ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ: ଲୁହାରଡ୍‌ରେ ପିଟି ସୁନା ବ୍ୟବସାୟୀଙ୍କୁ ଠାରୁ ଲୁଟିନେଲେ ୭୦୦ ଗ୍ରାମ ସୁନା, ୨୦ କିଲୋ ରୁପା ଓ ଲକ୍ଷେ ଟଙ୍କା

ଛତ୍ରପୁର, ୨୭/୦୮: ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ। ଛତ୍ରପୁର ସହରର ଜଣେ ସୁନା ବ୍ୟବସାୟୀଙ୍କୁ ଲୁହା ରଡ୍‌ରେ ମୁଣ୍ଡକୁ ପିଟି ମରଣାନ୍ତକ ଆକ୍ରମଣ ପରେ ଲୁଟ୍‌ । ପ୍ରାୟ ୭୦୦ ଗ୍ରାମ୍‌ ସୁନା ଅଳଙ୍କାର, ୨୦ କେଜି ରୁପା ସହ ନଗଦ ଲକ୍ଷେ ଟଙ୍କା ଲୁଟ୍‌ କରି ଦୁର୍ବୃତ୍ତ ପାର୍‌ । ସାଙ୍ଗରେ ଥିବା ତାଙ୍କ ପତ୍ନୀଙ୍କୁ ଭୟଭୀତ କରି ତାଙ୍କ ବେକରୁ ତିନି ଭରି ଓଜନର ସୁନା ହାର ଝାମ୍ପି ନେବାକୁ ଦୁର୍ବୃତ୍ତମାନେ ଭୁଲି ନଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସଙ୍କଟାପନ୍ନ ଅବସ୍ଥାରେ ସୁନା ବ୍ୟବସାୟୀଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ବୁଧବାର ରାତି ୯ଟା ୩୦ରେ ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ଗଳାଶଙ୍ଖ ନିକଟରେ ଘଟିଛି ଏଭଳି ଘଟଣା । ଖବର ପାଇ ଛତ୍ରପୁର ଥାନା ଆଇଆଇସି ପ୍ରିୟଷ ରଞ୍ଜନ ପୃଷ୍ଟି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛନ୍ତି ଛାନ୍‌ଭିନ୍‌ । ତେବେ ଲୁଟେରାଙ୍କ ଟେର୍‌ ପାଇନି ପୁଲିସ ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ଶାନ୍ତି ନଗର ସାଇ ବିହାରରେ ରହୁଛନ୍ତି ସୁନା ବ୍ୟବସାୟୀ ଦମ୍ପତି ଶରତ ଚନ୍ଦ୍ର ସାହୁ ଓ ଲକ୍ଷ୍ମୀପ୍ରିୟା ସାହୁ। ଛତ୍ରପୁର କପିଳ ସାହିରେ ଥିବା ତାଙ୍କ ଜ୍ୱେଲେରି ଦୋକାନ ବନ୍ଦ କରି ଆଜି ରାତି ୯ଟାରେ ସ୍କୁଟର ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ପଛରେ ଗୋଟିଏ ବାଇକ୍‌ରେ ଆସିଥିଲେ ୨ ଯୁବକ। ସେମାନେ ମୁହଁରେ ମୁଖା ପିନ୍ଧି ଥିଲେ। ଲୁଟ୍‌ ଟାର୍ଗେଟ୍‌ କରି ଘରଠାରୁ କିଛି ଦୂର ଗଳାଶଙ୍ଖ ନିକଟରେ ଦମ୍ପତିଙ୍କ ଉପରକୁ ଲଙ୍କାଗୁଣ୍ଡ ଫୋପାଡ଼ି ଥିଲେ। ସେ ସ୍କୁଟର ରଖି କିଛି ବୁଝିବା ପୂର୍ବରୁ ଶରତଙ୍କ ମୁଣ୍ଡ ଉପରକୁ ଲୁହା ରଡ୍‌ରେ ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ସେ ଧରିଥିବା ସୁନା ଗହଣା ଓ ନଗଦ ଟଙ୍କା ଝାମ୍ପି ନେଇଥିଲେ। ତାଙ୍କ ପତ୍ନୀଙ୍କୁ ଭୟଭୀତ କରି ପିନ୍ଧିଥିବା ୩ ଭରି ଓଜନର ସୁନା ହାର ନେଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ଏସବୁ କାମ ୨/୩ ମିନଟରେ ସାରି ବାଇକ୍‌ ଯୋଗେ କୋର୍ଟ ଷ୍ଟେସନ ରାସ୍ତାରେ ଚମ୍ପଟ୍‌ ମାରିଥିଲେ । ପାଟିତୁଣ୍ଡ ଶୁଣି କେତେକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ପୁଲିସକୁ ସୂଚନା ଦେଇଥିଲେ। ଆହତ ଦମ୍ପତିଙ୍କୁ ଡାକ୍ତରଖାନା ନେଇଥିଲେ।