କ୍ୟାଡର ମାଓବାଦୀ ରାମଦାସର ଆତ୍ମସମର୍ପଣ

ଭବାନୀପାଟଣା ୧୯/୨: କଳାହାଣ୍ଡି ଏସ୍‌ପିଙ୍କ ନିକଟରେ ମଙ୍ଗଳବାର ଆତ୍ମସମର୍ପଣ କରିଛି କ୍ୟାଡର ମାଓବାଦୀ କେଶବ ଭେଦାଲି ଓରଫ୍‌ ଦୀପକ୍‌ ଓରଫ୍‌ ରାମଦାସ (୨୭) । ଏସ୍‌ପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ବାତୁଲା ଗଙ୍ଗାଧର ଏବଂ ସିଆରପିଏଫ୍‌ ୬୪ ବାଟାଲିୟନର କମାଣ୍ଡାଣ୍ଟ ବିପ୍ଲବ ସରକାରଙ୍କ ଉପସ୍ଥିତିରେ ରାମଦାସ ଆତ୍ମସମର୍ପଣ କରିଛି । ରାମଦାସର ଘର ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ପାଲ୍‌ସେଗୁଣ୍ଡାପୁର ଗ୍ରାମରେ । ସେ ପୂର୍ବରୁ ମାଓ ସଂଗଠନରେ ସାମିଲଥିବା ନିଜ କାକାଙ୍କ ପ୍ରରୋଚନାରେ ୨୦୦୯ରେ ମାଓ ସଂଗଠନରେ ଯୋଗ ଦେଇଥିଲା । ଛତିଶଗଡ଼ରେ ଗଙ୍ଗାଲୁର ଦଲମରେ ପ୍ରାୟ ଏକବର୍ଷ କାମ କରିବା ପରେ ରାମଦାସକୁ ଓଡ଼ିଶା ସ୍ଥାନାନ୍ତର କରାଯାଇଥିଲା ଏବଂ ସେ ଓଡ଼ିଶାରେ ମାଓନେତା ଜାମପନ୍ନାର ସୁରକ୍ଷା କର୍ମୀ ଭାବରେ କାମ କରୁଥିଲା ।

୨୦୧୧ରେ ତାଙ୍କୁ ଖରାଙ୍ଗନଦୀ ଏରିଆ କମିଟିକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାକୁ ଏସିଏମ୍‌ ପଦୋନ୍ନତି ଦିଆଯାଇଥିଲା । ଖରାଙ୍ଗନଦୀ ଏରିଆ କମିଟିରେ ସେ ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲା । ମାଓ ସଂଗଠନର ଶୋଷଣ ଓ ଦମନମୂଳକ ନୀତିରେ ଅତିଷ୍ଠ ହୋଇ କୌଶଳକ୍ରମେ ସେଠାରୁ ଖସିଯିବାକୁ ଚେଷ୍ଟାକରୁଥିବା ବେଳେ ମାଓନେତା ହାତରେ ଧରାପଡ଼ିଥିଲା । ସେଠାରେ ତାକୁ ଧମକଦେଇ ମାଓନେତାମାନେ ଅଟକ ରଖିଥିଲେ ଏବଂ ତାକୁ ପୁଣି ତଳପଦକୁ ଖସାଇ ଦେଇଥିଲେ । ସେ ଏରିଆ କମିଟି ସଦସ୍ୟ ଭାବରେ କାମକରୁଥିଲା ଏବଂ ତାକୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଓ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ କାର୍ଯ୍ୟକରୁଥିବା ରାହୁଳ ଏରିଆ କମିଟିକୁ ସ୍ଥାନାନ୍ତରିତ କରାଯାଇଥିଲା। ମାଓ ସଂଗଠନର ଶୋଷଣ ନୀତିକୁ ନାପସନ୍ଦ କରି ସେ କଳାହାଣ୍ଡି ଏସ୍‌ପିଙ୍କ ସହ ଆତ୍ମସମର୍ପଣ ନିମନ୍ତେ ଯୋଗାଯୋଗ କରିଥିଲା ଓ ଯୋଜନା ମୁତାବକ ଆଜି ଆତ୍ମସମର୍ପଣ କଲା ବୋଲି ରାମଦାସ ପ୍ରକାଶ କରିଛି । କ୍ୟାଡର ମାଓବାଦୀ ରାମଦାସଙ୍କ ମୁଣ୍ଡ ଉପରେ ରାଜ୍ୟ ସରକାର ୪ଲକ୍ଷ ଟଙ୍କା ର ପୁରସ୍କାର ଘୋଷଣା କରିଥିଲେ ।

   ସମ୍ବନ୍ଧିତ ଖବର


ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

କଥା ଦେଇ କଥା ରଖିଲେ ସରକାର: ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ; ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ, ଗୃହ ଋଣ ସହ ପିଲାଙ୍କୁ ପଢ଼ା ଖର୍ଚ୍ଚ ଦେବେ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ: ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରୁନି, ମାନସିକ ଚାପରୁ ଆତ୍ମହତ୍ୟା

ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…

ବିନ୍ଦୁସାଗରରେ ଡଙ୍ଗା ଭସା ମନା, କଟକଣା ଜାରି କଲା ବିଏମ୍‌ସି