ଘନ ଅନ୍ଧାରରେ ଗହୀର ମଝିରେ ଥିବା ଏକ ବଗିଚାକୁ ନେଇ ୩ ବର୍ଷର ଝିଅର ତଣ୍ଟିଚିପି ମାରିଥିଲା ବାପା

କବିସୂର୍ଯ୍ୟନଗର, : ଘନ ଅନ୍ଧାରରେ ଗହୀର ମଝିରେ ଥିବା ଏକ ବଗିଚାକୁ ନେଇ ୩ ବର୍ଷର ଝିଅର ତଣ୍ଟିଚିପି ହତ୍ୟା କରିଦେଲା ନୃଶଂସ ବାପା । ହତ୍ୟା ପରେ ବଗିଚାରେ ଫିଙ୍ଗିଦେଇ ଲୁଚିଥିଲା । ହେଲେ ଲୁଚିଲାନି ସତ । ଛାନ୍‌ଭିନ୍‌ କରି ସେଦିନର କାଳ ରାତ୍ରିର କାହାଣୀକୁ ପର୍ଦ୍ଦାଫାସ୍‌ କଲା ପୁଲିସ । ପେଣ୍ଠକଟା ମେରାଇନ୍‌ ଥାନା ପୁଲିସ ଅଭିଯୁକ୍ତ ବାପାକୁ ଧରିଲା । ସେ ହେଲା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧୀନ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ବିଭୂତି ଜେନା । ନିଜ ଘରୁ ଶିଶୁକନ୍ୟାକୁ ନେଇ ପୁରୀ ଚାଲି ଆସିଥିବାବେଳେ ସେଠାରେ ପତ୍ନୀ ଜ୍ୟୋତ୍ସା ଜେନାଙ୍କ ଅଭିଯୋଗ କ୍ରମେ ରୁଜୁ ହୋଇଥିବା ଅପହରଣ ମାମଲା ଏବେ ହତ୍ୟା ମାମଲାକୁ ରୂପାନ୍ତରିତ ହୋଇଛି ।

ପୁଲିସ ସୂତ୍ର ଅନୁଯାୟୀ, ବିଭୂତି ଓ ଜ୍ୟୋତ୍ସ୍ନାଙ୍କ ୭ ବର୍ଷ ତଳେ ବିବାହ ହୋଇଥିଲା । ବିବାହ ପରେ ଜ୍ୟୋତ୍ସ୍ନା ରୋଗାକ୍ରାନ୍ତ ହୋଇପଡ଼ିଥିଲେ । ତେଣୁ ପତ୍ନୀଙ୍କ ପ୍ରତି ବିଭୂତିର ସ୍ନେହଭାବ କମିଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟ ଝଗଡ଼ା ଲାଗୁଥିଲା । କିଛି ଦିନ ତଳେ ଜ୍ୟୋତ୍ସ୍ନାଙ୍କୁ ବାପଘରକୁ ତଡ଼ି ଦେଇଥିଲା ବିଭୂତି । ହେଲେ ବାପଘର ଲୋକେ ଜ୍ୟୋତ୍ସାଙ୍କୁ ପୁଣି ଶାଶୂଘରେ ନେଇ ଛାଡ଼ିଥିଲେ । ନିର୍ଯାତନା ଦେଲେ ଆଇନ୍‌ର ଆଶ୍ରୟ ନେବାକୁ ମଧ୍ୟ ଚେତାବନୀ ଦେଇଥିଲେ ଜ୍ୟୋତ୍ସ୍ନା । ଝିଅର ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ବିଭୂତିକୁ ବୁଝାଇଥିଲେ ଜ୍ୟୋତ୍ସ୍ନା । ହେଲେ ବିଭୂତି ବୁଝିବା ବଦଳରେ ହିଂସ୍ର ହୋଇ ଯାଇଥିଲା ।
ଗତ ୧୯ ତାରିଖରେ କାହାକୁ ନଜଣାଇ ଝିଅକୁ ନେଇ ପୁରୀ ଆସିଥିଲା ବିଭୂତି । ଜ୍ୟୋତ୍ସ୍ନା ଝିଅକୁ ନପାଇ ଅସ୍ତବ୍ୟସ୍ତ ହୋଇ କବିସୂର୍ଯ୍ୟନଗର ଥାନାରେ ଅପହରଣ ଅଭିଯୋଗ କରିଥିଲେ । ପୁଲିସ ଅପହରଣ ମାମଲା ରୁଜୁ କରିଥିଲା । ସେପଟେ ବିଭୂତିର ଜଣେ ମଉସା ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ଗୋପାଳପୁର ଗ୍ରାମରେ ରହୁଥିଲେ । ପୂର୍ବରୁ ମଉସାଙ୍କ ପାଖରେ ରହି ବିଭୂତି ପରିବା ବ୍ୟବସାୟ କରୁଥିଲା । ତେଣୁ ପୁରୀରେ ୧୯ ତାରିଖରେ ରାତିରେ ପୁରୀରେ ପହଞ୍ଚି ମଉସା ଘରକୁ ଯାଇନଥିଲା ବିଭୂତି । ବାହାରେ ଝିଅକୁ ନେଇ ବୁଲିଥିଲା । ବିଳମ୍ବିତ ରାତିରେ ଗୋପାଳପୁର ବିଲଭୋଇସାହି ନିକଟ ଗୁରୁ ବଗିଚାକୁ ଯାଇଥିଲା । ସେଠାରେ ଝିଅର ତଣ୍ଟି ଚିପି ଅତି ନୃଶଂସ ଭାବେ ହତ୍ୟା କରିଥିଲା । ହତ୍ୟାପରେ ସେଠାରେ ମୃତଦେହକୁ ଫିଙ୍ଗି ପଳାଇଥିଲା । କିନ୍ତୁ ଘରକୁ ନଫେରି ୨୦ ତାରିଖ ବାହାରେ ବୁଲିଥିଲା । ୨୧ ତାରିଖରେ ମଉସାଙ୍କ ଘରକୁ ସେ ଫେରିଥିଲା । ମଉସା ପୂର୍ବରୁ ଶିଶୁକନ୍ୟା ଅପହରଣ ସମ୍ପର୍କରେ ସୂଚନା ପାଇଥିଲେ । ହେଲେ ସେ ବିଷୟରେ ଜାଣିନଥିବା କହିଥିଲା ବିଭୂତି ।

୨୩ ତାରିଖରେ ବଗିଚାରେ ଗଳିତ ଶବ ପଡ଼ିଥିବା ଖବର ପାଇ ଜବତ କରିଥିଲା ପେଣ୍ଠକଟା ମେରାଇନ୍‌ ଥନା ପୁଲିସ । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ସହ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଶିଶୁର ଶବ ଦେଖି ମଉସା ବିଭୂତିକୁ ଘରେ ଅଟକାଇ ରଖିଥିଲେ । ପୁଲିସ ପହଞ୍ଚି ତାକୁ କାବୁ କରିଥିଲା । ଜ୍ୟୋତ୍ସ୍ନା ପହଞ୍ଚି ଝିଅକୁ ଚିହ୍ନଟ କରିଥିଲେ । ବିଭୂତିକୁ ଥାନାକୁ ନେଇ ପଚରାଉଚରା ପରେ ସେ ସବୁକଥା ମାନିଯାଇଥିଲା । ଝିଅକୁ ମାରିଦେଲେ କଣ୍ଟା ଛିଣ୍ଡିବ ବୋଲି ଭାବି ସେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା କହିଥିଲା । ପରେ ପୁଲିସ କବିସୂର୍ଯ୍ୟନଗର ଥାନାକୁ ସୂଚନା ଦେଇଥିଲା । ଶୁକ୍ରବାର ସେଠାକାର ପୁଲିସ ପୁରୀ ଆସି ବିଭୂତିକୁ ନେଇ ଫେରିଛି । ଅପହରଣ ମାମଲା ହତ୍ୟା ମାମଲାକୁ ରୂପାନ୍ତର ହୋଇଥିବା ପୁଲିସ କହିଛି

   ସମ୍ବନ୍ଧିତ ଖବର


କେମିତି କଟିବ ଆଜି, ପଢନ୍ତୁ ନିଜର ଭାଗ୍ୟ ଭବିଷ୍ୟ…

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ