ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମିଳିଲା ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ, ଉପ-ରାଷ୍ଟ୍ରପତି କଲେ ମନୋନୀତ

ନୂଆଦିଲ୍ଲୀ,୧୧।୧୧:ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭାରେ ସଭାପତି ଭେଙ୍କୟା ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଡକ୍ଟର ମନମୋହନ ସିଂଙ୍କୁ ଆର୍ଥିକ ମାମଲାର ସ୍ଥାୟୀ ସଂସଦୀୟ କମିଟିରେ ମନୋନୀତ କରିଛନ୍ତି। ନିଜ ଦଳର ନେତା ଦିଗବିଜୟ ସିଂଙ୍କ ସ୍ଥାନରେ ମନମୋହନ ସିଂ ଏହି ପଦଭାର ଗ୍ରହଣ କରିବେ। ଏହା ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ସହର ବିକାଶ ମାମଲାର ସଂସଦୀୟ ସ୍ଥାୟୀ କମିଟି ପାଇଁ ମନୋନୀତ କରାଯାଇଛି।

ରାଜ୍ୟସଭା ଦ୍ବାରା ଜାରି ବୁଲେଟିନ୍ ଅନୁସାରେ, ଉପରାଷ୍ଟ୍ରପତି ଓ ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ରାଜ୍ୟସଭାର ସାଂସଦ ମନମୋହନ ସିଂଙ୍କୁ ଦିଗବିଜୟଙ୍କ ସ୍ଥାନରେ ଆର୍ଥିକ କମିଟିର ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି। ମିଳିଥିବା ଖବର ଅନୁସାରେ, ଜଣେ ସଫଳ ଅର୍ଥନୀତିଜ୍ଞ ଭାବରେ ମନମୋହନ ସିଂଙ୍କୁ ଜାଣନ୍ତି। ତାଙ୍କୁ ଆର୍ଥିକ ମାମଲାର ସ୍ଥାୟୀ କମିଟିରେ ସ୍ଥାନ ଦେବାପାଇଁ ଦିଗବିଜୟ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ବୋଲି କୁହାଯାଉଛି।