କଂଗ୍ରେସରେ ଅଧିକ ଦାଗୀ, ବିଜେଡିରେ କୋଟିପତି

ଭୁବନେଶ୍ୱର,୭ା୪(ବ୍ୟୁରୋ): ୩ ଦିନ ପରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ । ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ପାଇଁ ୧୯୧ଜଣ ବଧିାୟକ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ସର୍ବାଧିକ ଦାଗୀ ନେତାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡିରେ ରହିଛନ୍ତି ବେଶି କୋଟିପତି ପ୍ରାର୍ଥୀ । ଏଡିଆର୍‌ ପକ୍ଷରୁ ୨୦୧୯ ନିର୍ବାଚନ ପାଇଁ ଓଡ଼ିଶା ଇଲେକସନ୍‌ ୱାଚ୍‌ ରିପୋର୍ଟ ଆଜି ପ୍ରକାଶ ପାଇଛି ।

ଏଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ଆଧାର କରି ରିପୋର୍ଟ ଉପସ୍ଥାପନ କରାଯାଇଛି । ୧୮୯ ବିଧାୟକ ପ୍ରାର୍ଥୀଙ୍କର ସତ୍ୟପାଠ ବିଶ୍ଳେଷଣ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀଙ୍କ ଭିତରୁ ୫୫ଜଣ ଦାଗୀ । ଅର୍ଥାତ୍‌ ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୨୯% ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ସେଥିରୁ ୩୫ଜଣ ପ୍ରାର୍ଥୀ (୧୯%) ଙ୍କ ବିରୋଧରେ ରହିଛି ସଙ୍ଗୀନ ଦଫା ଥିବା ମାମଲା । ପ୍ରଥମ ପର୍ଯ୍ୟାୟରେ ୨୭ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଛି । ସେଥିରୁ ୧୬ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ଅର୍ଥାତ୍‌ ୫୯% ପ୍ରାର୍ଥୀ ଦାଗୀ । ଏହାମଧ୍ୟରୁ ୧୦ଜଣ (୩୭%) କଂଗ୍ରେସ ପ୍ରାର୍ଥୀଙ୍କ ନାଁରେ ରହିଛି ସଙ୍ଗୀନ ଅପରାଧିକ ମାମଲା । ବିଜେପିରେ ୩୯% ଦାଗୀ ପ୍ରାର୍ଥୀ ଥିବାବେଳେ ସେଥିରୁ ୨୯% ପ୍ରାର୍ଥୀଙ୍କ ନାମରେ ସଙ୍ଗୀନ ମାମଲା ଅଛି । ବିଜେପିରେ ୧୧ଜଣ ଦାଗୀ ବିଧାୟକ ପ୍ରାର୍ଥୀ ଅଛନ୍ତି । ତା’ ଭିତରୁ ୮ ପ୍ରାର୍ଥୀ ସଙ୍ଗୀନ ଅପରାଧ ମାମଲାରେ ଜଡ଼ିତ ।

ବିଜେଡିରେ ଦାଗୀ ପ୍ରାର୍ଥୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ । ବିଜେଡିରେ ୩୨% ଦାଗୀ ପ୍ରାର୍ଥୀ ଥିବାବେଳେ ସେଥିରୁ ୨୧% ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ଅଛି । ବିଜେଡିର ମୋଟ ୯ ବିଧାୟକ ପ୍ରାର୍ଥୀ ଦାଗୀ । ତା’ ଭିତରୁ ୬ଜଣ ପ୍ରାର୍ଥୀଙ୍କ ନାଁରେ ସଙ୍ଗୀନ ମାମଲା ଅଛି । ଏବେ ନଜର ପକାଇବା ବିଧାୟକ ପ୍ରାର୍ଥୀଙ୍କ ଧନ ସମ୍ପତ୍ତି ଉପରେ । ମୋଟ ୪୯ଜଣ ବିଧାୟକ ପ୍ରାର୍ଥୀ କୋଟିପତି । ୫ କୋଟିରୁ ଅଧିକ ସମ୍ପତ୍ତି ତାଲିକାରେ ୭ଜଣ ପ୍ରାର୍ଥୀ ରହିଛନ୍ତି । ସବୁଠୁ ଧନୀ ବିଧାୟକ ହେଲେ ବିଜେପିର ଧର୍ମଗଡ଼ ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ । ୨୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିର ସେ ମାଲିକ । ଦ୍ୱିତୀୟରେ ରହିବେ କଂଗ୍ରେସର ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀ । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୭ କୋଟି ୭୧ ଲକ୍ଷ ଟଙ୍କାରୁ ଅଧିକ । ତୃତୀୟରେ ଅଛନ୍ତି ବିଜେଡିର ଦିଗପହଣ୍ଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୬ କୋଟି ୬୮ ଲକ୍ଷ ଟଙ୍କାରୁ ଅଧିକ । ବିଜେଡିରେ ୧୭ଜଣ କୋଟିପତି ବିଧାୟକ ପ୍ରାର୍ଥୀ ଥିବାବେଳେ କଂଗ୍ରେସରେ ୧୪ଜଣ ଓ ବିଜେପିରେ ୧୧ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି ।

ବିଏସ୍‌ପିର ୨ଜଣ ପ୍ରାର୍ଥୀ ବି କୋଟିପତି । ବିଜେଡିରେ ୬୧% କୋଟିପତି ପ୍ରାର୍ଥୀ ଥିବାବେଳେ କଂଗ୍ରେସରେ ୫୨%, ବିଜେପିରେ ୩୯% କୋଟିପତି ପ୍ରାର୍ଥୀ ଅଛନ୍ତି । ସମ୍ପତ୍ତି ଶୂନ୍ୟ ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ଗୋପାଳପୁର ଆସନର ସ୍ୱାଧୀନ ପ୍ରାର୍ଥୀ ବିଶ୍ୱ ବିହାରୀ ବିଶୋୟୀ ଓ ନୂଆପଡ଼ା ନିର୍ବାଚନମଣ୍ଡଳୀର ନିର୍ଦ୍ଦଳୀୟ ପ୍ରାର୍ଥୀ ଲୋଚନ ମୋହନ ମାଝୀ । ଉଭୟଙ୍କ ପାଖରେ ଆଦୌ ଧନ ସମ୍ପତ୍ତି ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି । ତିନି ଜଣ ଅତି ଗରିବ ପ୍ରାର୍ଥୀ ବି ଅଛନ୍ତି । ଜୟପୁରର ନିର୍ଦ୍ଦଳୀୟ ପ୍ରାର୍ଥୀ ସୁବାସ ଗୌଡ଼ଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ମାତ୍ର ୧ ହଜାର ଟଙ୍କା, କୋରାପୁଟର ଏସ୍‌ୟୁସିଆଇ(ସି) ପ୍ରାର୍ଥୀ ରାମ ବାରିକଙ୍କର ସମ୍ପତ୍ତିର ମୂଲ୍ୟ ୧୫୬୬ ଟଙ୍କା ଓ ଲକ୍ଷ୍ମୀପୁରରେ ସିପିଆଇ (ଏମଲଏଲ୍‌) ରେଡ୍‌ ଷ୍ଟାର୍‌ ପ୍ରାର୍ଥୀ ପୂର୍ଣ୍ଣ ମାଡ଼ିଙ୍ଗିଙ୍କ ସମ୍ପତ୍ତିର ମୂଲ୍ୟ ୫ ହଜାର ଟଙ୍କା । ସର୍ବାଧିକ ଆୟ କରୁଥିବା ପ୍ରାର୍ଥୀଙ୍କ ଭତିରେ ସବୁଠୁ ଶୀର୍ଷରେ ଅଛନ୍ତି ପାରଳାଖେମୁଣ୍ଡରି ସ୍ୱାଧୀନ ପ୍ରାର୍ଥୀ ତିରୁପତିି ପାଣିଗ୍ରାହୀ । ବଡ଼ କଥା ହେଲା, ୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ଜଣ ବିଧାୟକ ପ୍ରାର୍ଥୀ ଆୟକର ଦାଖଲ ସମ୍ପର୍କିତ ବିବରଣୀ ଦର୍ଶାଇନାହାନ୍ତି ।

ଏବେ ନଜର ପକାଇବା ଲୋକସଭା ପ୍ରାର୍ଥୀଙ୍କ ଉପରେ । ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ହେବାକୁ ଥିବା ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନରେ ମୋଟ ୨୬ଜଣ ପ୍ରାର୍ଥୀ ରହିଛନ୍ତି । ଏଥିମଧ୍ୟରୁ ୬ଜଣ ପ୍ରାର୍ଥୀ ଦାଗୀ । ସେଥିରୁ ୫ଜଣଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ରହିଛି । କଂଗ୍ରେସର ସର୍ବାଧିକ ୩ଜଣ ସାଂସଦ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଅଛି । ସେଥିରୁ ୨ଜଣଙ୍କ ନାଁରେ ସଙ୍ଗୀନ ମାମଲା ରହିଛି । ବିଜେପିର ୨ ସାଂସଦ ପ୍ରାର୍ଥୀ ଦାଗୀ ଥିବାବେଳେ ଉଭୟଙ୍କ ବିରୋଧରେ ସଙ୍ଗୀନ ଦଫା ଅଛି । ସିପିଆଇ (ଏମଏଲ୍‌) ରେଡ୍‌ ଷ୍ଟାର୍‌ର ଜଣେ ପ୍ରାର୍ଥୀଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ଅଛି । ଧନୀ ସାଂସଦ ପ୍ରାର୍ଥୀ ତାଲିକାରେ ସବୁଠୁ ଉପରେ ଅଛନ୍ତି ବ୍ରହ୍ମପୁରର କଂଗ୍ରେସ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡ଼ୁ । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୬ କୋଟି ଟଙ୍କା । ନାଇଡୁଙ୍କ ନାଁରେ ୮ ହଜାର ଟଙ୍କାର ଋଣ ରହିଛି ।

ଧନୀ ତାଲିକାରେ ଦ୍ୱିତୀୟରେ ଅଛନ୍ତି ନବରଙ୍ଗପୁରର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ । ୮ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ବଳଭଦ୍ର । କୋରାପୁଟର ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗୀ ରହିଛନ୍ତି ତୃତୀୟରେ । ଜୟରାମଙ୍କ ମୋଟ ସମ୍ପତ୍ତିର ପରିମାଣ ୪ କୋଟି ଟଙ୍କାରୁ ଅଧିକ ହେବ । ୨୬ ସାଂସଦ ପ୍ରାର୍ଥୀଙ୍କ ଭତିରୁ ୧୦ଜଣ କୋଟିପତି । ବିଜେଡି, ବିଜେପି ଓ କଂଗ୍ରେସରେ ୩ଜଣ ଲେଖାଏଁ କୋଟିପତି ପ୍ରାର୍ଥୀ ଥିବାବେଳେ ଜଣେ ନିର୍ଦ୍ଦଳୀୟ ବି କୋଟିପତି । ସବୁଠୁ ଗରିବ ସାଂସଦ ପ୍ରାର୍ଥୀଙ୍କ ଭିତରେ ରହିଛନ୍ତି କୋରାପୁଟ ଲୋକସଭା ଆସନର ସିପିଆଇ(ଏମଏଲ୍‌) ରେଡଷ୍ଟାର ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦ୍ରୁକା । ତାଙ୍କ ପାଖରେ ଧନସମ୍ପତ୍ତି କହିଲେ ମାତ୍ର ୫୬୫ ଟଙ୍କା ପାଖରେ ଅଛି ।

ବ୍ରହ୍ମପୁରର ନିର୍ଦ୍ଦଳୀୟ ପ୍ରାର୍ଥୀ କେ.ଶ୍ୟାମବାବୁ ସୁବୁଦ୍ଧିଙ୍କ ମୋଟ ସମ୍ପତ୍ତିର ପରିମାଣ ମାତ୍ର ୧୦ ହଜାର ଟଙ୍କା । ସେହିପରି କୋରାପୁଟ ଆସନର ସିପିଆଇ (ଏମଲ୍‌ଏଲ୍‌) (ଏଲ୍‌) ପ୍ରାର୍ଥୀ ଦାମୋଦର ଶବରଙ୍କ ଧନ ସମ୍ପତ୍ତିର ମୂଲ୍ୟ ୧୫ ହଜାର ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଇଲେକନସନ୍‌ ୱାଚ୍‌ ସଂଯୋଜକ ରଂଜନ ମହାନ୍ତି, ଅମୀୟ ତ୍ରିପାଠୀ, ଶେଷ ଦେବ ସାହୁ, ବୈକୁଣ୍ଠନାଥ ପାଣିଗ୍ରାହୀ ଓ ଡା.ସେବା ମହାପାତ୍ର ଏହି ରିପୋର୍ଟ ଉନ୍ମୋଚନ କରିଛନ୍ତି । ଏହା ସହ ଭୋଟରଙ୍କୁ ସଚେତନ କରିବା ଲାଗି ପୋଷ୍ଟର ମଧ୍ୟ ଉନ୍ମୋଚିତ ହୋଇଛି ।

   ସମ୍ବନ୍ଧିତ ଖବର


ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !

ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଶପଥ ଗ୍ରହଣ ସମୟରେ AIMIM ବିଧାୟକ ‘ହିନ୍ଦୁସ୍ଥାନ’ କହିବାକୁ କଲେ ଆପତ୍ତି, ବିହାର ବିଧାନସଭାରେ ହଙ୍ଗାମା

ବିହାର ପରେ ଦକ୍ଷିଣ ମୁହାଁ ବିଜେପି, ଚେନ୍ନାଇରେ ଶାହଙ୍କ ରୋଡ ଶୋ’