ମନପ୍ରୀତ୍‌ ‘ଏଫ୍‌ଆଇଏଚ୍‌ ପ୍ଲେୟାର ଅଫ୍‌ ଦ ଇୟର’

ଲାଉସେନ, ୧୩ା୨ (ଏଜେନ୍ସି): ଭାରତୀୟ ହକି କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ଅଧିନାୟକ ମନପ୍ରୀତ୍‌ ସିଂହ । ସେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପ୍ଲେୟାର ଅଫ୍‌ ଦ ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ବେଲଜିୟମର ଆର୍ଥର ଭାନ୍‌ ଡୋରେନ୍‌ ଓ ଆର୍ଜେଣ୍ଟିନାର ତାରକା ଖେଳାଳି ଲୁକାସ ଭିଲ୍ଲାଙ୍କୁ ପଛରେ ପକାଇ ଏହି ପୁରସ୍କାର ହାସଲ କରିଛନ୍ତି । ଭୋଟିଂରେ ମନପ୍ରୀତ୍‌ ସର୍ବାଧିକ ୩୫.୨ ପ୍ରତିଶତ ଭୋଟ ପାଇଛନ୍ତି । ଅନ୍ୟ ପକ୍ଷରେ ଭାନ୍‌ ଡୋରେନଙ୍କୁ ୧୯.୭ପ୍ରତିଶତ, ଲୁକାସଙ୍କୁ ୧୧.୭ପ୍ରତିଶତ ଭୋଟ ମିଳିଥିଲା । ୨୦୧୯ସିଜନ ପାଇଁ ହୋଇଥିବା ଭୋଟିଂରେ ଜାତୀୟ ସଂଘ, ଗଣମାଧ୍ୟମ ପ୍ରତିନିଧି, ପ୍ରଶଂସକ ଓ ଖେଳାଳିମାନେ ଭୋଟ ଦେଇଥିଲେ । ନିକଟରେ ଭାରତର ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ଏଫ୍‌ଆଇଏଚ୍‌ ପୁରୁଷ ରାଇଜିଂ ଷ୍ଟାର୍‌ ଅଫ୍‌ ଦ ଇୟର ପୁରସ୍କାର ଏବଂ ମହିଳା ଖେଳାଳି ଲାଲ୍ରେମସିୟାମି ଏଫ୍‌ଆଇଏଚ୍‌ ମହିଳା ରାଇଜିଂ ଷ୍ଟାର୍‌ ଅଫ୍‌ ଦ ଇୟର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।

୨୦୧୯ସିଜନରେ ଏଫ୍‌ଆଇଏଚ୍‌ ପ୍ଲେୟାର ଅଫ୍‌ ଦ ଇୟର ପୁରସ୍କାର ଦୌଡ଼ରେ ଅନେକ ନାମୀଦାମୀ ଖେଳାଳି ସାମିଲ ରହିଥିଲେ । କିନ୍ତୁ ମନପ୍ରୀତ୍‌ ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ଏହି ମର୍ଯ୍ୟାଦାଜନକ ପୁରସ୍କାର ହାସଲ କରିଛନ୍ତି । ବେଲଜିୟମର ଭିକ୍ଟର ୱେଗନେଜ୍‌ ଓ ଅଷ୍ଟ୍ରେଲିଆର ଆରାନ ଜାଲେୱସ୍କି ଓ ଇଡି ଅକେଣ୍ଡନ ପ୍ରମୁଖ ପୁରସ୍କାର ଦୌଡ଼ରେ ସାମିଲ ଥିଲେ ।

୨୦୧୯ସିଜନ ମନପ୍ରୀତଙ୍କ ପାଇଁ ସଫଳ ସାବ୍ୟସ୍ତ ହୋଇଥିଲା । ତାଙ୍କ ଅଧିନରେ ଭାରତ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିଲା । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରୁଷିଆ ବିପକ୍ଷ ଅଲିମ୍ପିକ୍ସ ଯୋଗ୍ୟତା ଇଭେଣ୍ଟରେ ଭାରତ ଡବଲ୍‌ ମ୍ୟାଚ୍‌ ଜିତି ୨-୦ରେ ମୂଳପୋଛ କରିଥିଲା । ପ୍ରଥମ ମ୍ୟାଚ୍‌ରେ ଦଳ ୪-୨ରେ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ୭-୨ ଗୋଲ୍‌ରେ ରୁଷିଆକୁ ପରାଜିତ କରିଥିଲା । ମନପ୍ରୀତ୍‌ ତୃତୀୟ ଥର ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ପୂର୍ବରୁ ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଓ ୨୦୧୬ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ସଦସ୍ୟ ଥିଲେ । ୨୦୧୧ରେ ଅନ୍ତର୍ଜାତୀୟ ହକି ପଦାର୍ପଣ କରିବା ପରଠୁ ସେ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି । ସେ ଏପର୍ଯ୍ୟନ୍ତ ୨୬୦ଟି ମ୍ୟାଚ୍‌ ଖେଳି ସାରିଲେଣି ।

ଏଫ୍‌ଆଇଏଚ୍‌ ପୁରସ୍କାର ଜିତିବା ପରେ ମନପ୍ରୀତ ଉତ୍ସାହିତ ହୋଇପଡ଼ିଛନ୍ତି । ସେ ସାଥି ଖେଳାଳିମାନଙ୍କୁ ପୁରସ୍କାର ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି, ସାଥି ଖେଳାଳିମାନଙ୍କ ସମର୍ଥନ ବିନା ଏହା ସମ୍ଭବ ହୋଇନଥାନ୍ତା । ଗତ ସିଜନରେ ଆମେ ଭଲ ପ୍ରଦର୍ଶନ କରିଥିଲୁ । ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ, ହକି ଟେଷ୍ଟ ସିରିଜ୍‌ (ବେଲଜିୟମ), ଅଲିମ୍ପିକ୍ସ ଯୋଗ୍ୟତା ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲୁ । ଟୋକିଓ ଟିକେଟ ହାସଲ କରିବା ଆମର ମୂଳ ଲକ୍ଷ୍ୟ ଥିଲା । ଯାହା ଆମେ ପୂରଣ କରିଥିଲୁ । ବିଶ୍ୱ ସ୍ତରରେ ହକି ପ୍ରଶଂସକ ଓ ଶୁଭେଚ୍ଛୁକମାନଙ୍କ ସମର୍ଥନ ଓ ଭୋଟ ପାଇଁ ମୁଁ ଏହି ପୁରସ୍କାର ଜିତି ପାରିଛି । ଖାସକରି ଭାରତୀୟ ହକି କ୍ରୀଡ଼ାପ୍ରେମୀଙ୍କ ସମର୍ଥନ ମୋତେ ଉତ୍ସାହିତ କରିଛି ।’

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ ହକି ଦଳକୁ ବିଶ୍ରାମ

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଠିକୁ ଗାଭାସ୍କଙ୍କ ୫୯ ଲକ୍ଷର ସହାୟତା

ଆଜିଠୁ ଡିଡି ସ୍ପୋର୍ଟରେ ଦେଖିପାରିବେ ୨୦ ବର୍ଷ ପୁରୁଣା ସ୍ମରଣୀୟ କ୍ରିକେଟ ମ୍ୟାଚ୍, ଲକ୍ଷ୍ମଣଙ୍କ ୨୮୦ ରନର ଇଂନିସ ଦେଖନ୍ତୁ ଏହି ଦିନ

‘IPL ନହେଲେ ଡିପ୍ରେସନକୁ ଯାଇପାରନ୍ତି ଅନେକ କ୍ରିକେଟର୍ସ’