କରୋନା ବେଳେ ପଙ୍ଗପାଳ ଆତଙ୍କ: ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲା ପ୍ରଭାବିତ, ୧.୫ ଲକ୍ଷ ହେକ୍ଟର ଫସଲ ନଷ୍ଟ

ବାରମେର ୮/୫: ଦେଶରେ ଏବେ କରୋନା ଭୂତାଣୁ କାୟା ମେଲାଉଥିବା ବେଳେ ରାଜସ୍ଥାନରେ ପଙ୍ଗପାଳ ଆତଙ୍କ ସାଂଘାତିକ ସମସ୍ୟା ସୃଷ୍ଟି କରିଛି । ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ଏବେ ପଙ୍ଗପାଳ ଆକ୍ରମଣ ଆରମ୍ଭ ହୋଇଯାଇଛି । ଫଳରେ ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି । ବାରମେର, ଜାଲୋର, ଜୟସେଲମେର ଏବଂ ଯୋଧପୁର ଜିଲ୍ଲାର ଚାଷୀମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୧.୫ ଲକ୍ଷ ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ପାକିସ୍ତାନର ସିନ୍ଧ ପ୍ରଦେଶରୁ ପଙ୍ଗପାଳ ମାଡ଼ିଆସୁଛନ୍ତି । ପଙ୍ଗପାଳଙ୍କ ନଜର ସୀମାନ୍ତବର୍ତ୍ତୀ ଜିଲ୍ଲାର ଚାଷଜମି ଉପରେ ପଡ଼ିଛି । ୨୬ ବର୍ଷର ବ୍ୟବଧାନ ପରେ ଏଭଳି ପଙ୍ଗପାଳ ଆକ୍ରମଣ ୨୦୧୯ ମେ ୨୧ରେ ଦେଖିବାକୁ ମିଳିଥିଲା । ଏବେ କରୋନା ଯୋଗୁ ସାଂଘାତିକ ସ୍ଥିତି ଉପୁଜିଥିବା ବେଳେ ପଙ୍ଗପାଳ ଆକ୍ରମଣ ଯୋଗୁ ଚାଷୀମାନେ ଦୁର୍ଦ୍ଦଶାର ଶିକାର ହେବାକୁ ଯାଉଛନ୍ତି । ରବି ଫସଲକୁ ଏହି ପଙ୍ଗପାଳ ଖାଇ ନଷ୍ଟ କରିଦେଇଥିବା ଜଣାପଡ଼ିଛି।

ସରକାରୀ ତଥ୍ୟ ମୁତାବକ ପଙ୍ଗପାଳ ଆକ୍ରମଣ ଯୋଗୁ ରାଜସ୍ଥାନରେ ପାଖାପାଖି ୧.୫ ଲକ୍ଷ ହେକ୍ଟରରେ ଫସଲ ନଷ୍ଟ ହୋଇଛି । ଜାଲୋର ଜିଲ୍ଲାରେ ସର୍ବାଧିକ ୬୦,୦୦୦ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ଜୟସେଲମେରରେ ୫୫,୦୦୦, ବାରମେରରେ ୩୫,୦୦୦ ଏବଂ ଯୋଧପୁରରେ ୧୦,୦୦୦ ହେକ୍ଟର ଜମିରେ ଚାଷ ପ୍ରଭାବିତ ହୋଇଛି । ଏହାଦ୍ୱାରା ରାଜ୍ୟ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।

କୋଭିଡ ଲକ୍‌ଡାଉନ୍‌ ଯୋଗୁ ରାଜସ୍ଥାନରେ ଆର୍ଥିକ କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି । ଏହାଯୋଗୁ ରାଜ୍ୟ ଅର୍ଥନୀତି ତଳମୁହାଁ ହେବାକୁ ଯାଉଛି । ଏଭଳି ସ୍ଥିତିରେ ପଙ୍ଗପାଳ ଆକ୍ରମଣ ଯୋଗୁ ଅର୍ଥନୈତିକ ପ୍ରଭାବ ବୃଦ୍ଧି ପାଇବ । ତେଣୁ ଏ ପ୍ରସଙ୍ଗରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ହରିଶ ଚୌଧୁରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି । ମନ୍ତ୍ରୀ ଚୌଧୁରୀ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ନିକଟକୁ ଚିଠି ଲେଖିଛନ୍ତି । ଚିଠିରେ ସେ ଗତବର୍ଷର ପଙ୍ଗପାଳ ଆକ୍ରମଣ ବିଷୟ ବି ମନେପକାଇଥିବା ଜଣାପଡ଼ିଛି ।

ଚିଠିରେ ସେ ଆହୁରି ଦର୍ଶାଇଛନ୍ତି ଯେ ଗତବର୍ଷ ପଙ୍ଗପାଳ ଆକ୍ରମଣ ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଦେଖାଦେଇଥିଲା । ଏଥର କେନ୍ଦ୍ର ସରକାର ଏ ନେଇ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ)ର ଦୃଷ୍ଟି ଆକର୍ଷଣ କରିବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଚାଷୀମାନେ ଜିରା ଅମଳ କରିସାରିଥିବାରୁ ପଙ୍ଗପାଳ ଆକ୍ରମଣରୁ ଏହା ବଞ୍ଚିଯାଇଛି । ଜିରା ପଙ୍ଗପାଳଙ୍କର ଏକ ପ୍ରିୟ ଆହାର ବୋଲି ବିବେଚନା କରାଯାଏ । ରାଜ୍ୟ ସରକାର ଏବେ ପଙ୍ଗପାଳକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ବାରମେର ଜିଲ୍ଲାପାଳ ବିଶ୍ରାମ ମୀନା କହିଛନ୍ତି, ପଙ୍ଗପାଳ ଆକ୍ରମଣ ଘଟଣାର ଯାଞ୍ଚ ପାଇଁ କାର୍ଯ୍ୟ ଆରମ୍ଭ ହୋଇଯିଛି । ରାଜସ୍ୱ ଏବଂ କୃଷି ବିଭାଗ ସହ ଏକ ବୈଠକରେ ଏ ନେଇ ଆଲୋଚନା କରାଯାଇଛି । ପଙ୍ଗପାଳକୁ ଘଉଡ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି । ବାରମେର ଜିଲ୍ଲାର ଗିଡା ବ୍ଲକରେ ୨୫୦ ହେକ୍ଟରରେ ପଙ୍ଗପାଳ ଆକ୍ରମଣକୁ ନିୟନ୍ତ୍ରଣ କରାଯାଇଛି । ସିଓ, ଚୋହତାନ, ବାରମେର ଓ ଗଦରା ବ୍ଲକ ଅଧୀନରେ ଆସୁଥିବା ଅନେକ ଗ୍ରାମରେ ପଙ୍ଗପାଳ ଆକ୍ରମଣ କରିଛନ୍ତି । ଜୟସେଲମେର ଜିଲ୍ଲାରେ ଚନ୍ଧାନ, ଲାଠି, ରାମଗଡ଼, ତାନୋଟ ଓ କିଶନଗଡ଼ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ଗଙ୍ଗାନଗର ଓ ବିକାନେର ଜିଲ୍ଲାବାସୀ ବି ଏହାର ଶିକାର ହୋଇଥିବା ମୀନା କହିଛନ୍ତି । ଜୟସେଲମେର ଜିଲ୍ଲା ପ୍ରଶାସନ ପଙ୍ଗପାଳଙ୍କୁ ଘଉଡ଼ାଇବା ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ) ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଗତବର୍ଷ ବାରମେର, ଜୟସଲମେର ଏବଂ ଜାଲୋର ଜିଲ୍ଲା ପଙ୍ଗପାଳ ଆକ୍ରମଣ ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ।

   ସମ୍ବନ୍ଧିତ ଖବର


‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !