ପ୍ରେମିକ ପାଇଁ ଭୁବନେଶ୍ବର ଆସିଲେ ପ୍ରେମିକା, ପ୍ରତାରକ ପ୍ରେମିକ ଦେଖା ନ ଦେଇ ମାରିଲା ଛୁ

ଭୁବନେଶ୍ୱର ୫/୯ : ଦୀର୍ଘ ୩ ବର୍ଷର ପ୍ରେମ । ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଭୁବନେଶ୍ୱର ଡକାଇଲା । ପ୍ରେମ ପାଇଁ ପାଗଳ ପ୍ରେମିକା ଜଣଙ୍କ ନିଜ ବାପା-ମା’ ଓ ଘରଦ୍ୱାର ଛାଡ଼ି କୋଲକାତାରୁ ଭୁବନେଶ୍ୱର ପଳାଇ ଆସିଲେ । ହେଲେ ପ୍ରତାରକ ପ୍ରେମିକ ଜଣଙ୍କ ଦେଖା ଦେଲାନି । ଭୁବନେଶ୍ୱର ରେଳଷ୍ଟେସନରେ ପାଗଳପ୍ରାୟ ହୋଇ ବୁଲୁଥିଲାବେଳେ ରେଳବାଇ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିଛି । ତାଙ୍କୁ ଏକ ସର୍ଟ ଷ୍ଟେ ହୋମ୍‌ରେ ରଖି ପୁଲିସ ସଂପୃକ୍ତ ପ୍ରେମିକଙ୍କ ବିଷୟରେ ପତ୍ତା ଲଗାଇବା ପାଇଁ ଚେଷ୍ଟା ଚଳାଇଛି । ଏହି ଘଟଣା ଆଜି ଭୁବନେଶ୍ୱର ଷ୍ଟେସନରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ବିହାରର ଜଣେ ଯୁବକ ଭୁବନେଶ୍ୱରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଛନ୍ତି । ୩ ବର୍ଷ ପୂର୍ବରୁ ସେ କୋଲକାତାରେ ପଢୁଥିଲେ । ସେଠାରେ ତାଙ୍କର ହାୱଡ଼ା ଅଞ୍ଚଳର ସ୍ୱପ୍ନା(ଛଦ୍ମନାମ, ୨୦)ଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପରେ ଯୁବକ ଜଣକ ଇଂଜିନିୟରିଂ ପଢିବାକୁ ଭୁବନେଶ୍ୱର ଚାଲି ଆସିଲେ । ଯୁବକ ଜଣକ ସ୍ୱପ୍ନାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ହଲେ ସ୍ୱପ୍ନାଙ୍କ ବାପା-ମା’ ମନା କରି ଦେଇଥିଲେ । ମାତ୍ର ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଗତକାଲି ଯୁବକ ଜଣଙ୍କ ସ୍ୱପ୍ନାଙ୍କୁ ଘରଛାଡ଼ି ଭୁବନେଶ୍ୱର ଚାଲି ଆସିବାକୁ କହିଥିଲେ ।

ପ୍ରେମ ପାଗଳୀ ସ୍ୱପ୍ନା ପ୍ରେମିକ କଥାରେ ପଡ଼ି ଟ୍ରେନ୍‌ରେ ଆଜି ସକାଳେ ଭୁବନେଶ୍ୱର ରେଳଷ୍ଟେସନରେ ଓହ୍ଲାଇଥିଲେ । ଏଠାରେ ପହଞ୍ଚି ସେ ପ୍ରେମିକଙ୍କୁ ଫୋନ୍‌ କରିବାରୁ ସେ ସ୍ୱପ୍ନାଙ୍କୁ ବିବାହ କରିବା ତ ଦୂର, ତାଙ୍କୁ ଦେଖା କରିବାକୁ ବି ମନା କରି ଦେଇଥିଲେ । ଏକଥା ଶୁଣି ସ୍ୱପ୍ନାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ସେ ପାଗଳ ପ୍ରାୟ ହୋଇ ଷ୍ଟେସନରେ ବୁଲୁଥିଲେ । ବାରମ୍ବାର ଫୋନ୍‌ କରୁଥିଲେ । ହେଲେ ପ୍ରେମିକ ମୋବାଇଲ୍‌ ସୁଇଚ୍‌ଅଫ୍‌ କରି ଦେଇଥିଲେ । ଯୁବତୀଙ୍କୁ ଷ୍ଟେସନରେ ବୁଲୁଥିବା ଦେଖି ରେଳବାଇ ପୁଲିସର ସନ୍ଦେହ ହୋଇଥିଲା ।

ସ୍ୱପ୍ନାଙ୍କୁ ଥାନାକୁ ନେଇ ପଚରାଉଚରା କରିବାରେ ଘଟଣା ପଦାକୁ ଆସିଲା । ଘରକୁ ନଫେରିବାକୁ ନିଷ୍ପତ୍ତି ନେଇଥିବା ସ୍ୱପ୍ନାଙ୍କୁ ପୁଲିସ ଯେତେ ବୁଝାଇଲେ ମଧ୍ୟ ସେ ଘରର ଠିକଣା କିମ୍ବା ଯୋଗାଯୋଗ ନମ୍ବର ଦେଇ ନଥିଲେ । ତେଣୁ ପୁଲିସ ସ୍ୱପ୍ନାଙ୍କୁ ନେଇ ଏକ ସର୍ଟ ଷ୍ଟେ ହୋମ୍‌ରେ ଛାଡ଼ିଛି । ସଂପୃକ୍ତ ଯୁବକଙ୍କ ମୋବାଇଲ୍‌ ନମ୍ବରକୁ ପୁଲିସ ଟ୍ରାକିଂ କରିବା ଆରମ୍ଭ କରିଥିବା ଥାନା ଅଧିକାରୀ ଭରତଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି