ଅଧରାତିରେ ଲୁଟେରାଙ୍କ ଆତଙ୍କ: ବାଇକ୍ ଆରୋହୀଙ୍କୁ ହାଣି ସୁନାଚେନ୍ ଓ ଟଙ୍କା ଲୁଟିଛନ୍ତି

ଭୁବନେଶ୍ୱର,୧୪ ।୩(ବ୍ୟୁରୋ): ରାଜଧାନୀରେ ଅଧରାତିରେ ଲୁଟେରା ଆତଙ୍କ ଖେଳାଉଛନ୍ତି । ଯାହାକୁ ପାରୁଛନ୍ତି ହଣାମରା କରି ଲୁଟୁଛନ୍ତି । ବୁଧବାର ଅଧ ରାତିରେ ଦୁଇ ଦୁଇଟି ସ୍ଥାନରେ ପ୍ରାଣାନ୍ତକ ଆକ୍ରମଣ କରି ଲୁଟ୍ପାଟ କରିଛନ୍ତି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ଛକରେ ଜଣେ ବାଇକ୍ ଆରୋହୀଙ୍କୁ ଲୁଟିଥିବା ବେଳେ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାର ଛକରେ ଜଣେ ବାଇକ୍ ଆରୋହୀଙ୍କୁ ହାଣି ସୁନାଚେନ୍ ଓ ଟଙ୍କା ଲୁଟି ନେଇଛନ୍ତି । ତେବେ ପଳାଶୁଣି ଛକ ଲୁଟ୍ପାଟ ଘଟଣାରେ ମଞ୍ଚେଶ୍ୱର ଥାନା ପିସିଆର ପୁଲିସ ରାତାରାତି ୨ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସେମାନେ ହେଲେ ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗର ସତ୍ୟକାଳୀ ବସ୍ତିରେ ରହୁଥିବା କଟକ କିଶନନଗରର ହବିବ୍ ଓରଫ ହବିବୁର୍ ରହେମନ୍(୨୨) ଓ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ସୌମ୍ୟରଞ୍ଜନ ଦାସ(୨୬) । ଖସି ଯାଇଥିବା ଅଭିଯୁକ୍ତଙ୍କ ନାମ ହେଉଛି ଦେବାଶିଷ ପ୍ରଧାନ । ସୂଚନା ଅନୁଯାୟୀ, ଯାଜପୁର କୁଆଖିଆର ସୌମ୍ୟରଞ୍ଜନ ଦାସ(୨୬) ଗତକାଲି ରାତିରେ ତାଙ୍କ ସାଙ୍ଗଙ୍କୁ ଷ୍ଟେସନରେ ଛାଡ଼ି ବାଇକ୍ରେ ଚକେଇସିଆଣି ଫେରୁଥିଲେ । ରାତି ୧ଟା ବେଳେ ସେ ପଳାଶୁଣି ଛକ ନିକଟରେ ହଠାତ୍ ୩ ଜଣ ଯୁବକ ଏକ ବାଇକ୍ (ଓଡି୦୨ ଭି-୦୫୦୧)ରେ ଆସି ତାଙ୍କୁ ଅଟକାଇଥିଲେ । ସେ କିଛି ବୁଝିବା ପୂର୍ବରୁ ତାଙ୍କୁ ୩ ଜଣ ମିଶି ମାଡ଼ ମାରି ତାଙ୍କ ପକେଟ୍ରୁ ୫ ହଜାର ଟଙ୍କା ଥିଲା ଲୁଟିନେଇ ପଳାଇଥିଲେ । ଏହି ସମୟରେ ମଞ୍ଚେଶ୍ୱର ଥାନା ପିସିଆର ପୁଲିସ ସେଠାରେ ପହଞ୍ଚି ଲୁଟେରାଙ୍କ ପିଛା କରିଥିଲା । ପ୍ରଥମେ ପିସିଆର ପୁଲିସ ହବିବୁରକୁ କାବୁ କରିବାରେ ସଫଳ ହୋଇଥିଲା । ହବିବୁରଙ୍କ ଠାରୁ ୫ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ ସେ ବ୍ୟବହାର କରୁଥିବା ବାଇକ୍ ଜବତ କରିଥିଲା । ଥାନାରେ ହବିବୁରଙ୍କୁ ଜେରା ବେଳେ ସେ ତାଙ୍କ ସହଯୋଗୀ ସର୍ବେଶ୍ୱର ଓ ଦେବାଶିଷଙ୍କ ନାମ କହିଥିଲା । ପୁଲିସ ରାତାରାତି ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଚଢ଼ଉ କରି ସର୍ବେଶ୍ୱରକୁ ଗିରଫ କରିଥିଲା । ସୌମ୍ୟଙ୍କ ଅଭିଯୋଗକ୍ରମେ ଆଜି ପୁଲିସ ହବିବୁର ଓ ସର୍ବେଶ୍ୱରଙ୍କୁ କୋର୍ଟ ଚାଲାଣ କରିଥିଲା । ଫେରାର୍ ଥିବା ଦେବାଶିଷଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।