ଆଝାରର କିଡନୀ ଖରାପ, ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨।୩: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ଏବେ ଅସୁସ୍ଥ ଥିବା ନେଇ ବାରମ୍ବାର ଖବର ମିଳୁଛି। ଏବେ ପୁଣିଥରେ ଶୁଣିବାକୁ ମିଳୁଛି ଯେ ପାକିସ୍ତାନର ରାଓ୍ବଲପିଣ୍ଡିରେ ଏକ ସେନା ହସ୍ପିଟାଲରେ ତାକୁ ନିୟମିତ ଡାୟଲସିସ୍ କରାଯାଉଛି। ଆଜି ପାକିସ୍ତାନ ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ମେହମୁଦ କ୍ୟୁରେସୀ କହିଥିଲେ ଆଝାର ଅସୁସ୍ଥ।
ଏବେ ଜଣେ ପାକ୍ ସୁରକ୍ଷା ଅଧିକାରୀ କହିଛନ୍ତି ଆଝାରର କିଡନୀ ଖରାପ ହୋଇଯାଇଛି। ତା’ର ଚିକିତ୍ସା ରାଓ୍ବଲପିଣ୍ଡି ସେନା ହସ୍ପିଟାଲରେ ଚାଳିଛି। ଗତକାଲି ପାକିସ୍ତାନ ମନ୍ତ୍ରୀ କହିଥିଲେ ଆଝାର ଅସୁସ୍ଥ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଛି। ଓସମା ବିନ୍ ଲାଡେନର ନିକଟ ସହଯୋଗୀ ଥିବା ଆଝାର ବହୁ ଆଫ୍ରିକୀୟ ଦେଶରେ ଆତଙ୍କବାଦକୁ ବଢାଥିଲା ଓ ତାକୁ ପାକିସ୍ତାନର ଏଭଳି ଏକ ମୌଲବୀ ଭାବରେ ଜଣଯାଏ ଯିଏ ବ୍ରିଟେନର ମସଜିଦରେ ଜେହାଦୀ ପାଠ ପଢାଇଥିଲା।