ସୁନ୍ଦରୀ ପତ୍ନୀଙ୍କୁ ପାଇବା ପାଇଁ ଚେହେରା ବଦଳାଇ ଦେଲେ ଯୁବକ: ଥିଲେ ୨୪୪ କିଲୋ, ଏବେ ୧୪୦

ନୂଆଦିଲ୍ଲୀ ୨୩/୦୨: ଏମିତି ଅନେକ ପତିପତ୍ନୀ ଅଛନ୍ତି, ଯେଉଁମାନେ ପରସ୍ପର ମନ କଥା ସହଜରେ ବୁଝିଯାଆନ୍ତି । କେହି କିଛି କହିବା ପୂର୍ବରୁ କାମ କରିଦିଅନ୍ତି । କିଛି ଲୋକ ନିଜ ସାଥୀ ପାଇଁ ଅସମ୍ଭବ କାମ ବି କରିବାକୁ ପଛାନ୍ତି ନାହିଁ । ଏଠାରେ ଜଣେ ବ୍ୟକ୍ତି ନିଜ ଭାବୀ ପତ୍ନୀଙ୍କ ପାଇଁ ନିଜକୁ ଫିଟ୍ କରିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ପୂର୍ବରୁ ତାଙ୍କ ଓଜନ ୨୪୪ କିଲୋ ଥିଲା, କିନ୍ତୁ ଭାବୀ ପତ୍ନୀଙ୍କ ପାଇଁ ସେ ଆଶ୍ଚର୍ଯ୍ୟଜନକ ଭାବେ ଓଜନ କମାଇଛନ୍ତି । ବ୍ୟକ୍ତି ଜଣଙ୍କର ନାଁ ଜନ୍ ଆଲାଏର ।
ଓଜନ କମାଇବା ପାଇଁ ପରିବାର ଲୋକେ ତାଙ୍କୁ ବହୁତ ସାହାଯ୍ୟ କଲେ, କିନ୍ତୁ କିଛି ଲାଭ ହେଲା ନାହିଁ । ତାଙ୍କ ବିବାହ ବିଷୟରେ ଚର୍ଚ୍ଚା ହେବା ପରଠୁ ଜନ୍ନିଜକୁ ଫିଟ୍ କରିବାକୁ ନିଷ୍ପତ୍ତି ନେଲେ ।ଏବେ ସେ ୨୪୪ କିଲୋରୁ ୧୪୦ କିଲୋ ଓଜନ କରିଛନ୍ତି । ଏଥିପାଇଁ ତାଙ୍କୁ ୧ବର୍ଷ ସମୟ ଲାଗିଛି । ଭାବୀ ପତ୍ନୀଙ୍କୁ ଜନ୍ ପୂର୍ବରୁ ଜାଣିଥିଲେ । ହାଇସ୍କୁଲରୁ ଉଭୟ ପରସ୍ପରକୁ ଭଲ ଭାବେ ବୁଝିଥିଲେ । ଜନ୍ ଦିନେ ନିଜ ଓଜନ ନିୟନ୍ତ୍ରଣ କରିବାରେ ସଫଳ ହେବେ ବୋଲି ତାଙ୍କ ବାନ୍ଧବୀଙ୍କର ଭରସା ଥିଲା । ଏବେ ସେ ଏହା କରି ଦେଖାଇଛନ୍ତି ।
ଅଧିକ ଖାଇବା ଜନ୍ଙ୍କର ଅଭ୍ୟାସ ହୋଇଯାଇଥିଲା । ଏହି ଅଭ୍ୟାସକୁ ନେଇ ସେ ଖୁବ୍ ଚିନ୍ତାରେ ଥିଲେ । ମା’ବାପାଙ୍କ ବିବାହ ବିଚ୍ଛେଦ ପରେ ତାଙ୍କ ଖାଦ୍ୟପେୟ ଶୈଳୀ ପୂରା ବିଗିଡ଼ି ଯାଇଥିଲା ବୋଲି ଜନ୍ କହନ୍ତି । ବାପାଙ୍କ ଦେହାନ୍ତ ପରେ ତାଙ୍କ ଓଜନ ଆହୁରି ବଢ଼ିବାରେ ଲାଗିଲା । ଉଠିବା ବସିବାରେ ସମସ୍ୟା ହେଲା । ବସିବା ବେଳେ ଚଉକି, ସୋଫା ଆଦି ଭାଙ୍ଗିଯାଉଥିଲା । ଏହାକୁ ନେଇ ଲୋକେ ତାଙ୍କୁ ବହୁତ ଚିଡ଼ାଉଥିଲେ । ଏଭଳି ଜୀବନ ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ବୋଲି ସେ ଅନେକ ଥର ଭାବୁଥିଲେ । କିନ୍ତୁ ସ୍କୁଲର ସେହି ବାନ୍ଧବୀଙ୍କ ସହ ଯେତେବେଳେ ତାଙ୍କ ବିବାହ ବିଷୟରେ ଚର୍ଚ୍ଚା ଆରମ୍ଭ ହେଲା ଏବଂ ଯେବେଠୁ ତାଙ୍କ ପ୍ରେମରେ ପଡ଼ିଲେ, ଜନ୍ ନିଜକୁ ବଦଳାଇବା ଆରମ୍ଭ କରିଦେଲେ ।
ପ୍ରଥମେ ସେ ନିଜ ଖାଦ୍ୟପେୟ ଶୈଳୀକୁ ସଜାଡ଼ିଲେ । ତା’ପରେ ଜଙ୍କ ଫୁଡ୍ଖାଇବା ବନ୍ଦ କଲେ । ଜିମ୍ ଯିବା ଆରମ୍ଭ କରି ଦେଲେ ଏବଂ ଖୁବ୍ କସରତ କଲେ । ଫିଟ୍ ନେସକୁ ନେଇ ଜନ୍ ଏବେ ଖୁବ୍ ଯତ୍ନବାନ । ବ୍ୟକ୍ତି ଯାହା ଚାହିଁବ, ହାସଲ କରିପାରିବ ବୋଲି ସେ କହନ୍ତି । ଏଥିପାଇଁ କେବଳ ନିଷ୍ଠା ଜରୁରୀ । ଜନ୍ଙ୍କ କାହାଣୀ ଏବେ ପୃଥୁଳଙ୍କ ପାଇଁ ପ୍ରେରଣା ହୋଇଛି ।