ଫୋନି ଖାଇଦେଲା ୧୪ ଲକ୍ଷ ଗଛ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ବାତ୍ୟା ‘ଫୋନି’ ମାଡ଼ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପରିବେଶ । ଭାଙ୍ଗି ଉପୁଡ଼ି ନଷ୍ଟ ହୋଇଛି ୧୪ ଲକ୍ଷରୁ ଅଧିକ ଗଛ । ଜଙ୍ଗଲ ଓ ଅଭୟାରଣ୍ୟରେ ପ୍ରାୟ ୯ ଲକ୍ଷ ଗଛ ଛାରଖାର ହୋଇଛି । ସରକାର ନିଜ ରିପୋର୍ଟରେ ଏହା ଦର୍ଶାଇଛନ୍ତି ।

ବାତ୍ୟାରେ ୨୦ଟି ଜଙ୍ଗଲର ଭିତ୍ତିଭୂମି ଓ ବନ୍ୟପ୍ରାଣୀ ଶାଖାରେ ବ୍ୟାପକ କ୍ଷତି ହୋଇଛି । ଭିଏଚଲଫ ଟାୱାର, ଷ୍ଟାଫ୍‌ କ୍ୱାର୍ଟର, ସୁରକ୍ଷା ବାରାକ୍‌, ବିଶ୍ରାମ ଗୃହ, ନର୍ସରୀ, ଡଙ୍ଗା ଓ ପରିବେଶ ପର୍ଯ୍ୟଟନ ସୁବିଧା ଓ ରାସ୍ତା ଆଦି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ଏ କ୍ଷେତ୍ରରେ ପ୍ରାୟ ୭୮ କୋଟି ୩୦ ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ କୁହାଯାଇଛି । ଜଙ୍ଗଲ ଭିତର ଅଞ୍ଚଳ ଓ ଅଭୟାରଣ୍ୟରେ ୯ ଲକ୍ଷ ଗଛ ଉପୁଡ଼ି ପଡ଼ିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୭୦ କୋଟି ଟଙ୍କା ହେବ । ଜଙ୍ଗଲ ବାହାରେ ୫ ଲକ୍ଷ ଗଛ ଉପୁଡ଼ିଛି । ଏହାର କ୍ଷତି ଆକଳନ ୧୫୦ କୋଟି ଟଙ୍କା କରାଯାଇଛି । ବନୀକରଣ ପାଇଁ ଥିବା ୮ ଲକ୍ଷ ଚାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଯାହାର କ୍ଷତି ପରିମାଣ ୩୯ କୋଟି ୫୦ ଲକ୍ଷ ଟଙ୍କା ହେବ । ଜଙ୍ଗଲ ଓ ପରିବେଶ ବିଭାଗର ମୋଟ କ୍ଷୟକ୍ଷତି ପରିମାଣ ୫୩୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆସନ୍ତା ୨୧ରୁ ନନ୍ଦନକାନନ ଓ ଆସନ୍ତାକାଲିଠାରୁ ଜୟଦେବ ବାଟିକା ଖୋଲିବ ବୋଲି ବିଭାଗ କହିଛି ।

ବାତ୍ୟା ‘ଫୋନି’ ପୁରୀରେ ସିଧା ମାଡ଼ ହୋଇଥିବାବେଳେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱରରେ ବ୍ୟାପକ କ୍ଷତି କରିଛି । ସର୍ବାଧିକ କ୍ଷତି ପହଞ୍ଚାଇଛି ଗଛଲତା ଉପରେ । ଲକ୍ଷଲକ୍ଷ ଗଛ ଭାଙ୍ଗିଛି, ଉପୁଡ଼ି ପଡ଼ିଛି । ପୁରୀରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ପୂରା ଛାରଖାର ହୋଇଛି । ଏହି ଅଭୟାରଣ୍ୟର ଲକ୍ଷଲକ୍ଷ ଗଛ ଉଜୁଡ଼ିଛି । ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଏବେ କାଁ ଭାଁ ଥୁଣ୍ଟା ଗଛ ଛିଡ଼ା ହୋଇଛି । ସାକ୍ଷୀଗୋପାଳରେ ବ୍ୟାପକ ନଡ଼ିଆ ଗଛ ଭାଙ୍ଗି ପଡ଼ିଛି । ଅସ୍ତରଙ୍ଗ, ନିମାପଡ଼ା, ବ୍ରହ୍ମଗିରିରେ ବହୁ ଗଛ ଉଜୁଡ଼ିଛି ।

ଭୁବନେଶ୍ୱରରେ ବି ବହୁ ସଂଖ୍ୟାରେ ଗଛ ମାରି ଦେଇଛି ବାତ୍ୟା । ଚନ୍ଦକା, ଭରତପୁର ଓ ନନ୍ଦନକାନନରେ ହଜାର ହଜାର ଗଛ ଉପୁଡ଼ି ପଡ଼ିଥିବାବେଳେ ରାସ୍ତାକଡ ବନୀକରଣ ପୂରା ବରବାଦ୍‌ ହୋଇଛି । ରାଜଧାନୀର ସମସ୍ତ ପାର୍କରେ ଶହଶହ ଗଛ ବଳି ପଡ଼ିଛି ବାତ୍ୟାରେ । କଟକର ଉଭୟ ସହର ଓ ଗ୍ରାମାଞ୍ଚଳରେ ବ୍ୟାପକ ଗଛ ଉପୁଡ଼ିଛି ଓ ଭାଙ୍ଗିଛି । କଟକ, ଭୁବନେଶ୍ୱର, ଯାଜପୁର ଓ ପାରାଦୀପରେ ୫୦ ପ୍ରତିଶତ ଗଛ ନଷ୍ଟ ହୋଇଛି । ଖୋର୍ଦ୍ଧା, କଟକ ଓ ଯାଜପୁରରେ ୬୫ଟି କାଜୁ ବଗିଚା ବରବାଦ୍‌ ହୋଇଯାଇଛି ବାତ୍ୟା ମାଡ଼ରେ ।
ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁସାରେ ବାତ୍ୟାରେ ୧୪ ଜିଲ୍ଲା ପ୍ରଭାବିତ ହୋଇଛି । ୧୫୯ ବ୍ଲକ, ୫୨ଟି ପୌର ସଂସ୍ଥା ଓ ୧୮ ହଜାର ୧୬୮ଟି ଗାଁରେ ପ୍ରଭାବ ପକାଇଛି । ପ୍ରଭାବିତ ହୋଇଛନ୍ତି ୧ କୋଟି ୬୫ ଲକ୍ଷ ୩୦ ହଜାର ୯ଶହ ଲୋକେ । ୫ ଲକ୍ଷ ୮ ହଜାର ୪୬୭ ଘର ନଷ୍ଟ ହୋଇଛି ।
ସରକାର ଆଜି ଦେଇଥିବା ରିପୋର୍ଟରେ ମୃତ୍ୟୁ ସଂଖ୍ୟା ବଢ଼ି ୪୩ରେ ପହଞ୍ଚିଛି । ପୁରୀରେ ସର୍ବାଧିକ ୨୧, କଟକରେ ୬, ଖୋର୍ଦ୍ଧାରେ ୫, ମୟୂରଭଞ୍ଜ ଓ ଯାଜପୁରରେ ୪ଜଣ ଲେଖାଏଁ ଏବଂ କେନ୍ଦ୍ରାପଡ଼ାରେ ୩ଜଣ ପ୍ରାଣ ହରାଇଛନ୍ତି ବାତ୍ୟାରେ । ବାତ୍ୟା ମାଡ଼ରେ ୩୭ ଲକ୍ଷ ୩୩ ହଜାର ୭୯ଟି ପ୍ରାଣୀ ସମ୍ପଦ ମରିଛନ୍ତି । ଏଥିମଧ୍ୟରେ ୩୭ ଲକ୍ଷ ୨୮ ହଜାର ୩୮୧ଟି କୁକୁଡ଼ା ମରିଛନ୍ତି । ୨୨୧୦ଟି ଗୋମହିଷାଦି, ୨୮୮ଟି ଛେଳି ଓ ମେଣ୍ଢ।। ବି ମରିଛନ୍ତି ବାତ୍ୟାରେ । ଏହି ବାତ୍ୟାରେ ମୋଟ ୬ ହଜାର ୩୯୦ଟି ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି ।
ସରକାର ରିପୋର୍ଟ ଦେଇଛନ୍ତି, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ପାଖାପାଖି ୬୫କୋଟି ୨୫ଲକ୍ଷ ଟଙ୍କାର କ୍ଷତି ହୋଇଛି । ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଭିତ୍ତିଭୂମି ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ରାଜଧାନୀର ଗଣ୍ଡମୁଣ୍ଡାରେ ଥିବା ‘କଳାଭୂମି’ ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ଐତିହ୍ୟ ଗ୍ରାମ ରଘୁରାଜପୁର ମଧ୍ୟ ବହୁ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ଜିଲ୍ଲାର ପଟ୍ଟଚିତ୍ର, ପଥର ଖୋଦେଇ, ତାରକସୀ, ଡୋକ୍ରା, ପିପିଲି ଚାନ୍ଦୁଆ କାମ, କତା ଶିଳ୍ପ, ଗୋଲଡେନ୍‌ ଗ୍ରାସ୍‌, କଂସାପିତ୍ତଳ ଓ ଟେରାକୋଟା କ୍ଷେତ୍ରରେ କାମ କରୁଥିବା ୭୧ହଜାର ୬୦ଜଣ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ