ଏଣିକି ପ୍ରତି ଜିଲ୍ଲାରେ ମହିଳା ପୁଲିସ୍‌ଙ୍କ ଲାଗି ନିର୍ମାଣ କରାଯିବ ବାରାକ୍‌

କଟକ,୧୩ା୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ପୁଲିସ୍‌ ଜିଲ୍ଲାରେ ଏଣିକି ମହିଳା ପୁଲିସ୍‌ଙ୍କ ଲାଗି ବାରାକ୍‌ ନିର୍ମାଣ କରାଯିବ । ଜିଲ୍ଲାରେ କେଉଁଠି ବାରାକ୍‌ ନିର୍ମାଣ କରାଯିବ ସେନେଇ ତୁରନ୍ତ ପ୍ରସ୍ତାବ ଦାଖଲ କରିବା ପାଇଁ ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ଶ୍ରୀ ଅଭୟ । କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରେ ଆୟୋଜିତ ଏକ ଭିଡିଓ କନ୍‌ଫରେନ୍‌ସିଂରେ ଡିଜି ଶ୍ରୀ ଅଭୟ ଏନେଇ ନିର୍ଦ୍ଦେଶ ଦେବା ସହ ରାଜ୍ୟ ପୁଲିସ୍‌ ବାହିନୀର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ରଣନୀତି ନେଇ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ଅବସରରେ ଡିଜି ଶ୍ରୀ ଅଭୟ ବିଧାନସଭାରେ ପଚାରା ଯାଉଥିବା ପ୍ରଶ୍ନର ଉତ୍ତର ଧାର୍ଯ୍ୟ ସମୟରେ ଦେବାକୁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ବିଧାନସଭା ଅଧିବେଶନ । ବିଧାନସଭା ଅଧିବେଶନ ଲାଗି ପୁଲିସ୍‌ ପ୍ରସ୍ତୁତି ଉପରେ ଭିଡିଓ କନ୍‌ଫରେନ୍‌ସିଂରେ ଆଜି ଗୁରୁତ୍ୱ ଦିଆଯାଇଥିଲା । ବିଶେଷକରି ବିଧାନସଭା ପ୍ରଶ୍ନର ଉତ୍ତର ଧାର୍ଯ୍ୟ ସମୟ ମଧ୍ୟରେ ପଠାଇବା ପାଇଁ ଏସ୍‌ପିମାନଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହାଇକୋର୍ଟର ବିଚାରଧୀନ ମାମଲା ସଂକ୍ରାନ୍ତୀୟ କାଗଜପତ୍ର ମଧ୍ୟ ଧାର୍ଯ୍ୟ ସମୟରେ ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ଲାଗି ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆଯାଇଛି । ସେହିପରି ପୁରୁଣା ମାମଲାର ତଦନ୍ତ ଶେଷ କରିବା, ସିସିଟିଏନ୍‌ଏସ୍‌ର ଅନ୍ତିମ (ଫାଇନାଲ୍‌) ରିପୋର୍ଟ ଦାଖଲ ଉପରେ ମଧ୍ୟ ଏସ୍‌ପିମାନଙ୍କୁ ଭିଡିଓ କନ୍‌ଫରେନସିଂରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ପୁଲିସ୍‌ ପଦୋନ୍ନତି ତାଲିକା, ପୁଲିସ୍‌ ପଦକ ପାଇଁ ଯୋଗ୍ୟ ଅଧିକାରୀଙ୍କ ନାଁ ଠିକ୍‌ ସମୟରେ ସୁପାରିସ କରିବା ଆଦି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ଅନ୍ୟପକ୍ଷରେ ଡିଜିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଚାଲିଥିବା ଏନ୍‌ବିଡବ୍ଲୁ ଧରପଗଡ଼ରେ ଧାର୍ଯ୍ୟ ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଗଞ୍ଜାମ ଜିଲ୍ଲା ଏସ୍‌ପି, କୋରାପୁଟ ଓ ଖୋର୍ଦ୍ଧା ଏସ୍‌ପିଙ୍କୁ ଭିଡିଓ କନ୍‌ଫରେନ୍‌ସିଂରେ ପ୍ରଶଂସା କରାଯାଇଥିଲା । ସେହିପରି ମାଓ ଉପଦ୍ରୁତ ଇଲାକାରୁ ବହୁ ସଂଖ୍ୟାରେ ବନ୍ଧୁକ, ଗୁଳି ଆଦି ମାରଣାସ୍ତ୍ର ଜବତ କରିବାରେ ସକ୍ଷମ ହୋଇପାରିଥିବାରୁ ମାଲକାନଗିରି ଏସ୍‌ପିଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି । ପୁଲିସ୍‌ ମୁଖ୍ୟାଳୟରେ ଆୟୋଜିତ ଏହି ଭିଡିଓ କନ୍‌ଫରେନ୍‌ସିଂରେ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ପୁଲିସ୍‌ ମୁଖ୍ୟାଳୟ ଏଡିଜି ବିନୟତୋଷ ମିଶ୍ର, ଲ ଆଣ୍ଡ ଅର୍ଡର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ୍‌ ଆଧୁନିକୀକରଣ ଆଇଜି ରେଖା ଲୋହାନୀ, ଆଇଜି ଜତୀନ୍ଦ୍ର କୋୟେଲ୍‌, ଆଇଜି ରାଜେଶ କୁମାର, ଆଇଜି ଅମିତେନ୍ଦ୍ରନାଥ ସିହ୍ନା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।

   ସମ୍ବନ୍ଧିତ ଖବର


ମଧୁସୂଦନ ସେତୁ ଛକ ନିକଟରେ ଆମ୍ବୁଲାନ୍ସ-ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ଟୁଇନ୍‌ ସିଟିରେ ଅମାନିଆଙ୍କୁ ସାବାଡ୍‌ ଅଭିଯାନ, ଉଠାଇଲେ ୨୩୧୫ ଗାଡି

କଟକ ପଟ୍ଟାପୋଲ ଅଞ୍ଚଳ ସିଲ୍‌,ସଂକ୍ରମଣ ଯାଞ୍ଚ୍‌ କରିବ ର‌୍ୟାପିଡ୍‌ ରେସପନ୍ସ ଟିମ୍

ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍