ପୁଲିସ ପଞ୍ଝାରେ ଲୁଟେରା ପରିବାର: ମା’-ପୁଅ, ଝିଅ-ଜ୍ୱାଇଁ, ମାମୁଁ ଗିରଫ, ଗ୍ରୀଲ୍‌ ତାଡ଼ି କରୁଥିଲେ ଲୁଟ୍‌

କଟକ ୧୪/୧: ଗଲା ୩୧ ତାରିଖ ଅର୍ଥତ୍ ଜିରୋ ନାଇଟ୍‌ରୁ ଆରମ୍ଭ ହୋଇଥିବା ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି ଲାଲ୍‌ବାଗ ଓ ମର୍କତନଗର ଥାନା ପୁଲିସ । ୪ଟି ବଡ଼ ଧରଣର ଲୁଟ୍‌ ଘଟଣାରେ ସାମିଲ ଥିବା ଏକ କୁଖ୍ୟାତ ଲୁଟେରା ଦଳକୁ ପୁଲିସ ଧରିବାରେ ସଫଳ ହୋଇଛି । ଲୁଟେରା ଦଳର ଅଧିକାଂଶ ସଦସ୍ୟ ଗୋଟିଏ ପରିବାରର । ଗ୍ୟାଙ୍ଗ୍‌ର ମୁଖ୍ୟ କୁହାଯାଉଥିବା ଇମାମ୍‌ପଡ଼ା ବସ୍ତିର ଘାଣ୍ଟୁଆ ଓରଫ ଅନିଲ ଦାସ(୨୪) ସହିତ ଅନ୍ୟ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅନ୍ୟ ଅଭିଯୁକ୍ତମାନେ ହେଲେ ଇମାମ୍‌ପଡ଼ା ବସ୍ତିର ରାଜୁ ଜେନା(୨୭), ମନୋଜ କଶ୍ୟପ(୩୪), କଣ୍ଢେଇ ଓରଫ ସୁଜାତା ଦାସ(୨୨), ମିଲି ଓରଫ ମଲ୍ଲିକା ବିବି(୨୪), ଜଗା ଓରଫ ପୂର୍ଣ୍ଣ ଚନ୍ଦ୍ର ଦାସ(୨୩), ଗୀତା ଦାସ(୫୨), ମାମା ଓରଫ ସୋନି କସ୍ୟପ ଦାସ(୨୪) ।

ମିଳିଥିବା ସୂଚନା ଅନୁସାରେ, ସତୀଚୌରା ଛକରେ ଏସ୍‌ଜିବିଏଲ୍‌ ଗାଡ଼ି ଦୋକାନ ଅଛି । ୩ ତାରିଖ ସକାଳେ ସୋ’ରୁମ୍‌ ଖୋଲା ହେଲା ବେଳକୁ ତା’ ଭିତରେ ବହୁ ଜିନିଷପତ୍ର ଏଣେତେଣ ପଡ଼ିଛି । କ୍ୟାସ୍‌ ବକ୍ସ ତଡ଼ା ହୋଇ ସେଥିରୁ ୪ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ସୋ’ରୁମ୍‌ ଭିତରୁ କିଛି କମ୍ପ୍ୟୁଟର, ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ ଚୋରି ହୋଇଯାଇଛି । ଏନେଇ ସୋ’ରୁମ୍‌ ପକ୍ଷରୁ ନିର୍ଦ୍ଦେଶକ ସୁନିଲ କୁମାର ଗୁପ୍ତା ଲାଲ୍‌ବାଗ ଥାନାରେ ଏତଲା ଦେଲେ । ପୁଲିସ କେସ୍‌ ନମ୍ବର-୫ ରୁଜୁ କରି ତଦନ୍ତ ଆରମ୍ଭ କଲା । ସୋ’ ରୁମ୍‌ର ଉପର ପଟ ଗ୍ରୀଲ୍‌ ତାଡ଼ି କେହି ଭିତରେ ପଶି ଏହି ଲୁଟ୍‌ କରିଥିବା ପୁଲିସ ପ୍ରାଥମିକ ଭାବେ ଜାଣିବାକୁ ପାଇଲା । ଏହି କ୍ରମରେ ଜଣାପଡ଼ିଲାକି ଗତ ୩୧ ତାରିଖ ରାତିରେ ସତୀଚୌରା ଛକରେ ଥିବା ଆକ୍ସିସ୍‌ ବ୍ୟାଙ୍କ୍‌ ଓ କାଫ୍‌ଲା ଅନ୍ତର୍ଗତ ମହାନ୍ତି ପଡ଼ାରେ ସରୋଜ କୁମାର ସାହୁଙ୍କ ଘରେ ସମାନ ଢଙ୍ଗରେ କେହି ପଶି ଲୁଟ୍‌ପାଟ୍‌ କରିଛି ।

ସେହିପରି ମର୍କତନଗର ଥାନା ଅଞ୍ଚଳର ଏକ ମୋବାଇଲ୍‌ ଦୋକାନରେ ମଧ୍ୟ ଏଭଳି ଢଙ୍ଗରେ ଚୋରି ହୋଇଛି । ତେଣୁ ଏହି ସବୁ ଚୋରିକୁ ଏକ ସିରିଜ୍‌ ଚୋରି ବୋଲି ଧରିନେଇ ଲାଲ୍‌ବାଗ ଓ ମର୍କତନଗର ଥାନା ପୁଲିସ ତଦନ୍ତ କଲା । ଦୁଇ ଥାନାର ପୁଲିସ ସ୍ଥାନୀୟ ଅଞ୍ଚଳର କିଛି ପେସାଦାର ଚୋରଙ୍କ ଉପରେ ନଜର ରଖିଲା । ଏପରିକି ନିକଟ ଅତିତରେ ଜେଲ୍‌ରୁ ବାହାରିଥିବା କିଛି ଅପରାଧୀଙ୍କୁ ମଧ୍ୟ ପୁଲିସ ତାର ସ୍କାନର୍‌ରେ ରଖିଲା । ଗତ ଦୁଇ ଦିନ ପୂର୍ବେ ଇମାମ୍‌ପଡ଼ା ବସ୍ତିର କୁଖ୍ୟାତ ଲୁଟେରା ଘାଣ୍ଟୁଆ ଓରଫ ଅନିଲ ଦାସ ଉପରେ ପୁଲିସର ସନ୍ଦେହ ବଢ଼ିଥିଲା । ତେଣୁ ପୁଲିସ ତାକୁ ଧରିଆଣି ପଚରାଉଚରା କରିବାରୁ ଜିରୋ ନାଇଟ୍‌ରୁ ଆରମ୍ଭ ହୋଇଥିବା ସିରିଜ୍‌ ଲୁଟ୍‌ର ପର୍ଦ୍ଦାଫାସ ହେଲା । ଘାଣ୍ଟୁଆର ନିର୍ଦ୍ଦେଶରେ ଅନ୍ୟ ୭ ଜଣ ଅଭିଯୁକ୍ତ ଗିରଫ ହେଲେ ।

ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଫେରାର୍‌ ଅଛନ୍ତି । ତେବେ ଏସ୍‌ଜିବିଏଲ୍‌ ଲୁଟ୍‌ ଘଟଣାରେ ୨ ଲକ୍ଷ ୫୬ ହଜାର ୧ଶହ ଟଙ୍କା, ଗୋଟିଏ ଏଲ୍‌ଇଡି, ଗୋଟିଏ ଲାପ୍‌ଟପ୍‌, ଦୁଇଟି ମନିଟର ଓ ଗୋଟିଏ ମୋବାଇଲ୍‌ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କର ଅପରାଧ ଜଗତରେ ଏକ ଲମ୍ବା ତାଲିକା ରହିଛି । କେବଳ ଘାଣ୍ଟୁଆ ନାମରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି । ରାଜୁ ନାମରେ ୬ଟି, ଜଗା ନାମରେ ୪ଟି, କଣ୍ଢେଇ ନାମରେ ଦୁଇଟି, ଗୀତା ଦାସ ଓ ମନୋଜ ନାମରେ ଦୁଇଟି ଲେଖାଏଁ ମାମଲା ରହିଛି । ଏହି ଲୁଟେରା ଗ୍ୟାଙ୍ଗ୍‌ ଧରିବାରେ ଲାଲ୍‌ବାଗ ଥାନା ଅଧିକାରୀ ଆଶୁତୋଷ ମିଶ୍ର, ମର୍କତନଗର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର, ଏସ୍‌ଆଇ ଦୁର୍ଗେଶ ନନ୍ଦିନୀ ମହାନ୍ତି ଓ ଏସ୍‌ଆଇ ଚନ୍ଦ୍ରୀକା ସ୍ୱାଇଁ ପ୍ରମୁଖ ତଦନ୍ତରେ ସାମିଲ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ଜଳେଶ୍ୱର ଥାନା IIC ଧନେଶ୍ୱର ସାହୁ ନିଲମ୍ବିତ

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ପିକ୍‌ଅପ୍‌ ଧକ୍କାରେ ୨ ମୃତ

ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର