ମଦ ହୋମ୍‌ ଡେଲିଭରି ପାଇଁ ପୋର୍ଟାଲ୍‌ ଖୋଲିଲେ ସରକାର, ଖୁବ୍‌ ଶୀଘ୍ର ଆସିବ ମୋବାଇଲ୍‌ ଆପ୍‌

କଟକ, ୨/୦୬: ଏଣିକି ୱେବ୍‌ସାଇଟ୍‌ରେ ବୁକ୍‌ କଲେ ସିଧା ଘରେ ପହଞ୍ଚିବ ମଦ । ଆଉ ପୂର୍ବଭଳି ମଦ ଦୋକାନୀଙ୍କୁ ଫୋନ୍‌ କରିବା ଦରକାର ନାହିଁ ବା ହ୍ୱାଟସ୍‌ଆପ୍‌ରେ ମେସେଜ୍‌ କରିବାର ଆବଶ୍ୟକତା ପଡ଼ିବନି । ମଦର ହୋମ୍‌ ଡେଲିଭରି ପାଇଁ ଏଭଳି କିଛି ନୂଆ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ନୂଆ ବ୍ୟବସ୍ଥା ଅନୁସାରେ, ରାଜ୍ୟ ପାନୀୟ ନିଗମ ପକ୍ଷରୁ ଏକ ୱେବ୍‌ସାଇଟ୍‌ ପ୍ରସ୍ତୁତ କରାଯାଇଛି ।

ଏହି ୱେବ୍‌ସାଇଟ୍‌ରେ ଗ୍ରାହକ ନିଜ ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରିବା ପରେ ମଦର ଡେଲିଭରି ପାଇଁ ଅର୍ଡର ଯାଇ ଦୋକାନୀ ପାଖରେ ପହଞ୍ଚିଯିବ । ଏହାର କିଛି ସମୟ ଭିତରେ ଦୋକାନୀ ତାଙ୍କ କର୍ମଚାରୀ ବା ଖାଦ୍ୟ ଯୋଗାଣକାରୀ ସଂସ୍ଥା ଜରିଆରେ ଆବଶ୍ୟକୀୟ ମଦ ଗ୍ରାହକ ପାଖରେ ପହଞ୍ଚାଇ ଦେବେ । ଏଥିପାଇଁ ଗ୍ରାହକଙ୍କୁ ଓଡ଼ିଶା ଷ୍ଟେଟ୍‌ ବିଭରେଜ୍‌ କର୍ପୋରେସନ୍‌ର ୱେବ୍‌ସାଇଟ୍‌ (ଓଏସ୍‌ବିସିଏସ୍‌)କୁ ଯିବାକୁ ପଡିବ । ୱେବସାଇଟ୍‌ ଖୋଲିବା ପରେ ସେଥିରେ କନ୍‌ଜୁମର୍‌ ଲଗ୍‌ଇନ୍‌ ମିଳିବ ।

ଏହି ଲଗ୍‌ଇନ୍‌ରେ ପ୍ରଥମେ ଗ୍ରାହକଙ୍କୁ ନାଁ ଓ ମୋବାଇଲ୍‌ ନମ୍ବର ଦେବାକୁ ପଡିବ । ଏହା ପରେ ଫୋନ୍‌କୁ ଏକ ଓଟିପି ଆସିବ । ଏହି ଓଟିପି ପ୍ରଦାନ କରିବା ପରେ ସ୍କ୍ରିନ୍‌ରେ କେଉଁ ଜିଲ୍ଲାରେ ଗ୍ରାହକଙ୍କର ଘର ଓ ପୋଷ୍ଟାଲ୍‌ ପିନ୍‌ ଦେବାକୁ ପଡ଼ିବ । ଏହା ପରେ ଗ୍ରାହକଙ୍କ ଫୋନ୍‌କୁ ଏକ ପିନ୍‌ ନମ୍ବର ବା ପାସ୍‌ୱାର୍ଡ ଆସିବ । ଗ୍ରାହକ ପିନ୍‌ ନମ୍ବର ଓ ପାସ୍‌ ୱାର୍ଡ ଦେବା ପରେ ସ୍କ୍ରିନ୍‌ରେ କେଉଁ କମ୍ପାନୀର ମଦ ଆବଶ୍ୟକ ଓ କେତେ ପରିମାଣର ମଦ ଦରକାର ତାହାକୁ ପୂରଣ କରିବାକୁ ପଡ଼ିବ । ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିଅର ଓ ଅଢ଼େଇ ଲିଟର ବିଦେଶୀ ମଦ ବୁକ୍‌ କରିପାରିବେ । ଆବଶ୍ୟକୀୟ ମଦ ଓ ଦୋକାନ ଚୟନ କରି ସବ୍‌ମିଟ୍‌ ବଟନ୍‌ କ୍ଲିକ୍‌ କରିବା ପରେ ଅର୍ଡର ବୁକ୍‌ ହୋଇଯିବ ।

ଏଥି ସହିତ ମଦ ଦୋକାନୀ ଓ ଗ୍ରାହକଙ୍କ ପାଖକୁ ଏକ ଏସ୍‌ଏମ୍‌ଏସ୍‌ ଯିବ । ଏପରିକି କ୍ୟୁଆର୍‌ କୋଡ୍‌ ସହିତ ଏକ ଲିଙ୍କ୍‌ ମଧ୍ୟ ଏସ୍‌ଏମ୍‌ଏସ୍‌ ଜରିଆରେ ଗ୍ରାହକ ପାଖରେ ପହଞ୍ଚିଯିବ । ଏହି ଲିଙ୍କ୍‌ ଖୋଲିଲେ ବୁକ୍‌ ହୋଇଥିବା ମଦ, ମଦର ପରିମାଣ ଓ ଦୋକାନୀଙ୍କ ତଥ୍ୟ ମିଳିପାରିବ । ତେବେ ଏହି ଏସ୍‌ଏମ୍‌ଏସ୍‌ ଆସିବାର କିଛି ଘଣ୍ଟା ଭିତରେ ଦୋକାନୀ ତାଙ୍କ ସେଲ୍‌ସ୍‌ ବୟ କିମ୍ବା ପଞ୍ଜିକୃତ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଜରିଆରେ ଗ୍ରାହକଙ୍କ ପାଖରେ ମଦ ପହଞ୍ଚାଇ ଦେବେ ।

ଅନ୍ୟପଟେ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଆହୁରି ସରଳ କରିବା ପାଇଁ ପାନୀୟ ନିଗମ ଖୁବ୍‌ ଶୀଘ୍ର ଏକ ମୋବାଇଲ୍‌ ଆପ୍‌ ମଧ୍ୟ ଲଞ୍ଚ୍‌ କରିବାକୁ ଯୋଜନା ରଖିଛି । ଏହି ଆପ୍‌ ଏବେ ତିଆରି ଚାଲିଥିବା ସୂଚନା ମିଳିଛି । ଏହି ଆପ୍‌କୁ ଆଗାମୀ ଦିନରେ ଅନ୍‌ଲାଇନ୍‌ ମଦ ବ୍ୟବସ୍ଥାକୁ ଦୀର୍ଘ ମିଆଦି ସୂତ୍ରରେ ଚଲାଇ ରଖିବା ପାଇଁ ସରକାର ଯୋଜନା ରଖିଛନ୍ତି ।

   ସମ୍ବନ୍ଧିତ ଖବର


କୂଅରେ ପଡି ମାଆ ଏବଂ ଶିଶୁ ପୁତ୍ର ମୃତ – କାରଣ ଅସ୍ପଷ୍ଟ

ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡୋଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

ହାତୀ ମାଛ ପାଇଁ ପକାଥିଲେ ଜାଲ, ଧରା ପଡିଲା ଅଜଗର

ଶ୍ରୀଜଗନ୍ନାଥ ମନ୍ଦିରକୁ ଇଣ୍ଡିଆନ-ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ଆକ୍ରମଣ ଭୟ !

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ନାଗାର୍ଜୁନ ବେଶ ଆଭୂଷଣ ଅନୁକୂଳ