ଏନ୍‌କାଉଣ୍ଟର ପରେ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ; ଲୁଟୁଥିଲେ ଆଉ କରୁଥିଲେ ଅୟସ

ଭୁବନେଶ୍ୱର,୮ ।୮(ବ୍ୟୁରୋ): ରାଜଧାନୀରେ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ରବି ରାଓ ସମେତ ଗ୍ୟାଙ୍ଗ୍‌ର ୯ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ । ସେମାନଙ୍କ ଠାରୁ ୫ଟି ବନ୍ଧୁକ, ଗୁଳି, ୯ଟି କାର୍‌, ୮ଟି ବାଇକ୍‌, ୨୨୪ ଗ୍ରାମ ସୁନା ଅଳଙ୍କାର, ୫୦ ହଜାର ଟଙ୍କା, ବିପୁଳ ପରିମାଣର ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ପୁଲିସ ଜବତ କରିଛି । ସେମାନଙ୍କ କଳା କାରନାମା ସଂପର୍କରେ ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୁଲିସ । ଏହି ଗ୍ୟାଙ୍ଗ୍‌ ଲୁଟ୍‌ ଟଙ୍କାରେ ଅୟସ କରୁଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଡ. ସତ୍ୟଜିତ ମହାନ୍ତି କହିଛନ୍ତି ।

କମିଶନର ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ, ରବି ଗ୍ୟାଙ୍ଗ୍‌ ରାଜଧାନୀ ଓ ଆଖପାଖ ଜିଲ୍ଲାରୁ ଗତ ୪ ମାସ ଭିତରେ ପ୍ରାୟ ୧୧ଟି କାର୍‌ ଲୁଟିଥିଲେ । ନୂଆପଲ୍ଲୀ ଠାରୁ ଆରମ୍ଭ କରି ଖଣ୍ଡଗିରି, ସହିଦନଗର, ପୋଖରୀପୁଟ, ବାରଙ୍ଗ, କଟକ ମଧୁପାଟଣା, ଓ ତାଳଚେର ଆଦି ଅଞ୍ଚଳରୁ ଏହି କାରସବୁ ଲୁଟ୍‌ ହୋଇଥିଲା । ନୂଆପଲ୍ଲୀ ଥାନା ପୁଲିସ ୪ କାର୍‌ ଜବତ କରିବା ସହ ଏହି ଗ୍ୟାଙ୍ଗ୍‌ର ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ବିଭିନ୍ନ ଥାନା ଅଞ୍ଚଳରେ ହଣାକଟା, ଲୁଟ୍‌ପାଟ କରୁଥିଲେ । ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟିରେ ସିରିଜ ଲୁଟ୍‌ ଠାରୁ ଆରମ୍ଭ କରି ନଖରାରୁ ବ୍ୟାଙ୍କ୍‌ କର୍ମଚାରୀଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଲୁଟ୍‌ । ନୂଆପଲ୍ଲୀ ଅଞ୍ଚଳରୁ କାର୍‌ ସହ ବ୍ୟବସାୟୀଙ୍କୁ ଅପହରଣ, ଖଣ୍ଡଗିରିରୁ ଚାଳକଙ୍କୁ ଅପହରଣ କରି ଇନୋଭା କାର୍‌ ଲୁଟ୍‌, ଏୟାରପୋର୍ଟ ପୋଖରୀପୁଟରୁ ଡଷ୍ଟର କାର୍‌ ଲୁଟକୁ ନେଇ ପୁଲିସର ଚିନ୍ତା ବଢ଼ି ଯାଇଥିଲା । ସବୁଠାରୁ ବଳି ଯାଇଥିଲା ଜୁଲାଇ ୩୦ ତାରିଖରେ ତୃପ୍ତି ହୋଟେଲ୍‌ ମାଲିକଙ୍କୁ ହାଣି ଲୁଟ୍‌ ଓ ପୁରୀ ବାଇପାସ ରାସ୍ତାରେ ପୁରୁଣା କାର୍‌ ସୋ’ରୁମ୍‌ରେ ବ୍ୟବସାୟୀଙ୍କୁ ହାଣି ଡକାୟତି ଘଟଣା । ତେଣୁ ଅପରାଧୀଙ୍କୁ ସାବାଡ୍‌ କରିବା ପାଇଁ କମିଶନରେଟ୍‌ ପୁଲିସ ଆରମ୍ଭ କରିଥିଲା ତନାଘନା ।

ସ୍ପେଶାଲ୍‌ ସ୍କ୍ୱାଡ୍‌ ଏସିପି ସଞ୍ଜୀବ ଶତପଥି, ଏସିପି ଅନୁପ କାନୁନ୍‌ଗୋ ଓ ରାଜଧାନୀର ବଛାବଛା ଇନ୍ସପେକ୍ଟରଙ୍କୁ ନେଇ ୫ଟି ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରା ଯାଇଥିଲା । ପୁଲିସ ଜାଣିବାକୁ ପାଇଥିଲା, ନୂଆପଲ୍ଲୀରେ କାର୍‌ ଅପହରଣ ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ସହଯୋଗୀମାନେ ହିଁ ଏହି ସବୁ ଲୁଟ୍‌ପାଟ କରୁଥିଲେ । ଗିରଫ ୩ ଜଣଙ୍କ ଠାରୁ ୪ଟି କାର୍‌ ଜବତ ହୋଇଥିଲା । ତା’ପରେ ପୁଲିସ ଟାର୍ଗେଟ କରି ଏହି ଗ୍ୟାଙ୍ଗ୍‌ର ଅପରାଧୀଙ୍କୁ ଗୋଡ଼ାଇ ଗୋଡ଼ାଇ ଏନ୍‌କାଉଣ୍ଟର କରିଥିଲା । ଏହି ଗ୍ୟାଙ୍ଗ୍‌ ନାମରେ ରାଜଧାନୀ ସମେତ ଉପକଣ୍ଠ ଜିଲ୍ଲାମାନଙ୍କରେ ଲୁଟ୍‌, ଡକାୟତି ଠାରୁ ଆରମ୍ଭ କରି ହତ୍ୟା, ବୋମାମାଡ଼ ଆଦି ମାମଲା ରହିଛି । ସମସ୍ତ ଅଭିଯୁକ୍ତଙ୍କ ନାମରେ ୩୦ରୁ ଅଧିକ ଲେଖାଏଁ ମାମଲା ଥିବା କମିଶନର ଶ୍ରୀ ମହାନ୍ତି କହିଛନ୍ତି ।

୩୬ ଘଣ୍ଟାରେ ୫ ଜଣଙ୍କୁ ଏନ୍‌କାଉଣ୍ଟର
ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପଥରପେଣ୍ଠର ପୋଡ଼ା ଓରଫ ଅରୁଣ କୁମାର ମଲ୍ଲିକ(୪୨) ଓ କଟକ ଜିଲ୍ଲା ଆଠଗଡ଼ ଅରଣପାଟଣାର ବିକି ଓରଫ ବିବେକାନନ୍ଦ ନାୟକ(୨୨)କୁ କମିଶନରେଟ୍‌ ପୁଲିସ ପ୍ରଥମେ ଏନ୍‌କାଉଣ୍ଟର କରିଥିଲା । ରବିବାର ଭୋର ସମୟରେ ବଡ଼ଗଡ଼ ଚିଲିପୋଖରୀ କେନାଲ ରୋଡ୍‌ରେ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ନିଆଳିର ହରେକୃଷ୍ଣ ସ୍ୱାଇଁ(୨୪) ଓ ଆଠଗଡ଼ ରାଧାବଲ୍ଲଭପୁର ଉପରସାହିର ସିଲୁ ଓରଫ ସିପୁନ କବି(୨୯) ଆହତ ହୋଇଥିଲେ । ସେହିପରି ରବିବାର ବିଳମ୍ବିତ ସନ୍ଧ୍ୟାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁରରେ ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ଖାରବେଳନଗର ଶାନ୍ତିନଗରର କେ. ରବି ରାଓ(୩୪)କୁ ପୁଲିସ ଏନ୍‌କାଉଣ୍ଟର କରିଥିଲା ।

ଡିସିପିଙ୍କ ଟିମ୍‌କୁ ପ୍ରଶଂସା
ଏହି ବଡ଼ ଅପରାଧୀ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଥିବା ଭୁବନେଶ୍ୱର ଡିସିପି ଅନୁପ ସାହୁ ଓ ତାଙ୍କ ଟିମ୍‌କୁ ପୁଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରଶଂସା କରିଛନ୍ତି । ଡିସିପିଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାଡ୍‌ ଏସିପି ସଞ୍ଜୀବ ଶତପଥି, ଏସିପି ଅନୁପ କାନୁନ୍‌ଗୋ ଓ ସମସ୍ତ ଥାନା ଅଧିକାରୀ ଏହି ଗ୍ୟାଙ୍ଗକୁ ଧରିବାକୁ ଦିନରାତି ଏକ କରି ଦେଇଥିଲେ । ଫଳରେ କମିଶନରେଟ୍‌ ପୁଲିସକୁ ଏତେ ବଡ଼ ସଫଳତା ମିଳିଲା । ତେଣୁ ପୂରା ଟିମ୍‌କୁ କମିଶନର ଶ୍ରୀମହାନ୍ତି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ରାଜ୍ୟରେ ପୁଣି ୧୬ ଜୀବନ ନେଲା କୋଭିଡ୍, ମୃତ୍ୟୁସଂଖ୍ୟା ୧୨୪୫କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୩୩ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ପାର୍

ସୋମବାର ମହାପ୍ରଭୁଙ୍କ ସୁନାବେଶ