PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ପୁଲୱାମା ବିସ୍ଫୋରଣର ପ୍ରତିଶୋଧ: ପ୍ରକୃତ ମାଷ୍ଟରମାଇଣ୍ଡ ସହ ୩ ଆତଙ୍କୀ ନିହତ

source:www.indiatoday.in

ଶ୍ରୀନଗର,୧୦ ।୩(ଏଜେନ୍ସି): ଜମ୍ମୁ-କାଶ୍ମୀରର ପୁଲୱାମା ଜିଲା ତ୍ରାଲ୍‌ ଅନ୍ତର୍ଗତ ପିଙ୍ଗଲିସ ଗ୍ରାମରେ ଆଜି ସୁରକ୍ଷାକର୍ମୀଙ୍କ ସହିତ ହୋଇଥିବା ଏକ ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ଦୁଇଟି ଏକେ୪୭ ରାଇଫଲ ଓ ଗୋଟିଏ ପିସ୍ତଲ ଜବତ କରାଯାଇଛି । ସୁରକ୍ଷାକର୍ମୀ ସେଠାରେ ତଲାସି ଜାରି ରଖିଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ପୁଲୱାମା ବିସ୍ଫୋରଣର ପ୍ରକୃତ ମାଷ୍ଟରମାଇଣ୍ଡ ମୁଦାସିର ଅହମ୍ମଦ ଖାନ ଏବଂ ସେଥିରେ ବ୍ୟବହାର କରାଯାଇଥିବା କାର୍‌ର ମାଲିକ ସଜାଦ ଭଟ୍ଟ ବି ଅନ୍ତର୍ଭୁକ୍ତ । ଏହି ଦୁଇ ଜଣ କାଶ୍ମୀର ବାସିନ୍ଦା ହୋଇଥିଲାବେଳେ ତୃତୀୟ ଆତଙ୍କବାଦୀ ଜଣକ ପାକିସ୍ତାନର ନାଗରିକ ବୋଲି ଜଣାପଡିଛି । ତେବେ ମୁଦାସିର ଓ ସଜ୍ଜାଦ ଏଥିରେ ନିହତ ହେବା ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ସଫଳତା ବୋଲି ମନେ କରାଯାଉଛି । ସୁରକ୍ଷା ଏଜେନ୍ସିଗୁଡିକ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନ ଜୈସ-ଇମହମ୍ମଦର ସଦସ୍ୟ ମୁଦାସିର ଅହମ୍ମଦ ଖାନ ଓରଫ ମହମ୍ମଦ ଭାଇ ପୁଲୱାମା ବିସ୍ଫୋରଣର ଅସଲ ମାଷ୍ଟରମାଇଣ୍ଡ ଥିଲା । ପୂର୍ବରୁ ଜୈସର ଆଉ ଜଣେ ଆତଙ୍କବାଦୀ ଅବଦୁଲ ରସିଦ ଗାଜି ଓରଫ କାମରାନ ଏହାର ମାଷ୍ଟରମାଇଣ୍ଡ ଥିଲା ବୋଲି କୁହାଯାଉଥିଲା । କିନ୍ତୁ ଏନଆଇଏ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ଏପର୍ଯ୍ୟନ୍ତ କରାଯାଇଥିବା ତଦନ୍ତରୁ ମୁଦାସିର ହିଁ ଏହି ଷଡ଼ଯନ୍ତ୍ର ରଚନା କରିଥିଲା ବୋଲି ସ୍ପଷ୍ଟ ହୋଇଛି । ଏହି ଘଟଣା ପାଇଁ ମୁଦାସିର ହିଁ ବିସ୍ଫୋରକ ଏବଂ ଗାଡ଼ି ଯୋଗାଡ କରିଥିଲା । ପୁଲୱାମା ଜିଲାର ତ୍ରାଲ ଅନ୍ତର୍ଗତ ମୀର ମୋହଲ୍ଲାର ବାସିନ୍ଦା ମୁଦାସିର(୨୩ ବର୍ଷ) ର ବାପା ଜଣେ ଦିନ ମଜୁରିଆ । ମୁଦାସିର କିନ୍ତୁ ସ୍ନାତକ ଡିଗ୍ରୀ ହାସଲ କରିଛି ଏବଂ ତା’ ପରେ ଏକ ଆଇଟିଆଇରୁ ଇଲେକ୍ଟ୍ରିସିଆନ୍‌ ହେବା ପାଇଁ ବର୍ଷିକିଆ ଡିପ୍ଲୋମା କୋର୍ସ କରିଛି । ସେ ୨୦୧୭ରେ ପ୍ରଥମେ ଜୈସ ଆତଙ୍କବାଦୀଙ୍କୁ କିଛି ସହାୟତା କରିବା ଆରମ୍ଭ କରିଥିଲା । ପରେ ଜୈସର କମାଣ୍ଡର ନୁର ମହମ୍ମଦ ତାନ୍ତ୍ରେ ଓରଫ ନୁର ତ୍ରାଲି ଦ୍ୱାରା ପ୍ରଭାବିତ ହୋଇ ସେ ଜୈସରେ ଯୋଗ ଦେଇଥିଲା । ୨୦୧୭ ଡିସେମ୍ବରରେ ଏକ ଏନକାଉଣ୍ଟରରେ ତାନ୍ତ୍ରେ ନିହତ ହେବା ପରେ ୨୦୧୮ ଜାନୁଆରୀ ୧୪ରେ ମୁଦାସିର ନିଜ ଘର ଛାଡି ପଳାଇଥିଲା । ଗତ ମାସ ୧୪ ତାରିଖରେ ପୁଲୱାମାରେ ସିଆର୍‌ପିଏଫ୍‌ ଯବାନଙ୍କ କନଭୟ ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର ନିୟମିତ ଭାବେ ମୁଦାସିର ସହିତ ଯୋଗାଯୋଗରେ ଥିଲା । ମୁଦାସିର ଗତ ବର୍ଷ ଫେବ୍ରୁଆରୀରେ ସୁଞ୍ଜୱାନ ସ୍ଥିତ ସେନା କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲା । ଏହି ଆକ୍ରମଣରେ ୬ ଜଣ ସୁରକ୍ଷାକର୍ମୀ ଏବଂ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ସେଇ ବର୍ଷ ଜାନୁଆରୀରେ ଲେଥପୋରା ସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣରେ ବି ସିଏ ସାମିଲ ଥିଲା । ଏଥିରେ ସିଆର୍‌ପିଏଫ୍‌ର ୫ ଜଣ ଯବାନ ସହିଦ ହୋଇଥିଲେ । ବିସ୍ଫୋରଣ ପରେ ସେ ଫେରାର ଥିଲା । ଏନଆଇଏ ଗତ ମାସ ୨୭ ତାରିଖରେ ତା’ ଘର ଉପରେ ଚଢ଼ାଉ କରିଥିଲା । ଏନଆଇଏ ମଧ୍ୟ ବିସ୍ଫୋରଣରେ ବ୍ୟବହୃତ କାର୍‌ର ମାଲିକକୁ ଚିହ୍ନଟ କରିଥିଲା । ସଜ୍ଜାଦ ଭଟ୍ଟ ନାମକ ଏହି ଆତଙ୍କବାଦୀ ବିସ୍ଫୋରଣର ୧୦ ଦିନ ପୂର୍ବରୁ ଉକ୍ତ କାର୍‌କୁ କିଣିଥିଲା ଏବଂ ଆଦିଲକୁ ଦେଇଥିଲା । ତା’ ଘର ଉପରେ ବି ଏନଆଇଏ ଚଢ଼ାଉ କରିଥିଲା । କିନ୍ତୁ ସେ ସେବେଠାରୁ ଫେରାର ହୋଇଯାଇଥିଲା । ସେ ଜୈସରେ ଆତ୍ମଘାତୀ ଆତଙ୍କବାଦୀ ଭାବେ ଯୋଗ ଦେଇଥିଲା ।