ଚୋରି ମୋବାଇଲ ଖୋଜିବ ସରକାରୀ ପୋର୍ଟାଲ, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ ୧୫/୯:ଚୋରି କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍‌କୁ ଫେରିପାଇବା ଏବେ ସହଜ ହେବ । କେନ୍ଦ୍ର ସରକାର ଶୁକ୍ରବାର ଏକ ପୋର୍ଟାଲର ଉନ୍ମୋଚନ କରିଛନ୍ତି, ଯାହାକି ଏ କ୍ଷେତ୍ରରେ ସହାୟକ ହେବ। ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହାର ଶୁଭାରମ୍ଭ କରିଛନ୍ତି । ଏହି ପୋର୍ଟାଲରେ ଜଣେ ବ୍ୟକ୍ତି ନିଜର ଚୋରି କିମ୍ବା ହଜି ଯାଇଥିବା ଫୋନ୍‌କୁ ନେଇ ରିପୋର୍ଟ କରିପାରିବେ । ଶୁକ୍ରବାର ମହାରାଷ୍ଟ୍ରରେ ଏହାକୁ ପାଇଲଟ୍‌ ଭିତ୍ତିରେ ଆରମ୍ଭ କରାଯାଇଛି । ପରେ ଏହାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯିବ । ରିପୋର୍ଟ କରିବା ପରେ ଉକ୍ତ ମୋବାଇଲ୍‌ର ଆଇଏମ୍‌ଇଆଇ ନମ୍ବରକୁ ବ୍ଲକ୍‌ କରି ଦିଆଯିବ । ଚୋର ଫୋନ୍‌କୁ ଚୋରି କରିନେବ ସିନା କିନ୍ତୁ ବ୍ୟବହାର କରିପାରିବନି ।

କିପରି କାର୍ଯ୍ୟ କରିବ:- ପ୍ରତି ମୋବାଇଲ ଫୋନ୍‌ରେ ଏକ ୧୫ ଟିକିଆ ଏକକ ନମ୍ବର ରହିଥାଏ । ଏହାକୁ ଇଣ୍ଟର୍‌ନ୍ୟାସ୍‌ନାଲ ମୋବାଇଲ ଇକ୍ୱିପ୍‌ମେଣ୍ଟ୍‌ ଆଇଡେଣ୍ଟିଟି(ଆଇଏମ୍‌ଇଆଇ) ନମ୍ବର କୁହାଯାଇଥାଏ । ଯେତେବେଳେ ଜଣେ ୟୁଜର କଲ୍‌ କରନ୍ତି ସେତେବେଳେ କଲ୍‌ ରେକର୍ଡରେ କଲର୍‌ଙ୍କ ଫୋନ୍‌ ନମ୍ବର ଏବଂ ଆଇଏମ୍‌ଇଆଇ ନମ୍ବର ଦେଖାଯାଇଥାଏ । ହ୍ୟାଣ୍ଡ୍‌ସେଟ୍‌ର ମୋବାଇଲ ନମ୍ବର ବଦଳିପାରେ କିନ୍ତୁ ଆଇଏମ୍‌ଇଆଇ ନମ୍ବର ବଦଳି ନ ଥାଏ ।

ଯଦି ଜଣଙ୍କ ମୋବାଇଲ ଫୋନ୍‌ ଚୋରି ହୋଇଯାଇଥାଏ କିମ୍ବା ହଜିଯାଏ ତାଙ୍କୁ ପ୍ରଥମେ ଏକ ଏଫ୍‌ଆଇଆର୍‌ ଦେବାକୁ ହେବ । ୧୪୪୨୨ ହେଲ୍‌ପଲାଇନ୍‌ ନମ୍ବର ଜରିଆରେ ଟେଲିକମ୍‌ ବିଭାଗକୁ ଏ ନେଇ ସୂଚିତ କରିବାକୁ ପଡ଼ିବ । ଡଟ୍‌ ଏହା ପରେ ଚୋରି ହୋଇଯାଇଥିବା ମୋବାଇଲ ଫୋନ୍‌କୁ ସବୁ ନେଟ୍‌ୱର୍କରୁ ବ୍ଲକ୍‌ କରିଦେବ । ଫଳରେ ଏହି ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ର ପୁନଃବ୍ୟବହାର ହୋଇପାରିବ ନାହିଁ ।

ଯଦି କେହି ଉକ୍ତ ଡିଭାଇସ୍‌କୁ ବ୍ୟବହାର କରିବାକୁ ଚେଷ୍ଟା କରିବେ ଟେଲିକମ୍‌ ସେବା ପ୍ରଦାନକାରୀ ନୂଆ ୟୁଜରଙ୍କୁ ତୁରନ୍ତ ଚିହ୍ନଟ କରିବ । ଏହା ପରେ ସେବା ପ୍ରଦାନକାରୀ ଉକ୍ତ ୟୁଜରଙ୍କ ତଥ୍ୟ ପୋଲିସ୍‌କୁ ପ୍ରଦାନ କରିବ । ପୋଲିସ ଏହା ପରେ ଚୋରି ମୋବାଇଲର ଠିକଣା ତଲାସ କରିବ । ଏହି ଫୋନ୍‌ର ସନ୍ଧାନରେ ସମସ୍ତ ପ୍ରମୁଖ ସେବା ପ୍ରଦାନକାରୀ ଯେପରି ବିଏସ୍‌ଏନ୍‌ଏଲ୍‌, ରିଲାଏନ୍ସ ଜିଓ, ଏୟାର୍‌ଟେଲ୍‌, ଭୋଡାଫୋନ୍‌, ଆଇଡିଆ ଆଦି ସାହାଯ୍ୟ କରିବେ ।
ଆଇଏମ୍‌ଇଆଇ ନମ୍ବରକୁ ବ୍ଲକ୍‌ କରିବା ପରେ ହ୍ୟାଣ୍ଡ୍‌ସେଟ୍‌ଟି ଆଉ ବ୍ୟବହାରଯୋଗ୍ୟ ରହିବ ନାହିଁ । ଏହାର ନକଲ ଆଉ କରି ହେବ ନାହିଁ ।

ଡଟ୍‌ ୨୦୧୭ରୁ ସେଣ୍ଟ୍ରାଲ ଇକ୍ୱିପ୍‌ମେଣ୍ଟ୍‌ ଆଇଡେଣ୍ଟିଟି ରେଜିଷ୍ଟର(ସିଇଆଇଆର୍‌) ଉପରେ କାର୍ଯ୍ୟ କରୁଛି । ଏହା ଆଇଏମ୍‌ଇଆଇର ଏକ ଡାଟାବେସ୍‌ । ଏହାଦ୍ୱାରା ନକଲି ହ୍ୟାଣ୍ଡ୍‌ସେଟ୍‌ଗୁଡିକର ଚିହ୍ନଟ ହୋଇପାରୁଛି ।

   ସମ୍ବନ୍ଧିତ ଖବର


ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ମାତ୍ର ୧ ଟଙ୍କାରେ କିଣି ପାରିବେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା, ଜାଣନ୍ତୁ…

ବଜାରକୁ ଆସୁଛି Harley-Davidsonର ଇଲେକ୍ଟ୍ରିକ୍ ସାଇକେଲ୍, ଜାଣନ୍ତୁ କ’ଣ ରହିଛି ବିଶେଷ୍ବତ

ଆପଲ୍ ପରେ ଏବେ ସାମସଙ୍ଗ ବି ଦେବନି ଚାର୍ଜର ଓ ଇୟରଫୋନ୍…