ନିର୍ବାଚନ ପାଇଁ ପ୍ରସ୍ତୁତି: ୯୦ କୋଟି ଲୋକଙ୍କ ପାଇଁ ଏଥର ବ୍ୟବହାର ହେବ ୩୩ କୋଟି ଟଙ୍କାର ସ୍ୟାହି

ନୂଆଦିଲ୍ଲୀ,୨୫।୩: ଭାରତୀୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନର ପ୍ରସ୍ତୁତି ଯୋରଦାର ଭାବରେ ଜାରି ରଖିଛନ୍ତି। ନିର୍ବାଚନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ମତଦାନ କରିବାକୁ ବ୍ୟବହାର ହେଉଥିବା ନୀଳ ରଙ୍ଗର ସ୍ୟାହି, ଯାହାର ୨୬ ଲକ୍ଷ ବୋତଲ ଏବେ ଅର୍ଡର କରିଦିଆଯାଇଛି। ପ୍ରାୟ ୯୦ କୋଟି ଲୋକଙ୍କ ପାଇଁ ଏହାକୁ ବ୍ୟବହାର କରାଯିବ, ଏଥିପାଇଁ ୩୩ କୋଟି ଟଙ୍କା ଖର୍ଚ୍ଚ ହେବ। ଲୋକସଭା ନିର୍ବାଚନ ପାଇଁ ମତଦାନ ଆସନ୍ତା ୧୧ ଅପ୍ରେଲରୁ ଆରମ୍ଭ ହୋଇଯିବ ଓ ୭ଟି ପର୍ଯ୍ୟାୟରେ ୧୯ ମଇରେ ଶେଷ ହେବ। ୨୩ମଇରେ ଭୋଟ ଗଣତି ହେବ।

ଯଦି ରେକର୍ଡ ଉପରେ ନଜର ପକାଇବା ତେବେ ଏଥର ଏହି ସ୍ୟାହିର ମୂଲ୍ୟ ୨୦୦୯ ନିର୍ବାଚନ ତୁଳନାରେ ପ୍ରାୟ ୩ ଗୁଣା ଅଧିକ। ୨୦୦୯ରେ ସ୍ୟାହିର ମୂଲ୍ୟ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେଭଳି ୨୦୧୪ ମୁକାବିଲାରେ ଏଥର ଗାଢ ରଙ୍ଗର ସ୍ୟାହିର ୪.୫ ଲକ୍ଷ ବୋତଲ ଅଧିକ ମଗାଯାଇଛି। ପ୍ରତି ବୋତଲରେ ୧୦ ମିଲିଲିଟର ସ୍ୟାହି ରହିଥାଏ। ଏହି ବୋତଲରେ ପ୍ରାୟ ୩୫୦ ଭୋଟରଙ୍କୁ ଚିହ୍ନ ଲଗାଇ ହେବ।

ସବୁଠାରୁ ମଜାଦାର କଥା ହେଉଛି ୨୦୦୪ ପର୍ଯ୍ୟନ୍ତ ମତଦାନ କରିବା ପାଇଁ କେବଳ ଏକ ବିନ୍ଦୁ ଚିହ୍ନ ଲଗାଯାଉଥିଲା। କିନ୍ତୁ ୨୦୦୬ରେ ନିର୍ବାଚନ କମିଶନ ଏହା ସ୍ଥାନରେ ଏକ ଲମ୍ବା ସିଧା ଲାଇନ୍ ଲଗାଇବାର ନିର୍ଦେଶ ଦେଇଥିଲେ। ଏହାଦ୍ବାରା ସ୍ୟାହିର ବ୍ୟବହାର ଅଧିକ ହୋଇଯାଇଛି। ପ୍ରତି ପୋଲିଂ ବୁଥରେ ଦୁଇ ବୋତାଲ ଦିଆଯାଇଥାଏ। ସବୁଠାରୁ ଅଧିକ ବୋତଲ ଉତ୍ତର ପ୍ରଦେଶରେ ଦରକାର ପଡିଥାଏ। ୟୁପିରେ ପ୍ରାୟ ୩ଲକ୍ଷ ସ୍ୟାହି ବୋତଲ ବ୍ୟବହାର ହୋଇଥାଏ। ସବୁଠାରୁ କମ୍ ସ୍ୟାହି ବୋତଲ, ପ୍ରାୟ ୨୦୦, ଲକ୍ଷାଦ୍ବୀପରେ ବ୍ୟବହାର କରାଯାଇଥାଏ। ମହିଶୂର ପେଣ୍ଟସ୍ ଓ ଭାର୍ନିସରେ ତିଆରି ହୋଇଥିବା ଏହି ସ୍ୟାହି ପ୍ରଥମ ଥର ୧୯୬୨ରେ ବ୍ୟବହାର କରାଯାଇଥିଲା। ସେତେବେଳେ ୩.୭୪ ଲକ୍ଷ ବୋତଲ ୩ ଲକ୍ଷ ଟଙ୍କାରେ କିଣାଯାଇଥିଲା। ଭାରତ ବ୍ୟତୀତ ପ୍ରାୟ ୩୦ଟି ଦେଶକୁ ଏହି ସ୍ୟାହି ପଠାଯାଇଥାଏ। ଏହି ସ୍ୟାହିର ବ୍ୟବହାର ୨୦୧୬ରେ ବିମୁଦ୍ରାକରଣ ପରେ କରାଯାଇଥିଲା।