷୀମାନଙ୍କୁ ଆଗୁଆ ସଚେତନ କରାଯିବ । ସ୍ଥିତି ଅନୁଧ୍ୟାନ କରିବାକୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବ । ଏଥିରେ ଓୟୁଏଟି ଏବଂ ବିଦ୍ୟାଧରପୁର ଫାର୍ମର ବିଶେଷଜ୍ଞ ଓ କୀଟ ତତ୍ତ୍ୱବିତ୍‌ ରହିବେ । ଦୈନିକ ଜିଲ୍ଲା ଓ ବ୍ଳକସ୍ତରରୁ ରିପୋର୍ଟ ମଗାଯିବ । ଚାଷୀମାନଙ୍କୁ ଟିଭି ମାଧ୍ୟମରେ ସଚେତନ କରାଯିବ । ପର୍ଯ୍ୟାପ୍ତ ପରିମାଣର କୀଟନାଶକ ଔଷଧ (ମାଲାଥାଇଅନ୍‌, କ୍ଲୋରୋପେରିଫସ୍‌ ଲ୍ଟୋମେଥନୀ), ବଡ଼ ସ୍ପ୍ରେୟର, ଟ୍ରାକ୍ଟର ମହଜୁଦ ରଖିବାକୁ ଓୟୁଏଟି ପକ୍ଷରୁ ସରକାରଙ୍କୁ କୁହାଯାଇଛି । ସରକାର ସବୁପ୍ରକାର ପ୍ରସ୍ତୁତିକୁ ତେଜିଛନ୍ତି ବୋଲି ମୁଥୁକୁମାର ସ୍ପଷ୍ଟ କରିଛନ୍ତି ।

ମାଡ଼ି ଚାଲିଛନ୍ତି ପଙ୍ଗପାଳ । ଫସଲ ଖାଇ ନଷ୍ଟ କରୁଥିବା ଏ କୀଟ ଏବେ ଦେଶର ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ପଞ୍ଜାବ, ହରିଆନା, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଚାଷୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି । ଓଡ଼ିଶାକୁ ମଧ୍ୟ ପଙ୍ଗପାଳ ଦଳ ମାଡ଼ି ଆସିପାରନ୍ତି । ସରକାରଙ୍କୁ ଏ ଭୟ ଘାରିଛି । ଜୁନ୍‌ ପ୍ରଥମ ସପ୍ତାହରେ ଏ ଫସଲହାନୀ କୀଟ ରାଜ୍ୟର ସୀମାନ୍ତ ଜିଲ୍ଲାରେ ନିଜ ଧ୍ୱଂସଲୀଳା ଆରମ୍ଭ କରିପାରନ୍ତି । ସମ୍ଭାବ୍ୟ କୀଟ ଆକ୍ରମଣର କିଭଳି ମୁକାବିଲା କରିହେବ ସେ ସଂପର୍କରେ ମାର୍ଗଦର୍ଶିକା ଜାରି ହୋଇଥିଲା । ଓୟୁଟି ପକ୍ଷରୁ ସରକାରଙ୍କୁ ଆମେ ସବୁ ସହଯୋଗ ଯୋଗାଇଦେବୁ ବୋଲି କହିଛନ୍ତି ଓୟୁଏଟି ଡିନ୍‌ ଲଳିତ ମୋହନ ଗଡ଼ନାୟକ । ତେବେ ସବୁ ଝିଣ୍ଟିକା ପଙ୍ଗପାଳ ନୁହନ୍ତି । ହଳଦିଆ ରଙ୍ଗର କୀଟ କ୍ଷତିକାରକ ନୁହନ୍ତି, ଗୋଲାପି ରଙ୍ଗର ପଙ୍ଗପାଳ ଆସିଲେ ଫସଲ କ୍ଷତି କରିବେ । ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ବ୍ଲକସ୍ତରରୁ କ୍ଷେତ୍ର କର୍ମଚାରୀ କ୍ଷେତକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ କରିବେ । ସେଠାରୁ ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ ଆସିବ । ସ୍ଥିତି ଅନୁଧ୍ୟାନ ପରେ ପରିଚାଳନା ପାଇଁ ଆମେ ମାର୍ଗଦର୍ଶିକା ମଧ୍ୟ ଜାରି କରିବୁ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି ।

ସୂଚନାଯୋଗ୍ୟ, ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଓୟୁଏଟି ପକ୍ଷରୁ ଚାଷୀଙ୍କୁ ସତର୍କ କରାଯିବା ସହ ପରାମର୍ଶ ଦିଆଯାଇଛି । ଯଦି ପଙ୍ଗପାଳ ଆସନ୍ତି ତେବେ ଚାଷୀମାନେ ନିମ୍ବତେଲ ଫସଲରେ ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ । ଏକର ପିଛା ୨୦୦ ଲିଟର ନିମ୍ବମଞ୍ଜି ଦ୍ରବଣ ଉପରବେଳା ସିଞ୍ଚନ କରନ୍ତୁ । ଏହା ବଦଳରେ ବଜାରରେ ମିଳୁଥିବା ୩୦୦ ପିପିଏମର ନିମ୍ବ ଆଧାରିତ କୀଟବିଷକୁ ଏକର ପ୍ରତି ୧ ଲିଟର ହିସାବରେ ୨ ଶହ ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କଲେ ଭଲ । ପଙ୍ଗପାଳ ଦଳ କ୍ଷେତରେ ପହଞ୍ଚିଗଲେ ଟିଣ ବାଡ଼େଇ କିମ୍ବା କଣ୍ଟାଯୁକ୍ତ ଡାଳରେ ବାଡ଼ାଇ ଘଉଡ଼ାଇବା ଠିକ୍‌ ହେବ ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ