ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ

ପୁରୀ: ପୁରୀ ଜିଆର୍‌ପି ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ପାଇଁ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ଫାଣ୍ଡିବାବୁ କର୍ମଚାରୀ ଲଗାଇ ଯୁବକଙ୍କୁ ସର୍ବସମ୍ମୁଖରେ ପିଟିଛନ୍ତି । ଷ୍ଟେସନ୍‌ ସମ୍ମୁଖରେ ପୁଲିସ ମାଡ଼ରେ ଆହତ ଯୁବକ ହେଲେ, ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ଗୋପାଳପୁରର ଅଜୟ କୁମାର ସେନାପତି (୩୭) । ଆହତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କୁମ୍ଭାରପଡା ଥାନା ସହ ରେଲ୍‌ୱେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ହୋଇଛି ଯେ, ଅଜୟ ଶୁକ୍ରବାର ରାତି ୯ଟାରେ ରେଳ ଷ୍ଟେସନ୍‌ ସମ୍ମୁଖ ଏଟିଏମ୍‌ ବୁଥ୍‌କୁ ଟଙ୍କା ଉଠାଇବା ପାଇଁ ଯାଉଥିଲେ । ଷ୍ଟେସନ୍‌ଆଡକୁ ବାଇକ ଯୋଗେ ଯାଉଥିବାବେଳେ ମନୁମେଣ୍ଟାଲ୍‌ ଫ୍ଲାଗ୍‌
ନିକଟରେ ଭ୍ୟାନ୍‌ରେ ବସିଥିଲେ ଜିଆର୍‌ପି ଫାଣ୍ଡି ଅଧିକାରୀ କରନ୍‌ ମାରାଣ୍ଡି । ବାବୁଙ୍କ ନିକଟରେ ଭ୍ୟାନ୍‌ ଡ୍ରାଇଭର୍‌ ସହ କିଛି କନେଷ୍ଟବଳ ଥିଲେ । ପୁଲିସ କର୍ମଚାରୀମାନେ ପ୍ରଥମେ ଅଜୟଙ୍କ ବାଇକ ଅଟକାଇଥିଲେ ।
ରାତିରେ ଷ୍ଟେସନ୍‌ ଆଡେ କାଇଁ ଯାଉଥିବା ପଚାରିଥିଲେ । ଅଜୟ କହିଥିଲେ ମୁଁ ଟଙ୍କା ଉଠାଇବା ପାଇଁ ଏଟିଏମ୍‌ ବୁଥ୍‌କୁ ଯାଉଛି । ଏହାପରେ ପୁଲିସ କର୍ମଚାରୀଙ୍କ ବାଣୀ ଆରମ୍ଭ ହୋଇଯାଇଥିଲା । ସେମାନେ ଅଜୟଙ୍କ ଚଉଦ ପୁରୁଷ ଉଝାଳିଥିଲେ । ତେଣୁ ଏହାକୁ ବିରୋଧ କରିଥିଲେ ଅଜୟ । ବାସ୍‌ ଏହାପରେ କର୍ମଚାରୀମାନେ ଉଚ୍ଚ ଶବ୍ଦରେ ଗାଳି କରିବା ଆରମ୍ଭ କରିବାବେଳେ ଭ୍ୟାନ୍‌ରୁ ଫିଲ୍ମ ଷ୍ଟାଇଲ୍‌ରେ ଓହ୍ଲାଇଲେ ଫାଣ୍ଡିବାବୁ । ଚିହିଁକି ଯାଇ ଅଜୟଙ୍କୁ ଏକ ଶକ୍ତ ଚାପୁଡା ମାରିଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ସହ ଯୁକ୍ତି କରୁଛୁ, ଦେଖିବୁ କ’ଣ ଅବସ୍ଥା ହେବ ବୋଲି କହିଥିଲେ ବାବୁ ।

ଏଥିରେ ଅଜୟ କହିଥିଲେ ଆଜ୍ଞା ମୋର୍‌ ଭୁଲ୍‌ କୋଉଠି ରହିଲା ଯେ ମାରିଲେ ମୋତେ । ଉପସ୍ଥିତ ଲୋକଙ୍କ ସମ୍ମୁଖରେ ବାବୁଙ୍କୁ ପ୍ରଶ୍ନ ପଚାରିଦେଲେ ଅଜୟ । ଏଥର ଇଗୋ ସମ୍ଭାଳି ପାରିଲେ ନାହିଁ ଫାଣ୍ଡିବାବୁ । ତାଙ୍କ କର୍ମଚାରୀଙ୍କୁ କହିଥିଲେ ଦେ ଦି ବାଡି । ହେଲେ ବାବୁଙ୍କ ପାଟିରୁ କଥା ସରିବା ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା ଲାଠିଚାର୍ଜ । ଅଜୟଙ୍କୁ କଲବଲ କରି ପିଟି ପକାଇଲେ ଭ୍ୟାନ୍‌ ଡ୍ରାଇଭର୍‌ ଓ କନେଷ୍ଟବଳ । ନେହୁରା ହେବା ପରେ ପୁଲିସ ତାଙ୍କୁ ଛାଡିଥିବା ସେ କହିଛନ୍ତି । ପରେ ଅଜୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ନୋଳା ବସି ନାଲି ପଡି ଯାଇଥିଲା । ଚିକିତ୍ସା ପରେ ଶନିବାର ଅଜୟ ଏନେଇ ବିଭିନ୍ନ ମହଲରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳ କୁମ୍ଭାରପଡା ଥାନା ସୀମା ହୋଇଥିବରୁ ଏହି ଥାନାରେ ଏତଲା ଦେଇଛନ୍ତି ଅଜୟ । ପରେ ଏନେଇ ଅଜୟ ରେଲ୍‌ୱେ ଏସ୍‌ପିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ଫାଣ୍ଡିବାବୁ ଶ୍ରୀ ମାରାଣ୍ଡି କହିଛନ୍ତି ଯେ, ମୁଁ କାହାକୁ ମାରିନି । ତାକୁ ମୋ ପାଖକୁ ପଠାନ୍ତୁ । ଯୁବକ ମିଛ କହିଛି ବୋଲି ସେ କହିଛନ୍ତି । ଏନେଇ ରେଲ୍‌ୱେ ଏସ୍‌ପି ଅଶୋକ ବିଶ୍ୱାଳ କହିଛନ୍ତି ଯେ, ମାଡ ମାରିବା କଥା ନୁହେଁ । ବୁଝାଇବା ଜରୁରି । ଏନେଇ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ଶ୍ରୀ ବିଶ୍ୱାଳ କହିଛନ୍ତି ।