ରାତାରାତି ଧନୀ ହେବାର ନିଶା ଯୋଗୁ ଫସିଲେ ୪ ଯୁବକ, ମଣି ସନ୍ଧାନରେ ଗାଁକୁ ଆସି ହେଲେ ହଟହଟା

କେନ୍ଦୁଝର ୧୩/୨ : ରାତାରାତି ଧନୀ ହେବାର ନିଶା । ପରଶ ମଣିରେ ଅଜସ୍ର ସମ୍ପତ୍ତି ପାଇବାର ଲୋଭ ଲାଳସା ଏବେବି ଲୋକଙ୍କୁ ଅନ୍ଧ କରିଛି । ଏଭଳି ମଣି ସନ୍ଧାନରେ କେନ୍ଦୁଝର ବାମେବାରୀ ଥାନା ମଲଦା ପଞ୍ଚାୟତର ଅନ୍ଧାରୀଖମଣ ଗାଁକୁ ଆସିଥିବା ୪ ଯୁବକ ଧରାପଡ଼ିଛନ୍ତି । ଯୁବକମାନେ ହେଲେ ଝୁମ୍ପୁରାର ମହମ୍ମଦ ଆରିଫ(୩୩), ସଦର ଥାନା କଶିରାପାଟଣାର ଧିରେନ ସିଂଦେଓ(୩୫), ଯୋଡା ଥାନା ହୁଡି ସାହିର ଫଗୁ କେଚପ (୪୮) ଓ ସଦରଥାନା କାଠ ବାଉଁଶୁଳୀର ଦୁଷ୍ମନ୍ତ ମହାନ୍ତ (୩୮) । ଏମାନଙ୍କ ସହ ବୋଲେରୋରେ ଆସିଥିବା ଆଉ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଅଜଣା ଯୁବକଙ୍କୁ ଦେଖି ଚୋର ସନ୍ଦେହରେ ଗ୍ରାମବାସୀ ଉତ୍ତମମଧ୍ୟମ ଦେଇଛନ୍ତି । ଏପରିକି ବେକରେ ଚପଲ, ଭଙ୍ଗା ବାଲଟି, ଟିଣ ପକାଇ ଗାଁ ବୁଲାଇଛନ୍ତି । ପୁଲିସ ଯୁବକଙ୍କୁ ଉଦ୍ଧାର କରି ଅଟକ ରଖିଛି ।

କିଛିଦିନ ହେଲା କାଶିଆ, ବଳଭଦ୍ରପୁର ଏବଂ ଅନ୍ଧାରୀଖମଣ ଗାଁର ଦୋକାନଗୁଡ଼ିକରେ ଚୋରି ବୃଦ୍ଧି ପାଇଛି । ଏହିସବୁ ଅଞ୍ଚଳର ଲୋକେ ରାତିରେ ସଜାଗ ରହି ଚାରିଆଡ଼େ ଛକାପଞ୍ଝା କରୁଛନ୍ତି । ଏପରିସ୍ଥଳେ ମଙ୍ଗଳବାର ରାତି ଆରିଫ, ଧିରେନ, ଫଗୁ, ଦୁଷ୍ମନ୍ତ ତଥା ଅନ୍ୟ ୨ ଜଣ ଏକ ବୋଲୋରୋରେ ଆସି ଅନ୍ଧାରୀଖମଣରେ ପହଞ୍ଚିଥିଲେ । ଗାଁରେ ଗାଡ଼ି ଠିଆ କରି ଏଣେତେଣେ ବୁଲାବୁଲି କରୁଥିବାବେଳେ ଗ୍ରାମବାସୀଙ୍କ ସନ୍ଦେହ ଜାତ ହୋଇଥିଲା । ଗ୍ରାମବାସୀ ସେମାନଙ୍କୁ ପଚରାଉଚରା କରିଥିଲେ । ସେମାନଙ୍କ ମୁହଁରୁ କିଛି ନିର୍ଦ୍ଦିଷ୍ଟ ଉତ୍ତର ମିଳିନଥିଲା । କାହାରି କଥାରେ ତାଳମେଳ ନରହିବାରୁ ଗ୍ରାମବାସୀ ଧରିବା ପାଇଁ ପ୍ରୟାସ କରିଥିଲେ । ଏହି ସମୟରେ ବୋଲେରୋ ଚାଳକ ଏବଂ ଅନ୍ୟ ଜଣେ ବ୍ୟକ୍ତି ଗାଡ଼ି ଧରି ଚମ୍ପଟ ମାରିଥିଲେ । ଉକ୍ତ ୪ ଜଣ ଯୁବକଙ୍କୁ ଗ୍ରାମବାସୀ ରାତି ସାରା ଗୋଟିଏ ଘରେ ପୂରାଇ ଛେଚିଥିଲେ । ସକାଳେ ସେମାନଙ୍କ ବେକରେ ଚପଲ, ଭଙ୍ଗା ଟିଣ, ପ୍ଲାଷ୍ଟିକ ବାଲ୍‌ଟି ପକାଇ ଚଲାଇ ଚଲାଇ ଗାଁରେ ବୁଲାଇଥିଲେ ।

ବାମେବାରୀ ପୁଲିସ ବୁଧବାର ପୂର୍ବାହ୍ନରେ ଅନ୍ଧାରୀଖମଣ ଗାଁରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଛି । ପୁଲିସ ପହଞ୍ଚିବା ପରେ ଗାଁରେ ଶତାଧିକ ଲୋକ ଏକାଠି ହେବା ସହ ବିଭିନ୍ନ ଦୋକାନରୁ ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ୪ଜଣଙ୍କୁ ପଚାରାଉଚରା ପରେ ସେମାନେ ମଣି ସନ୍ଧାନରେ ଆସିଥିବା ପ୍ରକାଶ କରିଥିବାବେଳେ ସେମାନଙ୍କ ସାଙ୍ଗରେ ମନୋଜ ସିଂଦେଓ ନାମକ ବୋଲୋରୋ ଚାଳକ ଏବଂ ଢେଙ୍କାନାଳ ଅଞ୍ଚଳର ଧନେଶ୍ୱର ମହାନ୍ତ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସାମିଲ ଥିଲେ ବୋଲି କହିଛନ୍ତି । ମଣି କଥା ପ୍ରଘଟ ଭୟରେ କାହାରିକୁ ସଠିକ୍‌ ସୂଚନା ଦେଇନଥିଲେ ବୋଲି ପୁଲିସ ନିକଟରେ କହିଥିଲେ । ୪ ଯୁବକଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି ।

   ସମ୍ବନ୍ଧିତ ଖବର


ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୁମକୁ କରୋନା ହୋଇଯାଉ’

ବଢୁଛି ଅଶୋଧିତ ତୈଳ ଦର, ଜାଣନ୍ତୁ ଦେଶରେ ଆଜି ପେଟ୍ରୋଲ-ଡିଜେଲର ଦାମ

ବଲିଉଡର ପ୍ରଖ୍ୟାତ ଫିଲ୍ମ ପ୍ରଡ୍ୟୁସର କରିମ ମୋରାନୀ କରୋନା ପଜିଟିଭ, ହସ୍ପିଟାଲରେ ହେଲେ ଭର୍ତ୍ତି

ହନୁମାନଙ୍କ ଭଳି ‘ସଞ୍ଜିବନୀ’ ଦେବା ପାଇଁ ଭାରତକୁ ଧନ୍ୟବାଦ, ଟ୍ରମ୍ପଙ୍କ ପରେ ଏବେ ମୋଦିଙ୍କୁ ବ୍ରାଜିଲ ରାଷ୍ଟ୍ରପତିଙ୍କ ପ୍ରଶଂସା