ଶାରୀରିକ ସମ୍ପର୍କ ରଖି ଧୋକ୍କା ଦେଲା ପ୍ରେମିକ: ମୋବାଇଲ୍ ଫୋନରୁ ଖୋଲିଲା ଗୁମର, ମହିଳା ଥାନା ବି ଶୁଣିଲାନି ପୀଡିତାଙ୍କ ଗୁହାରୀ

ସମ୍ବଲପୁର,୧୪/୦୧ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ପ୍ରଥମେ ଶାରୀରିକ ସମ୍ପର୍କ ସ୍ଥାପନ । ଦୁଇ ଦୁଇ ଥର ଅନ୍ତଃସତ୍ତ୍ୱା ପରେ ବିଭିନ୍ନ ଆଳ ଦେଖାଇ ଗର୍ଭପାତ କରାଇବା ପରେ ପ୍ରେମିକ ଫେରାର୍‌ । ସେପଟେ,ପୀଡ଼ିତା ଏନେଇ ଦୁଇ ଦୁଇଟି ଥାନାରେ ଲିଖିତ ଅଭିଯୋଗ କରିବା ପରେ ବି ପୁଲିସ୍‌ ମାମଲା ରୁଜୁ ନକରି ଉକ୍ତ ଯୁବକ ମିଳିବା ପରେ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦର୍ଶାଇ ଫେରାଇ ଦେଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରର ହୀରାକୁଦ ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁସାରେ, ହୀରାକୁଦ ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ସେଠାକାର ଏକ କମ୍ପାନିରେ କାମ କରୁଥିବା ଜଣେ ଯୁବକ ସହ୨ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଶରୀରିକ ସମ୍ପର୍କ ମଧ୍ୟସ୍ଥାପନ ହୋଇଥିଲା । ବିବାହ କରିବାର ପ୍ରତିଶ୍ରୁତିଦେଇ ଉକ୍ତ ଯୁବକ ପ୍ରେମିକାକୁ ନେଇ ଧମା ନିକଟସ୍ଥ ଏକ ଢାବାକୁ ଯାଇ ସେଠାରେ ଶାରୀରିକ ସମ୍ପର୍କ ରଖୁଥିଲା । ଏହାରି ଭିତରେ ଯୁବତୀ ଜଣଙ୍କ ପ୍ରଥମ ଥର ଅନ୍ତଃସତ୍ତ୍ୱା ହୋଇଥିଲେ । ଯୁବକର କହିବାନୁସାରେ ସେ ଗର୍ଭପାତ ମଧ୍ୟ କରାଇଥିଲେ । ଦ୍ୱିତୀୟ ଥର ଅନ୍ତଃସତ୍ତ୍ୱା ହେବା ପରେ ବିବାହ ପାଇଁ ଆର୍ଥିକ ରହିଥିବା ଦର୍ଶାଇ ପୁଣି ଥରେ ଗର୍ଭପାତ କରାଇଥିଲା । କିଛି ଦିନ ତଳେ ଯୁବତୀଙ୍କୁ ନେଇ ପୁଣି ଥରେ ଉକ୍ତ ଢାବାକୁ ଯାଇଥିବା ସମୟରେ ତା’ ମୋବାଇଲ୍‌ରେ ଅନ୍ୟ ଯୁବତୀଙ୍କ ମେସେଜ୍‌ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଯୁବକ ପ୍ରେମ ସମ୍ପର୍କ ଛିନ୍ନ କରିଚାଲିଯାଇଥିଲା । ଏହା ପରେ ପୀଡ଼ିତା ତାଙ୍କୁ ଫୋନ୍‌ କରିଥିଲେ ବି ସେ ସ୍ୱୀକାର କରିନଥିଲାକି ଧରାଛୁଆଁ ଦେଇନଥିଲା । ଏପରିକି ସେ ଭେଟ ହେବା ପାଇଁ ଅଇଁଠାପାଲି ଛକକୁ ଡାକି ୮ ଘଣ୍ଟାଯାଏ ଆସିନଥିଲା । ଏହା ପରେ ପୀଡ଼ିତା ପ୍ରଥମେ ମହିଳା ଥାନା ଓ ପରେ ହୀରାକୁଦ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । କିନ୍ତୁ କୌଣସି ଥାନାରେ ଯୁବକ ବିରୋଧରେ ମାମଲା ରୁଜୁ ହୋଇନଥିଲା ।