ଆଜି ମକର ସଂକ୍ରାନ୍ତି: ସଂକ୍ରାନ୍ତିବୁଡ଼ ପକାଇବେ, ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବେ

source:www.trawell.in
ଭୁବନେଶ୍ୱର,୧୪/୦୧ : ଆଜି ମକର ସଂକ୍ରାନ୍ତି। ସୂର୍ଯ୍ୟଦେବତାଙ୍କ
ଉତ୍ତରାୟଣରେ ପୃଥିବୀ ପୃଷ୍ଠରେ ଶାନ୍ତି ଓ ସମୃଦ୍ଧି ବିରାଜମାନ କରେ।
ଫସଲ ଅମଳର ବେଳ ଓ ଶୁଭ ବେଳା ଆରମ୍ଭ ହୋଇଥାଏ। ଏହି ଦିନକୁ ସବୁ ରାଜ୍ୟ ଭିନ୍ନ ଢ଼ଙ୍ଗରେ ପାଳନ କରନ୍ତି। ହିମାଳୟରୁ କନ୍ୟାକୁମାରୀ ଯାଏ ମକରରେ ସୂର୍ଯ୍ୟଙ୍କ ଉତ୍ତରାୟଣକୁ ସ୍ୱାଗତ କରନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବି ମକର ଉତ୍ସବ ଧୁମ୍ଧାମରେ ପାଳନ ହୁଏ ।
ଶ୍ରୀ ଜଗନ୍ନାଥ ପରମ୍ପରା ଅନୁସାରେ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁ
ଜଗନ୍ନାଥଙ୍କ ପାଖରେ ପହିଲି ଭୋଗ ଆରମ୍ଭ ହେବା ଦିନରୁ ବାପଘରକୁ
ଯାଇଥାଆନ୍ତି। ମକର ସଂକ୍ରାନ୍ତି ଦିନ ବାପଘରୁ ପ୍ରତ୍ୟାବର୍ତ୍ତନ କରନ୍ତି। ସେ ସାଙ୍ଗରେ ଆଣିଥିବା ୮୪ ବ୍ୟଞ୍ଜନ ମହାପ୍ରଭୁଙ୍କ ଠାରେ ଭୋଗ ଲାଗେ ।ଏହି ଦିନ ପିତାମହ ଭୀଷ୍ମ ଇଚ୍ଛା ମୃତ୍ୟୁ ବରଣ କରିଥିଲେ ଓ ମାତା ଗଙ୍ଗା ଧରାପୃଷ୍ଠରେ ଅବତରଣ କରିଥିଲେ । ମକର ଉତ୍ସବ ଅନେକ ପୌରାଣିକ ଘଟଣାର ମୁକ ସାକ୍ଷୀ ।
ରାଜଧାନୀରେ ବି ମକର ସଂକ୍ରାନ୍ତି ଆଡମ୍ବରରେ ପାଳନ ହେବ । ଏହି ଦିନ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବେ । ମକର ସଂକ୍ରାନ୍ତି ନୀତିକାନ୍ତି କରାଯିବ ବୋଲି ଆରମ୍ଭ ହେଲାଣି ପ୍ରସ୍ତୁତି । କିନ୍ତୁ ପ୍ରତି ବର୍ଷ ପରି ଏଥର ସେ ଉତ୍ସାହ ଦେଖିବାକୁ ମିଳୁନି । କରୋନା ପାଇଁ ମକର ଉତ୍ସବ ଫିକା ଫିକା ଲାଗୁଛି । ମକର ସଂକ୍ରାନ୍ତିକୁ ଖାଲି ଓଡ଼ିଶା ଲୋକମାନେ ପାଳନ କରନ୍ତି ତାହା ନୁହେଁ । ରାଜଧାନୀରେ ଥିବା ପଡ଼ୋଶୀ ରାଜ୍ୟର ବହୁ ପରିବାର ନିଜର ସଂସ୍କୃତି ଓ ପରମ୍ପରା ଅନୁସାରେ ପାଳିବେ ମକର ଉତ୍ସବ । ତେଲୁଗୁ ସମ୍ପ୍ରଦାୟ ମକର ସଂକ୍ରାନ୍ତିରେ ପୋଙ୍ଗଲ ପର୍ବ ପାଳନ କରନ୍ତି।
ସୂର୍ଯ୍ୟୋଦୟ ପୂର୍ବରୁ ପୂଜାପାଠ କରାଯାଏ । ସତ୍ସଙ୍ଗବିହାର, ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଆଦିବାସୀ ସମ୍ପ୍ରଦାୟ ଓ ତେଲୁଗୁ ଲୋକମାନେ ଏହି ପର୍ବ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିସାରିଛନ୍ତି । ଭୁବନେଶ୍ୱରରେ ମୁଣ୍ଡା ସାହି, ଚନ୍ଦକା ଅଭୟାରଣ୍ୟ ମୁଣ୍ଡା ବସ୍ତି, ଲଇାନ ସାହି, ପଥରବନ୍ଧ ବସ୍ତି, ସାଲିଆ ସାହି, ଶାନ୍ତି ବସ୍ତି, କାରଗିଲ୍ ବସ୍ତି, ଝରଣା ସାହି ପରି ଅନେକ ସ୍ଥାନରେ ମକରକୁ ନେଇ ବହୁ ଉତ୍ସାହ ଦେଖିବାକୁ ମିଳେ ।