ବିବାହ ନାଁରେ ଛଳନା: ନବମ ଫେଲ୍ କିନ୍ତୁ ସେନାର ମେଜର,୧୭ ପରିବାରକୁ ଠକି ସାଢେ ୬ କୋଟି ଟଙ୍କା ନେଇଗଲା

ହାଇଦ୍ରାବାଦ,୨୨।୧୧: ସେନା ଅଧିକାରୀର ପରିଚୟ ଦେଇ ​‌କୋଟି କୋଟି ଟଙ୍କାର ଠକେଇ। ହାଇଦ୍ରାବାଦର ଜଣେ ବ୍ୟକ୍ତି ନିଜକୁ ଭାରତୀୟ ସେନାର ଅଧିକାରୀ କହି ବିବାହ ପ୍ରସ୍ତାବ ଆଳରେ ଲୋକଙ୍କୁ ଠକି ଆସୁଥିଲା। ତେବେ ଜରେ କି ଦୁଇ ଜଣ ନୁହେଁ, ପୁରା ୧୭ ଜଣଙ୍କୁ ଠକି ୬.୬୧ କୋଟି ଟଙ୍କାର ଠକେଇ କରିଛି ଏହି ବ୍ୟକ୍ତି। ତେବେ ପୋଲିସ ଏହି ବ୍ୟକ୍ତିଜଣକୁ ଗିରଫ କରିନେଇଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତର ନାମ ମୁଦାଭଥ ଶ୍ରୀନୁ ନାୟକ  ଓରଫ୍ ଶ୍ରୀନିବାସ ଚୌହାନ। ସେ ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲାର କେଳ୍ଲମପଲ୍ଳୀ ଗାଁର ନିବାସୀ। ତାକୁ ଗିରଫ  କରାଯିବା ପରେ ଜଣାପଡିଥିଲା ଯେ, ସେ ଠକିଥିବା ଟଙ୍କାରୁ ସୈନିକପୁରୀରେ ଏକ ଘର, ତିନୋଟି କାର ଓ ବିଳାସମୟ ଜିନିଷ କିଣିସାରିଛନ୍ତି। ପୋଲିସ ଏହି ବ୍ୟକ୍ତି ଜଣକ ପାଖରୁ ତିନୋଟି ନକଲି ପିସ୍ତଲ, ସେନାର ତିନୋଟି ୟୁନିଫର୍ମ, ଏକ ନକଲି ଆର୍ମି ଆଇଡି କାର୍ଡ ଓ କିଛି ନକଲି ଦସ୍ତାବିଜ୍ ଉଦ୍ଧାର କରିଛି। ପୋଲିସ ଅଭିଯୁକ୍ତ ନିକଟରୁ ୮୫ ହଜାର ଟଙ୍କା ସହିତ ୩ଟି କାର ମଧ୍ୟ ଜବତ କରିଛି।

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତର ମୁଦାଭଥ ୯ମ ଶ୍ରେଶୀ ପର୍ଯ୍ୟନ୍ତ ପଢିଛି। ତେବେ ତା ପାଖରେ ପୋଷ୍ଟ ଗ୍ରାଜୁଏସନ୍ ପାସ୍ କରିଥିବାର ନକଲି ଡିଗ୍ରୀ ରହିଛି। ତା’ର ପତ୍ନୀ ଏବଂ ଗୋଟିଏ ପୁଅ ବି ଅଛନ୍ତି। ଦୁହେଁ ଗୁଣ୍ଟୁରରେ ରହନ୍ତି, କିନ୍ତୁ ସେ ନିଜେ ହାଇଦ୍ରାବାଦ ଓ ସୈନିକପୁରୀ, ଜବାହର ନଗରରେ ରୁହେ। ସେ ନିଜର ପରିବାରକୁ କହିଛି ଯେ, ତାକୁ ଇଣ୍ଡିଆନ୍ ଆର୍ମିରେ ଚାକିରି ମିଳିଯାଇଛି ଓ ସେ ମେଜର ହୋଇଯାଇଛି।

ଏପରିକି  ତା’ର ଜନ୍ମ ତାରିଖ ୧୯୭୯ ହୋଇଥିଲେ ମଧ୍ୟ ୧୯୮୬ ବୋଲି ମ୍ୟାରେଜ ବ୍ୟୁରୋକୁ ଦେଇଥିଲା।  ପୋଲିସର ପଚରାଉଚରା ବେଳେ ସେ କହିଥିଲା, ମ୍ୟାରେଜ୍ ବ୍ୟୁରୋ କିମ୍ବା ନିଜର ପରିଚିତଙ୍କ ଜରିଆରେ ଏଭଳି ପରିବାର ସେ ଖୋଜୁଥିଲା, ଯେଉଁମାନେ ଝିଅର ବାହାଘର କରିବାକୁ ଚାହୁଁଥିଲେ। ଏହାପରେ ସେ ନିଜର ନକଲି ଆର୍ମି ଆଇକାର୍ଡ ଓ ଫଟୋ ଝିଅର ପରିବାରର ଲୋକଙ୍କୁ ଦେଖାଇ ତାଙ୍କୁ ନିଜର ଠକାମୀରେ ଫଶାଇ ଦେଉଥିଲା।