ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ପୁରୀ,୨୫/ ୧୧: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଆଭୂଷଣ ଓଲାଗି ପରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିବ। ଅବଢ଼ା ଯୋଜନାରେ ପୁରୀ ସହରରେ ପ୍ରସ୍ତାବିତ ସଂଗ୍ରହାଳୟରେ ବେଶକୁ ରଖାଯିବ। ଭକ୍ତମାନେ ବେଶ ଦେଖିବାର ସୁଯୋଗ ପାଇବେ। ଅଧିକାର ଆଧାରରେ ଓଲାଗି ନାଗାର୍ଜୁନ ବେଶର ଦାବିଦାର ଥିବା ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ କ୍ଷତିପୂରଣ ଦେବ। ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନାଗାର୍ଜୁନ ବେଶ ଆଭୂଷଣ ଅଗ୍ରଗତି ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ପ୍ରଶାସକଙ୍କ ଏହି ଘୋଷଣା ପରେ ଓଲାଗି ନାଗାର୍ଜୁନ ବେଶକୁ ନେଇ ଉପୁଜିଥିବା ଏକ ବଡ଼ ବିବାଦ ଟଳିଛି। ଯାହା ସୂଚନା ମିଳୁଛି ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ଚାରିପାଖକୁ ବ୍ୟାରିକେଡ୍‌ ମଧ୍ୟରେ ରଖାଯିବ। ଏହି ବ୍ୟାରିକେଡ୍‌ ଭିତରକୁ ଅଣସେବାୟତ, ଭକ୍ତ, ଦର୍ଶନାର୍ଥୀଙ୍କୁ ଛଡ଼ାଯିବ ନାହିଁ। ମହାପ୍ରସାଦ ଗାଡ଼ିକୁ କେବଳ ବ୍ୟାରିକେଡ୍‌ ଭିତରକୁ ପ୍ରବେଶ ଅନୁମତି ମିଳିବ। ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ରହିବ। ଶ୍ରୀମନ୍ଦିର ସେବାୟତ, ପୁଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଏହି ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ। ବିନା ଭକ୍ତରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ବିଧି ପାଳନ ହେଉଥିବାରୁ ନଭେମ୍ବର ୨୭ ତାରିଖ ୨୪ ଘଣ୍ଟା ପାଇଁ ଶ୍ରୀମନ୍ଦିର ଇଲାକାରେ ୧୪୪ ଧାରା ଭଳି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରଶାସନ ବିଚାର କରୁଛି।

ଛତିଶା ନିଯୋଗ ବୈଠକ ନିଷ୍ପତ୍ତି ନେଇଛି ସିଂହଦ୍ୱାର ବିଜେ ପତିତପାବନଙ୍କ ନାଗାର୍ଜୁନ ବେଶ ହେବ ନାହିଁ । ବିଗତ ବର୍ଷମାନଙ୍କରେ ଏଭଳି କିଛି ରେକର୍ଡ ନାହିଁ । ରେକର୍ଡ ଆଫ୍‌ ରାଇଟସ୍‌ରେ ମଧ୍ୟ ଏଭଳି କିଛି ମାର୍ଗଦର୍ଶିକା ନାହିଁ । ବିନାଭକ୍ତରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ବିଧି ସମ୍ପନ୍ନ କରିବାକୁ ଛତିଶା ନିଯୋଗ ବୈଠକ ସହମତି ଦେଇଛି । ନଭେମ୍ବର ୧୭ରେ ଉପସ୍ଥାପନ ହୋଇଥିବା ଶ୍ରୀମନ୍ଦିର ନାଗାର୍ଜୁନ ବେଶ ନୀତିକୁ ଛତିଶା ନିଯୋଗ ଆଜି ମୋହର ମାରିଛି । ନାଗାର୍ଜୁନ ବେଶକୁ ପଟୁଆରରେ ଆଣିବାକୁ ଏକ ରୂପରେଖ ପ୍ରଶାସନ ପ୍ରସ୍ତୁତ କରୁଛି ।

ନାଗାର୍ଜୁନ ବେଶ ଦିନ (ନଭେମ୍ବର ୨୭) ସେବାୟତ ତଥା ଡ୍ୟୁଟି କର୍ମଚାରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେଇ ପାରିବେ ନାହିଁ । ମଙ୍ଗଳବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ପରେ ମୁଖ୍ୟ ପ୍ରଶାସକ କହିଥିଲେ ନାଗାର୍ଜୁନ ବେଶ ଆଭୂଷଣ ଲାଗି ଏବଂ ସେବାପୂଜାରେ ଶୃଙ୍ଖଳାର ସହ ସମସ୍ତ ସେବାୟତ ସହଯୋଗ କରିବେ । ସେବାୟତଙ୍କୁ ମନ୍ଦିର ଭିତରକୁ ଦର୍ଶନ ପାଇଁ ଛଡ଼ାଯିବ । ଛଦ୍ମବେଶରେ ବା ସେବାୟତ ବେଶରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍‌ଲାଇନ ଦର୍ଶନ ପ୍ରସ୍ତାବକୁ ମଧ୍ୟ ବୈଠକରେ ସମର୍ଥନ ତଥା ଅନୁମତି ମିଳିନାହିଁ ।

ମୁଖ୍ୟ ପ୍ରଶାସକ କହିଛନ୍ତି, ନାଗାର୍ଜୁନ ବେଶ ଦିନ ନୀତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ବୋଲି ସେବାୟତ ନିଯୋଗର ପ୍ରତିଶ୍ରୁତି ମିଳିଛି । ୨୭ ତାରିଖ ରାତିରେ ନାଗାର୍ଜୁନ ବେଶ ହରଚଣ୍ଡୀ ସାହିରୁ ପଟୁଆରରେ ଆସିବ । ଏହି ବେଶ ପଟୁଆର ପାଇଁ ଆବଶ୍ୟକ ସମସ୍ତ ସହଯୋଗ ପୁଲିସ ଏବଂ ପ୍ରଶାସନ ଯୋଗାଇ ଦେବ । ବେଶ ଦିନ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ । ଶ୍ରୀମନ୍ଦିର ପ୍ରବେଶ ବେଳେ ଫୋନ୍‌ ଚେକିଂକୁ କଡ଼ାକଡ଼ି କରାଯିବ ।

ବୈଠକ ନିଷ୍ପତ୍ତି ସମ୍ପର୍କରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ବଲୱନ୍ତ ସିିଂ କହିଥିଲେ, ଭକ୍ତ ବିନା ରଥଯାତ୍ରା ବେଳେ ପୁରୀ ସହରବାସୀ ଏବଂ ସେବାୟତଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ମିଳିଥିଲା । ଚଳିତ ନାଗାର୍ଜୁନ ବେଶ ବିନା ଭକ୍ତରେ ସମ୍ପନ୍ନ ହେବ । ପୁରୀବାସୀ ରଥଯାତ୍ରା ଭଳି ପୁଣି ଥରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହିଦିନ ସ୍ୱତନ୍ତ୍ର ସୁରକ୍ଷାବଳୟରେ ଶ୍ରୀମନ୍ଦିରକୁ ରଖାଯିବ । ସହରବାସୀଙ୍କୁ କଷ୍ଟ ହେବା ଭଳି କଟକଣା ହେବ ନାହିଁ । ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରା ରକ୍ଷା ପାଇଁ ସମସ୍ତ ଉଦ୍ୟମ ହେବ ବୋଲି ସେ ସୂଚନା ଦେଇଛନ୍ତି ।