ଝାରପଡ଼ା ଜେଲ୍‌ରେ ଚଢ଼ଉ: ସେଲ୍‌ରେ ଗଞ୍ଜେଇ, ଗୁଟ୍‌ଖା, ସିମ୍‌କାର୍ଡ ଭର୍ତ୍ତି

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଚୌଦ୍ୱାର ଜେଲ୍‌ ପରେ ଗୁରୁବାର ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଝାରପଡ଼ା ଜେଲ୍‌ ଉପରେ ଚଢ଼ଉ କରିଥିଲା । ସେଠାରୁ ଗଞ୍ଜେଇ, ସିଗାରେଟ୍‌, ବିଡ଼ି, ଖଇନି, ୪ଟି ଟେନିସ୍‌ ବଲ୍‌, କଲମ, ମାର୍କର, ସିମ୍‌ କାର୍ଡ, ୬ଟି ଅଶ୍ଳୀଳ ପୁସ୍ତକ, ୭ ଶହ ଟଙ୍କା ସହ ଅନ୍ୟାନ୍ୟ ଜିନିଷ ଜବତ କରିଛନ୍ତି । ବଡ଼କଥା ହେଲା ଚଢ଼ଉ ପୂର୍ବରୁ କିଛି ଅସାଧୁ ପୁଲିସ୍‌ କର୍ମଚାରୀ ଜେଲ୍‌କୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇ ଦେଇଥିଲେ । ଫଳରେ ଜେଲରୁ ଅନେକ ଆପତ୍ତିଜନକ ଜିନିଷ ଗାଏବ ହୋଇ ଯାଇଥିଲା । ପାଞ୍ଚ ବର୍ଷ ମଧ୍ୟରେ ଜେଲ୍‌ ଉପରେ ଏହା ଦ୍ୱିତୀୟ ଚଢ଼ଉ । ସକାଳ ୮ଟା ବେଳେ ଡିସିପି ଅନୁପ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଝାରପଡ଼ା ଜେଲ୍‌ ଭିତରକୁ ପଶିଲେ । ଉକ୍ତ ଟିମ୍‌ରେ ଥିଲେ ଭୁବନେଶ୍ୱର କମିଶନ୍‌ରେଟ୍‌ ପୁଲିସ୍‌ର ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୪ଜଣ ଆଇଆଇସି,ଏସ୍‌ଆଇ, ଏଏସ୍‌ଆଇ ଓ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ । ଜେଲ୍‌ରେ ଅନ୍ତେବାସୀ ମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ । ଜେଲ୍‌ରେ ଭିତରେ ପୁଲିସ ପହଞ୍ଚି ସେଲ୍‌ ଗୁଡ଼ିକ ଯାଞ୍ଚ କରିଥିଲେ ।

ଟିମ୍‌ ପଶିଥିଲା ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ଧଳସାମନ୍ତ ରହୁଥିବା ସେଲ୍‌ ଭିତରେ । ସେଠାରୁ ପୁଲିସ ଏକ ସିମ୍‌, ଗଞ୍ଜେଇ, ବିଡି, ସିଗାରେଟ୍‌ ଓ ଗୁଟ୍‌ଖା ପାଇଥିଲା । ତା’ପରେ ଝାରପଡ଼ା ଜେଲ୍‌ ୱାର୍ଡର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ମଲ୍ଲିକ ଓ ଚିଟ୍‌ଫଣ୍ଡ ଠକେଇରେ ଗିରଫ ହୋଇଥିବା ଏଟି ମାଲିକ ପ୍ରଦୀପ ସେଠୀ ରହୁଥିବା ସେଲ୍‌ରେ । ସେଠାରୁ ମଧ୍ୟ ନେଲ୍‌କଟର,ସିମ୍‌ କାର୍ଡ, ଛୁରି, କଲମ, ମାର୍କର, ସିଗାରେଟ୍‌, ତାସ କାର୍ଡ ଓ ଗଞ୍ଜେଇ ମିଳିଥିଲା । ଅନ୍ୟ ଚିଟ୍‌ଫଣ୍ଡ ଅଭିଯୁକ୍ତମାନଙ୍କ ସେଲରେ ମଧ୍ୟ ଏ ଭଳି ଜିନିଷ ମିଳିଥିଲା ।
ଚଢ଼ଉ ବେଳେ ସିମ୍‌ ମିଳିଲା ହେଲେ ମୋବାଇଲ୍‌ ଫୋନ୍‌ ପୁଲିସ୍‌ ପାଇଲା ନାହିଁ । ଜେଲ୍‌ରେ ଲାଗିଥିବା ସିସିଟିଭି ମଧ୍ୟରୁ ୮୦ ପ୍ରତିଶତ ଅଚଳ । ଏହାର ଫାଇଦା ନେଇ କଏଦୀମାନେ ମନମାନି କରୁଛନ୍ତି । ଜେଲ୍‌ କର୍ତ୍ତୃପକ୍ଷ ଜାଣିଶୁଣି ସିସିଟିଭି ମରାମତି କରୁନାହାନ୍ତି ବୋଲି ପୁଲିସ୍‌ କହିଛି ।

ସିମ୍‌ ମିଳିଥିବାରୁ ସେଠାରେ ନିଶ୍ଚିତ ଫୋନ୍‌ ଥିବ ବୋଲି ଜୋନ୍‌ ଏସିପି କହିଛନ୍ତି । ଜେଲ୍‌ କର୍ତ୍ତୃପକ୍ଷ କଏଦୀମାନଙ୍କ ଠାରୁ ଫୋନ୍‌ ନେଇ ଲୁଚାଇ ଦେଇଛନ୍ତି । ନ’ହେଲେ ଜେଲ୍‌ କର୍ମଚାରୀଙ୍କ ଫୋନ୍‌ରେ ସେମାନେ ସିମ୍‌ ପକାଇ କଥା ହେଉଥିବେ ବୋଲି ପୁଲିସ୍‌ ଅନୁମାନ କରିଛି । ବଡ଼କଥା ହେଉଛି ଜେଲ୍‌ରେ କଡ଼ା ସୁରକ୍ଷା ରହିଛି ବୋଲି କହୁଛନ୍ତି ଜେଲ୍‌ର । ହେଲେ ଏସବୁ ଜିନିଷ କେମିତି ଜେଲ୍‌ ଭିତରକୁ ଯାଉଛି ସେ ବିଷୟରେ କେହି କିଛି କହୁନାହାନ୍ତି । ଜେଲ୍‌ରେ ଗଞ୍ଜେଇ, ସିଗାରେଟ୍‌, ବିଡ଼ି, ଖଇନି, ଗୁଟ୍‌ଖା, ଟେସିନ୍‌ ବଲ୍‌, କଲମ, ମାର୍କର, ସିମ୍‌ କାର୍ଡ, ଅଶ୍ଳୀଳ ପୁସ୍ତକ କେମିତି ଆସିଲା ସେ ବିଷୟରେ ଜେଲର ଧୀରେନ୍ଦ୍ର ସ୍ୱାଇଁଙ୍କୁ ପଚାରିବାରେ ସେ ଉତ୍ତର ଦେଇଛନ୍ତି ‘ମୁଁ କିଛି ଜାଣିନି’ । ଚୌଦ୍ୱାର ଜେଲ୍‌ରେ ଚଢ଼ଉର କିଛି ଦିନ ପରେ ଭୁବନେଶ୍ୱର ପୁଲିସର ଏଭଳି ଚଢ଼ଉକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଯଦି ଚଢ଼ଉ କରିବାର ଥିଲା ତେବେ ଭୋର ୪ଟା ବେଳେ ପୁଲିସ୍‌ ଚଢ଼ଉ କରିଥିଲେ ଆହୁରି ଅନେକ ଜିନିଷପତ୍ର ମିଳିଥାନ୍ତା । ସକାଳ ୮ଟା ବେଳେ ଡିଣ୍ଡିମ ପିଟି ପୁଲିସ୍‌ ଚଢ଼ଉ କଲା । ଏହାର ସୁଯୋଗରେ କଏଦୀମାନଙ୍କ ପାଖରେ ଥିବା ସମସ୍ତ ଆପତ୍ତିଜନକ ଜିନିଷପତ୍ର ଆଣି ଲୁଚାଇ ଦେଲେ ଜେଲ୍‌ କର୍ତ୍ତୃପକ୍ଷ । ପୁଲିସ୍‌ ଓ ଜେଲ୍‌ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ ଏହି ଚଢ଼ଉ ହୋଇଛି ବୋଲି ଲୋକେ ମତପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା