ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଉଦ୍‌ଯାପିତ: ଜୁନ୍‌ ୧୪ରେ ପାଳନ ହେବ ଲୋକକଳା ଦିବସ

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ପ୍ରତିବର୍ଷ ଜୁନ୍‌ ୧୪କୁ ଲୋକକଳା ଦିବସ ରୂପେ ପାଳନ କରାଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ ତିନିଦିନିଆ ୯ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ-୨୦୧୯ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏଥିସହ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଶା କଳାର ଭୂମି । କଳା ଆମର ବଡ଼ ପରିଚୟ । କଳା ଜରିଆରେ ହିଁ ସାମାଜିକ ପରିବର୍ତ୍ତନ ଆସିପାରିବ । ଲୋକକଳା ଆମ ସଂସ୍କୃତିକୁ ସମୃଦ୍ଧ କରିଛି । ବିଶ୍ୱରେ ଆମ ଗୌରବ ବୃଦ୍ଧି ପାଇଛି । କଳାକାରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବ୍ଲକ୍‌ରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଳାକାର ସଂଘ ଗଠନ କରିଛନ୍ତି । ପ୍ରତି ଜିଲ୍ଲାରେ ଲୋକକଳା ଗ୍ରାମ ପ୍ରତିଷ୍ଠା କରାଯାଇଛି । ୫୦ହଜାର କଳାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
ଲୋକକଳା ଦିବସ ବୋଲି କୌଣସି ଦିନ ଧାର୍ଯ୍ୟ ହୋଇ ନଥିବାବେଳେ ସରକାର ପ୍ରତିବର୍ଷ ଏହି ଦିନକୁ ଲୋକକଳା ଦିବସ ରୂପେ ପାଳନ କରିବାକୁ ସ୍ଥିର କରିଛନ୍ତି । ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରିବା ସହ ଲୋକକଳା ଓ କଳାକାରଙ୍କୁ ପ୍ରୋତ୍ସାହନ ସ୍ୱରୂପ ସମ୍ବର୍ଦ୍ଧନା ମଧ୍ୟ କରାଯିବ । ୩୦ ଜିଲ୍ଲାରେ ଲୋକକଳା ଗ୍ରାମ ସାଙ୍ଗକୁ ବର୍ତ୍ତମାନ ସୁଦ୍ଧା ‘ପିଠା’ କାର୍ଯ୍ୟକ୍ରମରେ ୩୬ହଜାର କଳାକାରଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ କଳାକାର ସଂଘମାନଙ୍କୁ ଆର୍ଥିକ ସହାୟତା ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଞ୍ଚାୟତିରାଜ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମେତ ଢେଙ୍କାନାଳ, ଭଦ୍ରକ, ନବରଙ୍ଗପୁର ଏବଂ ନଗର କଳା ଲାଗି ରାଉରକେଲା, ବାଲେଶ୍ୱରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମହୋତ୍ସବ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ପ୍ରାରମ୍ଭିକ ସଭା ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷିତ ହୋଇଥିଲା ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍‌, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ବିଭାଗୀୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ ।

   ସମ୍ବନ୍ଧିତ ଖବର


ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ , ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮

ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ସ୍କର୍ପିଓରୁ ଉଦ୍ଧାର ହେଲେ କଲଗାର୍ଲ !

ରାଜଧାନୀରେ ବନ୍ଧୁକ ଡିଲ୍‌ ବେଳେ ମହିଳା ସମେତ ୩ ଗିରଫ, ଖସିଗଲେ ବିକିବାକୁ ଆସିଥିବା ବ୍ୟବସାୟୀ