PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ରାଜଧାନୀର ଫୁସ୍ଫୁସରେ କ୍ଷତ, ଭରତପୁର ଜଙ୍ଗଲରେ କଂକ୍ରିଟର ଅନୁପ୍ରବେଶ

ଭୁବନେଶ୍ୱର,୨୬/୧ : ଭରତପୁର ଜଙ୍ଗଲ ରାଜଧାନୀର ଫୁସ୍‌ଫୁସ୍‌ ବୋଲି ଖୋଦ ସରକାର କହୁଛନ୍ତି । ହେଲେ ଏଥିରେ କ୍ଷତ ସୃଷ୍ଟି କରି ଚାଲିଛି ତଥାକଥିତ ବିକାଶ । ଜଙ୍ଗଲର ପ୍ରାୟ ୨୦୦୦ ଏକର ଜମିକୁ କଂକ୍ରିଟ ଦଖଲ କରି ସାରିଲାଣି । ସେଥିରେ ରାଜସ୍ୱ ଓ ଜଙ୍ଗଲ କିସମରେ ଛନ୍ଦି ହୋଇ ଆଗକୁ ଆହୁରି କ୍ଷତର ଆକାର ବଢ଼ିବା ଥୟ ହୋଇଛି । ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟର ଅଂଶ ଭାବେ ପରିଚିତ ଏହି ସବୁଜିମା ଉପରେ ଚାରିପଟୁ ଷଣ୍ଢୁଆସୀ ଆକ୍ରମଣ ।

ଚନ୍ଦକା ଅଭୟାରଣ୍ୟ ହାତୀ ମାନଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ ଏହି ଜଙ୍ଗଲ । ଏବେ ପ୍ରାୟ ୫୨୦୦ ଏକର ବିଶିଷ୍ଟ ଏହି କ୍ଷୁଦ୍ର ଜଙ୍ଗଲରେ ୩ଟି କ୍ଷୁଦ୍ର ହ୍ରଦ ରହିଛି । ବିସ୍ତୃତ ଅଞ୍ଚଳରେ ଭରି ରହିଛି କଣ୍ଟା ବାଉଁଶ ଜଙ୍ଗଲ । ତା’ ସହିତ ସହସ୍ରାଧିକ ତାଳ ଗଛ ସବୁଜିମାର ଗୁରୁତ୍ୱକୁ ବଢ଼ାଇ ଦେଇଛି । କନ୍ଦା ବାଉଁଶ ଓ ପାଚିଲା ତାଳ ଆକର୍ଷଣରେ ଏଠାକୁ ଗର୍ଭବତୀ ହାତୀମାନେ ଆସନ୍ତି । ସ୍ୱାଦିଷ୍ଟ ଓ ଉପାଦେୟ ଖାଦ୍ୟ ପାନୀୟ ପାଇ ଏଠାରେ ହାତୀ ଛୁଆ ଜନ୍ମ କରନ୍ତି । ୨ବର୍ଷ ପର୍ଯ୍ୟନ୍ତ ଜଙ୍ଗଲକୁ ଘର କରି ରହିବା ପରେ ପୁଣି ମୂଳ ଜଙ୍ଗଲକୁ ଛୁଆ ସହିତ ଫେରି ଯାଆନ୍ତି । ଏହା ବ୍ୟତୀତ ଜଙ୍ଗଲରେ ହଜାର ହଜାର ହରିଣ, ବାରହା, କୁଟୁରା, ବିଲୁଆ, ମୟୂର, ନେଉଳ, ଗୋଧି, ଝିଙ୍କ, ବଜ୍ରକାପ୍ତା, ବଣ କୁକୁଡ଼ା, ଅଜଗର ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ବିଚରଣ । କ୍ଷୁଦ୍ର ହେଲେ ବି ୨୧ ବର୍ଗ କିମିର ଏହି ସବୁଜିମା ରାଜଧାନୀ ଭୁବନେଶ୍ୱର ବାୟୁ ପ୍ରଦୂଷଣକୁ ଅନେକାଂଶରେ ନିୟନ୍ତ୍ରଣ କରି ଚାଲିଛି ।

ଦିନ ଥିଲା ଭରତପୁର ଜଙ୍ଗଲର ପରିସୀମା ପଟିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମାଳିମା ଠାକୁରାଣୀଙ୍କ ଠାରୁ ଅନ୍ଧାରୁଆ, କୁଜିମହଲ ଦେଇ ହାତୀମାନଙ୍କ କରିଡର(ଚଲାପଥ ସ୍ଥାନ) ରହିଥିଲା । ହେଲେ ଏହି କ୍ଷତ ସୃଷ୍ଟି କଲା ଅବ୍ୟବସ୍ଥିତ ବିକାଶ । ବର୍ତ୍ତମାନ ଥିବା ଜଙ୍ଗଲର ପୂର୍ବ ପଟେ ୬୬୫ ଏକର ଜଙ୍ଗଲ କିସମ ଜମି ଉପରେ ରାସ୍ତାଘାଟ କୋଠା ବାଡ଼ି ଆବୋରି ଯାଇଛି । ପଶ୍ଚିମ ପଟେ ଥିବା ହାତୀ କରିଡର ଆଉ ନାହିଁ କହିଲେ ଚଳେ । ଜଙ୍ଗଲ ବିଭାଗ ହାତୀ ଚଲାପଥ ବୋଲି ଲେଖିଛି । ହେଲେ ସେପଟେ ଭର୍ତ୍ତି ହୋଇଛି ସରକାରୀ, ବେସରକାରୀ ନିର୍ମିତ ଅସଂଖ୍ୟ କୋଠାବାଡ଼ି । ଜଙ୍ଗଲ ଜମି କିସମ ପରିବର୍ତ୍ତନ କରାଯାଇ ଆପାର୍ଟମେଣ୍ଟ, ପ୍ଲଟିଂ ସ୍କିମ୍‌ ଚାଲିଛି । ହାତୀ ବାଧ୍ୟ ହୋଇ ବାଡ଼ିବଗିଚା, ପାଚେରି ଭାଙ୍ଗି ଭରତପୁର ଜଙ୍ଗଲକୁ ଆସୁଛନ୍ତି । କୁହାଯାଉଛି ହାତୀମାନେ ଉତ୍ପାତ କରୁଛନ୍ତି ।

ଅନୁରୂପ ଭାବେ ଜଙ୍ଗଲର ଉତ୍ତରପଟେ ଚାରିଥାକିଆ ରାସ୍ତା ନିର୍ମାଣ ଚାଲିଛି । ବିପୁଳ ଜମିରୁ ଜଙ୍ଗଲ କଟାଯାଇ ଜୀବଜନ୍ତୁଙ୍କ ଯାତାୟାତରେ ବାଡ଼ ପକାଇ ଦିଆଯାଇଛି । ଏପଟେ ଦକ୍ଷିଣ-ପୂର୍ବ ପଟେ ଏକାମ୍ର କାନନ ପାର୍କ ବାବଦରେ ଜଙ୍ଗଲରୁ ପ୍ରାୟ ୫୦୦ ଏକର କାଟି ଅଲଗା କରି ଦିଆଯାଇଛି । ଏକାମ୍ର କାନନ ଭିତରେ ଥିବା ପ୍ରାକୃତିକ ହ୍ରଦଟି ଆଉ ବନ୍ୟଜୀବଙ୍କ ତୃଷା ମେଣ୍ଟାଇ ପାରୁନାହିଁ । ସବୁଠାରୁ ବଡ଼ ବିପଦ ଆସିଛି ଜଙ୍ଗଲର ଉତ୍ତର-ପଶ୍ଚିମ ପଟେ । ରାଜସ୍ୱ ରେକର୍ଡ ମୁତାବକ ଭରତପୁରରେ ଜଙ୍ଗଲ କିସମ ଜମିର ପରିମାଣ ମାତ୍ର ୧୭୫୦ ଏକର । ଉତ୍ତରପଟେ ଥିବା ଜଗନ୍ନାଥପ୍ରସାଦ ରାଜସ୍ୱ ଗ୍ରାମ ଭରତପୁର ଜଙ୍ଗଲ ପରିସୀମାରେ ରହିଛି ସତ, କିନ୍ତୁ ତାହାର କିସମ ଜଙ୍ଗଲ ଜମି ଭାବେ ରହିନାହିଁ । ଜଗନ୍ନାଥ ପ୍ରସାଦ ପଟେ ପ୍ରାୟ ୫୦୦ ଏକର ପରିମିତ ଜମିରେ ତାଳ ଜଙ୍ଗଲ । ହାତୀମାନେ କଅଁଳିଆ ତାଳପତ୍ର ଓ ଫଳ ଖାଇବା ଲାଗି ସବୁବେଳେ ଏହିପଟେ ରହିଥାନ୍ତି । ହେଲେ ଜଙ୍ଗଲ କିସମ ନଥିବାରୁ ସେପଟେ କଂକ୍ରିଟ୍‌ର ଅନୁପ୍ରବେଶ ହେବାର ଆଶଙ୍କା ଉପୁଜିଛି । ଏହାବାଦ୍‌ ପଶ୍ଚିମ ଜଙ୍ଗଲ ସୀମାକୁ ଲଗାଇ ୩-୪ଟି ଆପାର୍ଟମେଣ୍ଟ ମୁଣ୍ଡ ଟେକିଲାଣି । ସଂରକ୍ଷିତ ଜଙ୍ଗଲ କଡ଼ରେ ନିୟମକୁ ଜଳାଞ୍ଜଳି ଦେଇ ଏଭଳି ନିର୍ମାଣକୁ ପ୍ରଶୟ ଦିଆଯାଉଛି । ଏହିଭଳି ଭାବେ ଜଙ୍ଗଲର ସୀମା ଧୀରେ ଧୀରେ ସଂକୁଚିତ ହୋଇଆସୁଛି ।

ଯେଉଁ ହାରରେ ଭରତପୁର ଜଙ୍ଗଲ ନଷ୍ଟ ଚାଲିଥିଲା, ସେଥିରେ ଏହାର ସମ୍ପୂର୍ଣ୍ଣ ବିଲୟ ହେବା ଆଶଙ୍କା ଦେଖା ଦେଇଥିଲା । ହେଲେ ୨୦୧୯ ମସିହା ମାର୍ଚ୍ଚ ୭ ତାରିଖରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏକ ଭଲ ପଦକ୍ଷେପ ନେଲେ । ଭରତପୁର ଜଙ୍ଗଲକୁ ପର୍ଯ୍ୟଟନଧର୍ମୀ କରିବା ଲାଗି ସେଠାରେ ଜଙ୍ଗଲ ସଫାରୀ ବ୍ୟବସ୍ଥା ଲାଗୁ କରିଦେଲେ । ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ପୂର୍ବରୁ ଥିବା ବାଡ଼ ଉପରେ ମଜବୁତ ବାର୍ବେଡ୍‌ ୱେର୍‌ ଲଗାଇ ଦେଲେ । ଫଳରେ ଜଙ୍ଗଲର କ୍ଷତ କିଛି ମାତ୍ରାରେ ଉପଶମ ହୋଇଛି । ଜଙ୍ଗଲ ଭିତରେ ମଣିଷଙ୍କ ବାସସ୍ଥାନ ନଥିବାରୁ ଚନ୍ଦକା ଅପେକ୍ଷା ଏଠାରେ ଅଧିକ ସଂଖ୍ୟକ ହାତୀ ରହୁଛନ୍ତି । ବର୍ତ୍ତମାନ ଏଠି ୧୪ଟି ହାତୀ ଅଛନ୍ତି । ଲୋକେ ସଫାରି ଗାଡ଼ିରେ ଚଢ଼ି କଂକ୍ରିଟ ଜଙ୍ଗଲ ପରିସରରେ ବନ୍ୟଜୀବଙ୍କୁ ଦେଖି ଖୁସି ହେଉଛନ୍ତି ।