ଭଜନପୁରା ହତ୍ୟାକାଣ୍ଡ ମାମଲା: ଟଙ୍କା ପାଇଁ ଭାଇ ଶେଷ କରିଦେଲା ଭାଇର ସଂସାର,ଘରେ ଲୁଚି ରହି ଜଣକ ପରେ ଜଣକୁ କଲା ହତ୍ୟା

ନୂଆଦିଲ୍ଲୀ,୧୪।୨: ଭଜନପୁରା ଅଞ୍ଚଳରେ ହୋଇଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ମାମଲାକୁ ୨୪ ଘଣ୍ଟା ଭିତରେ ପର୍ଦାଫାଶ କରିଛି ଉତ୍ତର-ପୂର୍ବ ଜିଲ୍ଲା ପୋଳିସ। ମୃତକ ଶମ୍ଭୁନାଥଙ୍କ ପିଉସୀ ପୁଅ ପ୍ରଭୁନାଥ ହିଁ ହେଉଛି ହତ୍ୟାକାରୀ। ପ୍ରଭୂନାଥ ନିଜର ସମ୍ପର୍କୀୟ ଭାଇ ସହିତ ସାରା ପରିବାରକୁ ଅତି ନିର୍ମମ ଭାବରେ ଲୁହା ରଡରେ ପିଟି ପିଟି ମାରି ଦେଇଛି। ଶମ୍ଭୁନାଥ ତାଙ୍କ ପତ୍ନୀ ଏବଂ ୩ ସନ୍ତାନଙ୍କୁ ପ୍ରଭୂନାଥ ମାତ୍ର ୪ ଘଣ୍ଟା ଭିତରେ ମାରିଦେଇଥିଲା। ଏସବୁ କେବଳ ସେ ଉଦ୍ଧାରରେ  ନେଇଥିବା ୩୦ ହଜାର ଟଙ୍କା ନଫେରାଇବା ପାଇଁ କରିଥିଲା। ଗିରଫ ହେବାପରେ ପ୍ରଭୂନାଥ ନିଜର ସମ୍ପର୍କୀୟ ଭାଇର ପରିବାରକୁ କିଭଳି ଢଙ୍ଗରେ ହତ୍ୟା କରିଥିଲା ତାହା ପୋଲିସ ଆଗରେ କହିଛି।

ପୋଲିସ କମିଶନରଙ୍କ କହିବା ଅନୁସାରେ, ଗତ ୧୨ ତାରିଖ ମଧ୍ୟାହ୍ନରେ ପୋଲିସକୁ ସୂଚନା ମିଳିଥିଲା ସି ବ୍ଲକର ଗଳି ନମ୍ବର-୧୧ର ଏକ ଘରୁ ଦୁର୍ଗନ୍ଦ ଆସୁଛି। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଦେଖିଥିଲା ଘରର କବାଟରେ ତାଲା ପଡିଛି। ପୋଲିସ ଘରର ତାଲା ଭାଙ୍ଗି ଭିତରକୁ ଯାଇଥିଲା। ସେଠାରେ ଦୁଇଟି ରୁମରେ ପରିବାରର ୫ ଜଣ ସଦସ୍ୟଙ୍କର ମୃତଦେହ ପଡି ରହିଥିଲା। ମୃତକଙ୍କ ଚିହ୍ନଟ ଶମ୍ଭୁନାଥ, ତାଙ୍କର ପତ୍ନୀ ସୁନିତା, ଦୁଇ ପୁଅ ସଚିନ ଓ ଶିବମ ଏବଂ ଝିଅ କୋମଲ ଥିଲେ।

ଏହି ପରିବାରର ପ୍ରକୃତ ଘର ଥିଲା ବିହାରର ସୁପଲ ଜିଲ୍ଲା ଅନ୍ତର୍ଗତ ମଲହାନୀ ଗାଁରେ।  ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତରେ ଟିମକୁ ଲଗାଇଥିଲା। ସିସିଟିଭି ଏବଂ କଲ୍ ଡିଟେଲ୍ସରୁ ପ୍ରଭୁ ବିଷୟରେ ଜଣାପଡିଥିଲା। ଶମ୍ଭୁନାଥଙ୍କ ଘରଠାରୁ ମାତ୍ର ଅଳ୍ପ ବାଟ ଦୂରରେ ଅଭିଯୁକ୍ତ ପ୍ରଭୁନାଥ ଭଡା ଘରେ ରହୁଥିଲା।

ଠୋସ୍ ପ୍ରମାଣ କରିବା ପରେ ପୋଲିସ ଗୁରୁବାର ପ୍ରଭୁନାଥକୁ ଗିରଫ କରିଥିଲା। ପୋଲିସର କହିବା ଅନୁସାରେ, ୫ ଜଣଙ୍କର ହତ୍ୟା ଦେଖି ଲାଗୁଥିଲା ଏକାଧିକ ଲୋକ ଏହି ହତ୍ୟାକାଣ୍ଡରେ ସାମିଲ ହୋଇପାରନ୍ତି, କିନ୍ତୁ ଅଭିଯୁକ୍ତ କହିଛି ସେ କେବଳ ନିଜେ ହିଁ ଜଣ ଜଣ କରି ସମସ୍ତଙ୍କୁ ହତ୍ୟା କରିଥିଲା। ୫ ଜଣଙ୍କର ମୃତ ଦେହ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଘର ଭିତରେ ପଡି ରହିଥିଲା। ପୋଲିସ ପ୍ରଭୁକୁ ପଚରାଉଚରା କରି ମାମଲାର ଯାଞ୍ଚ କରୁଛି। ପରିବାର ଗୁରୁବାର ଦିନ ବିହାରରୁ ଦିଲ୍ଲୀ ଆସିପାରିନଥିଲେ, ଏହି କାରଣରୁ ଶୁକ୍ରବାର ମେଡିକାଲ ବୋର୍ଡରୁ ଜେଟିବିରେ ପୋଷ୍ଟମର୍ଟମ ହେବ।

ପୋଲିସ ପଚରାଉଚରାରେ ପ୍ରଭୁ କହିଛି, ଗତ ୩ ତାରିଖ ମଧ୍ୟାହ୍ନରେ ସେ ଶମ୍ଭୁନାଥଙ୍କୁ ଫୋନ୍ କରି ଟଙ୍କା ଦିଆନିଆ କରିବା ମାମଲାରେ ଲକ୍ଷ୍ମୀନଗରକୁ ଡକାଇଥିଲା। ଶମ୍ଭୁନାଥ ଲକ୍ଷ୍ମୀ ନଗର ପହଁଞ୍ଚିଯାଇଥିଲେ। କିନ୍ତୁ ପ୍ରଭୁ ଲକ୍ଷ୍ମୀନଗର ପହଁଞ୍ଚିବା ବଦଳରେ ଶମ୍ଭୁନାଥଙ୍କ ଘରେ ସେ ମଧ୍ୟାହ୍ନ ସାଡେ ୩ଟା ବଳେ ପହଁଞ୍ଚି ଯାଇଥିଲା। ସେତେବେଳେ ଶମ୍ଭୁନାଥଙ୍କ ପତ୍ନୀ ସୁନିତା ଘରେ ଏକାକୀ ଥିଲେ। ସୁନିତା ଉଦ୍ଧାର ଟଙ୍କା ମାଗିଥିଲେ, ଯେତେବେଳେ ପ୍ରଭୂନାଥ ଟଙ୍କା ଦେବାକୁ ମନା କରିଥିଳେ ସୁନିତା ତାଙ୍କୁ ଗାଳି କରିଥିଲେ।

ଏହାପରେ ପ୍ରଭୂ ରାଗରେ ସୁନିତାଙ୍କ ତଣ୍ଟି ଚିପି ମାରି ଦେଇଥିଲା। କେବଳ ସେତିକିରେ ସେ ଅଟକି ନଥିଲା। ଏହାପରେ ଘରେ ପଡିଥିବା ଲୁହା ରଡ ଉଠାଇ ସୁନିତାଙ୍କ ମୁଣ୍ଡରେ ପିଟି ଦେଇଥିଲା। ସୁନିତାଙ୍କୁ ହତ୍ୟା କରିବା ପରେ ସେ ଘରୁ ବାହାରି ନଥିଲା, ସେଠାରେ ବସି ରହିଥିଲା। କିଛି ସମୟ ପରେ ସୁନିତାଙ୍କ ଝିଅ କୋମଲ ଟ୍ୟୁସନ ସାରି ଘରେ ପହଁଞ୍ଚିଥିଲେ, ତାଙ୍କୁ ଦେଖି ପ୍ରଭୁ ଲୁହା ରଡରେ ଆକ୍ରମଣ କରି ମାରି ଦେଇଥିଲା।

ଏହାପରେ ବଡ ପୁଅ ଶିବମ ଘରୁକୁ ଆସିବା ପରେ ତାଙ୍କୁ ମଧ୍ୟ ଲୁହାରଡରେ ପିଟି ମାରିଦେଇଥିଲା। କିଛି ସମୟ ପରେ ସାନ ପୁଅ ସଚିନ ଘରେ ଫେରିବା ପରେ ତାକୁ ମଧ୍ୟ ପିଟି ମାରିଦେଇଥିଲା ପ୍ରଭୁନାଥ। ଏହାପରେ ଘରର ମୁଖ୍ୟ କବାଟ ବନ୍ଦ କରି ବାହାରକୁ ଚାଲିଯାଇଥିଲା। ଏହାପରେ ଶମ୍ଭୁନାଥକୁ ଫୋନ୍ କରି ଗାମଣ୍ଡି ଗାଁକୁ ଡାକିଥିଲା, ଯେତେବେଳେ ଶମ୍ଭୁନାଥ ସେଠାରେ ପହଁଞ୍ଚିଥିଲେ ଦୁହେଁ ଏକାଠି ବସି ଖୁବ୍ ମଦ ପିଇଥିଲେ। ଏହାପରେ ସନ୍ଧ୍ୟା ସାଢେ ୭ଟା ବେଳେ ସେ ଶମ୍ଭୁନାଥଙ୍କୁ ତାଙ୍କର ଘରକୁ ନେଇ ଯାଇଥିଲା। ଏହାପରେ ଅଭିଯୁକ୍ତ ପ୍ରଭୁ ନିଜର ଭାଇ ଶମ୍ଭୁନାଥଙ୍କର ତଣ୍ଟି ଚିପିବା ପରେ ଲୁହା ରଡରେ ପିଟି ହତ୍ୟା କରିଥିଲା। ହତ୍ୟା କରିବା ପରେ ମୁଖ୍ୟ ଦ୍ବାରରେ ବାହାରପଯୁ ତାଲା ମାରି ନିଜ ଘରକୁ ଚାଲିଯାଇଥିଲା।

ପୋଲିସର ସୂଚନା ଅନୁସାରେ, ଯେତେବେଳେ ଶମ୍ଭୁନାଥଙ୍କ ମୋବାଇଲ ଫୋନର କଲ ଡିଟେଲ୍ସ ବାହାର କରାଯାଇଥିଲା ତାଙ୍କର ଶେଷ କଲ୍ ପ୍ରଭୁନାଥର ଥିଲା। ଏହାପରେ ପୋଲିସ ଗଳିରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ବାହାର କରିଥିଲା।  ଏଥିରେ ପ୍ରଭୁ ଘରେ ତାଲା ଲଗାଇ ବାହାରକୁ ଯାଉଥିବାର ଦେଖିଥିଲା ପୋଲିସ। ସନ୍ଦେହ ଅଧିକ ହେବାରୁ ତାକୁ କଷ୍ଟଡିରେ ଆଣି ପଚରାଉଚରା ପରେ ପ୍ରଭୁନାଥ ନିଜର ଅପରାଧ ସ୍ବୀକାର କରିଥିଲା।

   ସମ୍ବନ୍ଧିତ ଖବର


ଲକଡାଉନ୍‌ ଚେକିଂ ବେଳେ ୩୨ ଲକ୍ଷଟଙ୍କାର ଧଳାଜହର ଜବତ,ଗାଡି ଛାଡି ଚମ୍ପଟ୍ ମାରିଲା ବେପାରି

ଲକ୍‌ଡାଉନ୍‌ ବେଳେ ଦୋକାନକୁ ମହଙ୍ଗା ପଡ଼ିଲା ସାମାଜିକ ଦୂରତାକୁ ଅଣଦେଖା: ଦୁଇ ଦୋକାନ ସିଲ୍‌, ବ୍ୟବସାୟୀ ଗିରଫ

ଗଜପତିରେ କୋଭିଡ୍‌-୧୯ ହସ୍ପିଟାଲ ଉଦ୍‌ଘାଟନ ଆଜି

ନିର୍ଭୟା ମାମଲା ଦୋଷୀ ଅଦାଲତରେ ଏହି ମିଛ କହିଥିଲେ – ନିର୍ଭୟାଙ୍କ ଓକିଲ ସୀମା କୁଶଓ୍ୱା