କଡ଼ ଲେଉଟାଉଛି ମହାରାଷ୍ଟ୍ର ରାଜନୀତି : ଚାଲିଛି ଘନଘନ ବୈଠକ ଓ ଆଲୋଚନା, ଲକ୍‌ଡାଉନ୍‌ ପଦକ୍ଷେପକୁ ନେଇ ମେଣ୍ଟରେ କେଁ

ମୁମ୍ୱାଇ,୨୭।୫ : କରୋନା ସଂକ୍ରମଣ ବୃଦ୍ଧି ସହ ତାଳ ଦେଇ ମହାରାଷ୍ଟ୍ର ରାଜନୀତି ବି ଜୋରଦାର ହେବାରେ ଲାଗିଛି । ମାତୋଶ୍ରୀ ଭବନରୁ ରାଜଭବନ ପର୍ଯ୍ୟନ୍ତ ଘନଘନ ବୈଠକ ଜାରି ରହିଛି । ଏନ୍‌ସିପି ମୁଖ୍ୟ ଶରଦ ପାୱାର ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଥିବା ବେଳେ ମାତୋଶ୍ରୀରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ମଧ୍ୟ ଦେଢ଼ଘଣ୍ଟା ଧରି ମନ୍ତ୍ରଣା କରିଛନ୍ତି । ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଶୀଘ୍ର ରାଜ୍ୟପାଳ କୋଶ୍ୟାରିଙ୍କୁ ଭେଟିବେ ବୋଲି ଜାଣିବାକୁ ମିଳିଛି । ପାୱାର କହିଛନ୍ତି, ଫଡ଼ନବିସ୍‌ ଏବେ ଅଧୈର୍ଯ୍ୟ ହୋଇପଡ଼ିଛନ୍ତି । କିନ୍ତୁ ସରକାର ନିରାପଦ ଅଛନ୍ତି ।

ମଙ୍ଗଳବାର ସକାଳେ ଶରଦ ପାୱାର ଏକ ବୟାନ ଜାରି କରି କହିଛନ୍ତି, ଉଦ୍ଧବ ସରକାର ନିରାପଦ । ସରକାରଙ୍କ ଉପରେ କୌଣସି ପ୍ରକାର ବିପଦ ନାହିଁ । କଂଗ୍ରେସର ସହାୟତା ଯୋଗୁ ସରକାର ସ୍ଥିର ରହିଛି । ଶାସନ ଗାଦିକୁ ନେଇ ଯେଉଁ ପ୍ରକାର ଆକଳନ କରାଯାଉଛି, ତାହାର କୌଣସି ଭିତ୍ତି ନାହିଁ । ରାଜ୍ୟପାଳଙ୍କୁ ଏଭଳି ଅଚାନକ ଭେଟିବାର କାରଣ ସମ୍ପର୍କରେ ପାୱାର କହିଛନ୍ତି, ରାଜ୍ୟପାଳଙ୍କୁ ଭେଟିବା ଜରୁରି ଥିଲା । କିନ୍ତୁ ଶିଷ୍ଟତା ଉଦ୍ଦେଶ୍ୟରେ ଏହି ସାକ୍ଷାତ ହୋଇଥିଲା । ତମାମ ପ୍ରସଙ୍ଗ ଉପରେ ତାଙ୍କ ସହ ଆଲୋଚନା ହୋଇଛି । କରୋନା ପ୍ରସଙ୍ଗକୁ ନେଇ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଛି । ମାଲେଗାଓଁରେ କରୋନା ସ୍ଥିତିକୁ ନେଇ ବି ଚର୍ଚ୍ଚା ହୋଇଛି ।

ରାଜ୍ୟ ରାଜନୀତି ବାବଦରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, କରୋନା ଚିକିତ୍ସା ଏବଂ ଠାକ୍‌ରେ ସରକାରକୁ ଗାଦିଚ୍ୟୁତ କରିବାର ଡୋଜ ଏ ପର୍ଯ୍ୟନ୍ତ ବିରୋଧୀମାନଙ୍କୁ ମିଳିନାହିଁ । କିନ୍ତୁ ଭଲ ହେବ ବିରୋଧୀମାନେ କ୍ୱାରେଣ୍ଟାଇନ ହୋଇ ରୁହନ୍ତୁ । ମହାରାଷ୍ଟ୍ରକୁ ଅସ୍ଥିର କରିବାର ପ୍ରୟାସ ଆଦୌ ସଫଳ ହେବନାହିଁ । ଯଦି ରାଜ୍ୟ ଏବଂ ଦେଶରେ ପାୱାରଜୀ ଓ ଉଦ୍ଧବଜୀଙ୍କ ଭଳି ପ୍ରମୁଖ ନେତା ଏକାଠି ବସି ଆଲୋଚନା କରନ୍ତି, ତେବେ କୌଣସି ପ୍ରକାର ଚିନ୍ତା କରିବା ଆବଶ୍ୟକ ନାହିଁ । କୋଭିଡ-୧୯ ସଂକଟର ମୁକାବିଲା ନେଇ ରାଜ୍ୟର ମେଣ୍ଟ ସରକାରରେ ଫାଟ ସୃଷ୍ଟି ହୋଇଥିବା ଘଟଣାକୁ ରାଉତ ଖଣ୍ଡନ କରିଛନ୍ତି । ମେଣ୍ଟ ସରକାର ମଜଭୁତ ରହିଛି । ବିରୋଧୀମାନେ ଏହାକୁ ନେଇ ଚିନ୍ତିତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । କୋଭିଡ୍‌ ଲକ୍‌ଡାଉନ୍‌ ପଦକ୍ଷେପକୁ ନେଇ କିଛି ମେଣ୍ଟ ବିଧାୟକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଇତିମଧ୍ୟରେ କରୋନା ମାମଲା ସଂଖ୍ୟା ୫୦ ହଜାର ପାର କରିସାରାଲାଣି । ପ୍ରତିଦିନ ରୋଗୀ ସଂଖ୍ୟା ହୁ ହୁ ହୋଇ ବଢୁଛି । ଏହାକୁ ନେଇ ପ୍ରମୁଖ ବିରୋଧୀ ଦଳ ବିଜେପି ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ମହାବିକାଶ ଅଘାଡ଼ି ଉପରେ ଆକ୍ରାମକ ହୋଇଉଠିଛି ।

   ସମ୍ବନ୍ଧିତ ଖବର


ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର