ମୋଦିଙ୍କ ମଞ୍ଚରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ: ‘ଏବେ ପରିବର୍ତ୍ତନର ବେଳ ଆସିଛି’

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ବରମୁଣ୍ଡା ପଡ଼ିଆ ଉପରେ ଆଜି ସାରା ରାଜ୍ୟର ନଜର ଥିଲା । ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଜମା ହୋଇଥିଲେ ହଜାର ହଜାର ମୋଦି ପ୍ରେମୀ । ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆ ଜରିଆରେ ବି ରାଜ୍ୟବାସୀ ଏହି ସଭାକୁ ଅପେକ୍ଷା କରି ରହିଥିଲେ । ମୋଦିଙ୍କ ମେଗା ସୋ’ରୁ ଭୋଟ୍‌ ମାଗିବାକୁ ଭୁଲିନଥିଲେ ଦଳର ସାଂସଦ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀ । ପୁରୀ, ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ପ୍ରାର୍ଥୀଙ୍କ ସହ ବିଧାୟକ ପ୍ରାର୍ଥମାନେ ମୋଦିଙ୍କ ଉପସ୍ଥିତିରେ ମଞ୍ଚରୁ ଭୋଟ୍‌ ପାଇଁ ନିବେଦନ କରିଥିଲେ ।

ଏହି ଅବସରରେ ବକ୍ତବ୍ୟ ରଖି ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଲେ, ଆଇଏଏସ୍‌ ଚାକିରିରେ ଥିବାବେଳେ ମୋ’ ପାଖେ କ୍ଷମତା, ଟଙ୍କା ଥିଲା । ଆଜି ସେସବୁ ନାହିଁ ସତ, ହେଲେ ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଅଛି । ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ୧୯୬ଟି ଗାଁ ଓ ୯୫ଟି ୱାର୍ଡ ବୁଲି ସାରିଲାଣି । ସବୁଠି ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ୧୯ ବର୍ଷ ଧରି ଶାସନରେ ଥିବା ସ୍ଥାଣୁ, ଅପାରଗ ସରକାରକୁ ବଦଳାଇବାକୁ ହେବ । ନିର୍ବାଚନ ଜିତିଲେ ୫ ବର୍ଷରେ ଭୁବନେଶ୍ୱରକୁ ଦେଶର ୧ ନମ୍ବର ସଂସଦୀୟ କ୍ଷେତ୍ର କରିବେ ବୋଲି ସେ କହିଥିଲେ ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର କହିଲେ, ପୁରୀ ସହରକୁ ବିଜେଡିର ଗୁଣ୍ଡାମାନେ ଅପରାଧ କ୍ଷେତ୍ରରେ ପରିଣତ କରିଛନ୍ତି । ରାଜ୍ୟରେ ଏମିତି ଶାସନ ଚାଲିଛି, କୌଣସି ବ୍ୟବସ୍ଥା ଠିକ୍‌ ନାହିଁ । ହେଲେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ଆପଣମାନେ ଖୁସି ତ? ସ୍କୁଲରେ ଶିକ୍ଷକ ନାହାନ୍ତି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ନାରୀ ନିର୍ଯାତନା ଯୋଗୁ ମହିଳାମାନେ ସୁରକ୍ଷିତ ନୁହନ୍ତି । ଏଠି କେହି ଖୁସିନାହାନ୍ତି, ତେଣୁ ପରିବର୍ତ୍ତନ ନିଶ୍ଚିତ ହେବ । ମୋଦି କ୍ଷମତାକୁ ଫେରିଲେ ପୁରୀ ହେବ ଦେଶର ସାଂସ୍କୃତିକ ରାଜଧାନୀ । ରାଜ୍ୟରେ ଏଥର ବିଜେପି ସରକାର ଗଢ଼ିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଥିଲେ । ପୂର୍ବତନ ଡିଜିପି ତଥା କଟକ ଲୋକସଭା ଆସନର ପ୍ରାର୍ଥୀ ପ୍ରକାଶ ମିଶ୍ର କହିଲେ, କେଉଁଭଳି ବିବାଦୀୟ ପରିସ୍ଥିତିରେ ମୁଁ ଆପଣମାନଙ୍କଠାରୁ ଦୂରେଇ ଯାଇଥିଲି, ତାହା ଆପଣମାନେ ଜାଣନ୍ତି । ତେବେ ଦିଲ୍ଲୀରେ କାର୍ଯ୍ୟକରିବାବେଳେ ଦେଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା, ନିଷ୍ଠା ପ୍ରଭାବିତ କରିଥିଲା । ତାଙ୍କ ସହ କାମ କରିବା ପାଇଁ ରାଜନୀତିକୁ ଆସିଛି । ଏଥର ମୋଦିଙ୍କ ନେତୃତ୍ୱରେ ଦେଶରେ ମଜବୁତ ସରକାର ଗଢ଼ିବାକୁ ପଡ଼ିବ । ଦେଶକୁ ସୁରକ୍ଷିତ ରଖିବାକୁ ହେଲେ କେନ୍ଦ୍ରରେ ପୁଣି ମୋଦି ସରକାର ଦରକାର ।

କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଲେ, କେନ୍ଦ୍ରରେ ପୁଣି ମୋଦି ଏବଂ ଓଡ଼ିଶାରେ ବିଜେପି ସରକାର ଆଣିବାକୁ ହେବ । ବିକାଶ ପାଇଁ ଡବଲ୍‌ ଇଞ୍ଜିନ୍‌ ସରକାର ଦରକାର । ଓଡ଼ିଶାରେ ବିଜେପି ସରକାର ଆସିଲେ ଆଉ ରୋଗୀ କାନ୍ଧରେ କି ଖଟିଆରେ ବୁହା ହେବେନି ।  ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ତରାଇ ମଧ୍ୟ ବିଜେପିକୁ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ ।

ବିଧାୟକ ପ୍ରାର୍ଥୀମାନଙ୍କ ଭିତରୁ ମଧ୍ୟ ଭୁବନେଶ୍ୱରର ଜଗନ୍ନାଥ ପ୍ରଧାନ, ଏକାମ୍ର ଭୁବନେଶ୍ୱରର ବାବୁ ସିଂହ, ଉତ୍ତର ଭୁବନେଶ୍ୱରର ଅପରାଜିତା ମହାନ୍ତି, ଜଟଣୀର ବିଶ୍ୱରଞ୍ଜନ ବଡ଼ଜେନା, ବେଗୁନିଆର ରିଷବ ନନ୍ଦ, ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ, ପିପିଲିର ଆଶ୍ରିତ ପଟ୍ଟନାୟକ, ରଣପୁରର ସୁରମା ପାଢ଼ୀ, ଚିଲିକାର ପୃଥ୍ୱୀରାଜ ହରିଚନ୍ଦନ ଓ ସାଲେପୁରର ପ୍ରାର୍ଥୀ ପ୍ରକାଶ ବେହେରା ପ୍ରମୁଖ ମଞ୍ଚରୁ ଭୋଟ୍‌ ପାଇଁ ନିବେଦନ କରିଥିଲେ ।