ପଶ୍ଚିମବଙ୍ଗରେ ମାଗଣା ମିଳିବ କରୋନା ଭ୍ୟାକସିନ୍, ମମତାଙ୍କ ବଡ ଘୋଷଣା

କୋଲକାତା ୧୦/୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟୀକାକରଣକୁ ନେଇ ବଡ ଘୋଷଣା କରିଛନ୍ତି । ମମତା କହିଛନ୍ତି କି ରାଜ୍ୟ ସରକାର ରାଜ୍ୟର ସମସ୍ତ ଆବଶ୍ୟକ କରୁଥିବା ଲୋକଙ୍କୁ କରୋନା ଭ୍ୟାକସିନ୍ ଫ୍ରି ଯୋଗାଇବେ । ଏଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି ସିଏମ୍ ମମତା ବାନାର୍ଜୀ । ତେବେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ସରକାରଙ୍କ ଏହି ଘୋଷଣାକୁ ଅତି ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।

କହିରଖୁଛୁ ଦେଶରେ ୧୬ ଜାନୁୟାରୀ ୨୦୨୧ରୁ କରୋନାର ଟୀକାକରଣ ଅଭିଯାନ ଆରମ୍ଭ ହେଉଛି । ଏହା ପୂର୍ବରୁ ମମତା ବାନାର୍ଜୀ ନିଜ ରାଜ୍ୟର ଲୋକଙ୍କୁ କରୋନା ଭ୍ୟାକସିନ୍ ମାଗଣାରେ ଯୋଗାଇବା ପାଇଁ ନିଷ୍ପତି ନେଇଛନ୍ତି । ଅବଶ୍ୟ ୧୬ ଜାନୁୟାରୀରୁ ଆରମ୍ଭ ହେବାକୁ ଥିବା ଟୀକାକରଣ କିଛି ବଛାବଛା ଲୋକଙ୍କ ପାଇଁ ରହିବ । ଏଥିରେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ହେଲ୍ଦ ୱର୍କର, ୫୦ ବର୍ଷରୁ ଅଧିକ ବୟସ୍କ ସାମିଲ । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏମାନଙ୍କଠୁ କିଛି ପଇସା ନିଆଯିବ କି  ନାହିଁ ଘୋଷଣା କରିନାହାଁନ୍ତି ।