ରାତି ୧୦ରେ ମହାଦୀପ ଦର୍ଶନ, ଜଗିବେ ୨୨ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର,୩ ।୨ (ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ରକ୍ଷେତ୍ର । ଏହି ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ଆରମ୍ଭ ହୋଇଗଲାଣି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ । ରାତି ୧୦ ଟା ମହାଦୀପ ଦର୍ଶନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଭୋର ୩ ଟା ୩୦ରୁ ସକାଳ ୧୦ ଟା ୩୦ ଟା ଯାଏଁ ସାହଣ ମେଲା ଦର୍ଶନର ବ୍ୟବସ୍ଥା କରିଛନ୍ତି ମନ୍ଦିର ପ୍ରଶାସନ ।
ସେପଟେ ମନ୍ଦିରକୁ ସୁସଜ୍ଜିତ ଆଲୋକମାଳାରେ ସଜ୍ଜିତ କରାଯାଇଛି । ସେମବାର ଶିବରାତ୍ରି ପଡୁଥିବାରୁ ଅସମ୍ଭାଳ ଭିିଡ ହେବ ବୋଲି ଜଣାପଡ଼ିଛି । ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନଙ୍କ ପାଇଁ ଜିଗ୍ଜାଗ୍ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ପୁଲିସ୍ ବାହିନୀ ସୁରକ୍ଷା ବଳୟ ତିଆରି କରିଛନ୍ତି । ଯାତ୍ରାରେ ପ୍ରାୟ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ବାହାରେ ଗହଳି ସ୍ଥାନରେ ବରିଷ୍ଠ ପୁଲିସ୍ ଅଧିକାରୀ ଜଗିବେ । ଲୁଟେରାଙ୍କ ଉପରେ ନଜର ରଖିବାକୁ ସାଦା ପୋଷାକରେ ପୁଲିସ୍ ପଇଁତରା ମାରିବେ । ମୁଖ୍ୟ ମନ୍ଦିର ଗର୍ଭଗୃହରେ ମହିଳା ପୁଲିସ୍ ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମନ୍ଦିର ସମ୍ମୁଖ ଇଲେକ୍ଟ୍ରି ଛକ, ରଥଦାଣ୍ଡ, କୈବର୍ତ୍ତ ସାହି ଛକ, ବଢ଼େଇବାଙ୍କ ଛକ, ସାମନ୍ତରାପୁର ଆଦି ସ୍ଥାନରେ ଟ୍ରାଫିକ୍ ପୁଲିସ୍ ମୁତୟନ ରହିବେ । ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ସିସି ଟିଭି ପାଇଁ ସ୍ୱତନ୍ତ୍ର ପୁଲିସ୍ ଅଫିସର ଦାୟିତ୍ୱରେ ରହିବେ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବିଏମ୍ସି ପକ୍ଷରୁ ଭକ୍ତଙ୍କୁ ପାଣି ବୋତଲ ବଣ୍ଟନର ବ୍ୟବସ୍ଥା କରାଯାଇଛି ।