ଆର୍ଜେଣ୍ଟିନା ଫିଲ୍ମ ଫେଷ୍ଟିଭାଲ୍‌ରେ ‘ମାସ୍କ’ ପିପୁଲ ଚୟେସ୍ ଆଓ୍ବାର୍ଡ: ନିର୍ଦ୍ଦେଶକ ଶ୍ୱେତ କୁମାର ଦାଶଙ୍କ ଅଭିନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

କୋଭିଡ୍ ଆତଙ୍କ ସମୟ ଏକ ଗରିବ ପିଲାର ଜୀବନ ଜୀବିକା ସଂଘଷର କାହାଣୀ ଅଧାରୀତ ‘ମାସ୍କ’

ବ୍ରହ୍ମପୁର ୧୧/୦୮: କରୋନା ସଙ୍କଟ ସମୟରେ ଏହି ମହାମାରୀକୁ ଆଧାର କରି ବ୍ରହ୍ମପୁରରେ ନିର୍ମିତ ହୋଇଥିଲା ସଚେତନତା ବାର୍ତ୍ତା ସମ୍ବଳିତ କ୍ଷୁଦ୍ର ଚଳଚିତ୍ର ‘ମାସ୍କ’ । ଏହା ପଛରେ ଥିଲା କୋଭିଡ୍‌ ଯୋଦ୍ଧା ଭାବେ କାର୍ଯ୍ୟରତ ବ୍ରହ୍ମପୁର ସ୍ୱତନ୍ତ୍ର ଏସ୍‌ଡିଏମ୍‌ ତଥା ବରିଷ୍ଠ ଓଏଏସ୍‌ ଅଧିକାରୀ ଶ୍ୱେତ କୁମାର ଦାଶଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା । ଏହି କ୍ଷୁଦ୍ର ସିନେମା ଏବେ ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ୱାରେଣ୍ଟାଇନ୍‌ ଇମେଜ୍‌ ଫିଲ୍ଲି ଫେଷ୍ଟିଭଲ୍‌ରେ ପୁରସ୍କୃତ ହୋଇଛି । ୩ ହଜାର ଫିଲ୍ମକୁ ପଛରେ ପକାଇ ହାସଲ କରିଛି ଇଣ୍ଟର୍‌ନ୍ୟାସନାଲ୍‌ ପିପୁଲ୍‌ସ୍‌ ଚଏସ୍‌ ପୁରସ୍କାର ।

କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ୱାବଧାନରେ ନିର୍ମିତ ଏହି ସିନେମାର ମୂଳ ବିଷୟବସ୍ତୁ ହେଉଛି କରୋନା ଆଧାରିତ । “ମାସ୍କ’ ଯଦିଓ ଏକ କ୍ଷୁଦ୍ର ଚଳଚିତ୍ର, କିନ୍ତୁ ବଳିଷ୍ଠ ଜନସଚେତନତାକୁ ଉଦ୍ରେକ କରୁଛି । କୋଭିଡ୍‌-୧୯କୁ ପ୍ରତିହତ କରିବା ନିମନ୍ତେ ଏକ ମାଇଲ୍‌ଖୁଣ୍ଟ କହିହେବ । ଏହାର କାହାଣୀ ହେଉଛି ଏକ ଆଧୁନିକ ସହର (ବ୍ରହ୍ମପୁର) ଷ୍ଟେସନ୍‌ ରୋଡ୍‌ରେ ରହୁଥିବା ଏକ ଗରିବ ପରିବାରର ପୁଅ ତଥା ନବମ ଶ୍ରେଣୀର ଛାତ୍ର ଅଜି ବିଷୟରେ ।

ନିଜେ ପଢିବା ସହିତ ମା’ ସିଲାଉଥିବା ମାସ୍କକୁ ସହରରେ ବିକ୍ରୟ କରି ପରିବାର ଗୁଜୁରାଣ ମେଣ୍ଟାଉଥାଏ । ବଜାର ବନ୍ଦ ରହିଥିବା ବେଳେ ସାଇକେଲରେ ବୁଲି ବୁଲି ୧୪ ବର୍ଷର ପୁଅ ବିକ୍ରି କରୁଥାଏ ମାସ୍କ । ବିଡମ୍ବନାର ବିଷୟ ସହରବାସୀ କଟନ୍‌ ହାତ ସିଲେଇ ମାସ୍କକୁ ହେୟ ମନେ କରନ୍ତି । ନା ତାହା ଫ୍ୟାନ୍ସି ଅଟେ ନା ଅଧିକ ମୂଲ୍ୟର । ତଥାପି ଅଜି ମା’ଙ୍କ ହାତ ସିଲାଇ କଟନ୍‌ ମାସ୍କକୁ ସହରର ଗଳିରେ ବିକ୍ରୟ କରିବାରେ ବିଶେଷ ସଫଳ ହୁଏନି । ଜଣେ ଧନୀ ସହରୀ ବାବୁ ସହ ଅଜିର ଭେଟ ହୁଏ। ଧନିକ ଜଣକ ଅଜି ଠାରୁ ମାଗଣା ମାସ୍କ ଆଶା କରି ନିଜକୁ ଜଣେ ଗରିବ ବୋଲି ପରିଚୟ ଦେଇଛନ୍ତି ।

ଅଜି ଯଦିଓ ଗରିବ, ମାତ୍ର ତାର ମାସ୍କ ଧନୀ ବ୍ୟକ୍ତିଙ୍କୁ ଦାନ କରି ଜଣେ ପ୍ରକୃତ ଧନୀର ପରିଚୟ ପାଇଛି । ଧନିକ ଜଣକ ମଧ୍ୟ ଶିକ୍ଷା ପାଇଛନ୍ତି ଯେ- ମାସ୍କ ନିଜ ଜୀବନ ପାଇଁ କେତେ ଅତ୍ୟାବଶ୍ୟକ । ଅଜି ଭୂମିକାରେ ଅଜୟ ଚୌଧୁରୀ, ମାଆଙ୍କ ଭୂମିକାରେ ସୌଭାଗିନି ମଲ୍ଲ ଏବଂ ସାହେବ ଭୂମିକାରେ ଦୁର୍ଗା ପ୍ରସାଦ ଶତପଥୀ ଅଭିନୟ କରିଛନ୍ତି । ନୀଳା ମହାପାତ୍ରଙ୍କ ସୋସିଆଲ୍‌ ଇମେଜ୍‌ ବ୍ୟାନର୍‌ରେ ନିର୍ମିତ ସର୍ଟ ଫିଲ୍ମର ପ୍ରଯୋଜନା ସହ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଡ. ଶ୍ୱେତ କୁମାର ଦାଶ । ସ୍କ୍ରିପ୍ଟ ବି ଲେଖିଛନ୍ତି ସେ । ମନୋରଞ୍ଜନ ନାୟକ କ୍ୟାମେରା ଓ ସହ-ନିର୍ଦ୍ଦେଶନା କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ନିଜର ଡ୍ୟୁଟିକୁ ଠିକ୍‌ ଭାବେ ତୁଲାଇବା ସହ ଏହି କୋଭିଡ୍‌ ଯୋଦ୍ଧା ଜଣକ ବ୍ରହ୍ମପୁର ପାଇଁ ଗୌରବ ଆଣିଛନ୍ତି । ଅଜି କିପରି ଜଣେ ଧନିକଙ୍କୁ ମାସ୍କ ଦାନ କରିଥିଲା ତାହା ନିଶ୍ଚିତ ହୃଦୟସ୍ପର୍ଶୀ ଦୃଶ୍ୟ ବୋଲି କହିଛନ୍ତି ଡ. ଦାଶ । ‘ମାସ୍କ’ ଚଳିତ ବର୍ଷର ଲିଫ୍ଟ ଅଫ୍‌ ଫାଷ୍ଟ ଟାଇମ୍‌ ଫିଲ୍ମ ମେକର ଅନ୍ତର୍ଜାତୀୟ ସିନେ ମହୋତ୍ସବରେ ଉଚ୍ଚ ପ୍ରଶଂସିତ ହେବା ସହ ଫ୍ଲିକ୍‌ ଫେୟାର ଇଣ୍ଟର୍‌ନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲରେ ଫାଇନାଲ୍‌ ପର୍ଯ୍ୟାୟକୁ ମଧ୍ୟ ଯାଇଥିଲା । ଡ. ଦାଶ ପୂର୍ବରୁ ଏହିଭଳି ଅନେକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ରାଜ୍ୟ ଚଳଚିତ୍ର ପୁରସ୍କାର ସହ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

   ସମ୍ବନ୍ଧିତ ଖବର


ବିରଳ ବିସ୍ମୟ: ଏସ୍‌ସିବିରେ ଦ୍ବୈତ ଯୌନଙ୍ଗଧାରୀ ଶିଶୁ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଅର୍ଥ ସାଜିଛି ବାଧକ, ବାପାର ଚିକିତ୍ସା ପାଇଁ ବିକ୍ରି ହେବ ପୁଅ!

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୮୭କୁ ବୃଦ୍ଧି