ଡିଇଓଙ୍କୁ କରୋନା କଟକଣା ଚିଠି ଲେଖିଲା ଗଣଶିକ୍ଷା ବିଭାଗ, ପାଠପଢା ବିନା ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ମନା

ଭୁବନେଶ୍ଵର, ୨୨/୦୨ : ବିଭିନ୍ନ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ପାଳନ ନେଇ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ। ସମସ୍ତ ଡିଇଓଙ୍କୁ କରୋନା କଟକଣା ଚିଠି ଲେଖିଲେ ଗଣଶିକ୍ଷା ଅତିରିକ୍ତ ସଚିବ। ଏହି ଚିଠିରେ ଏସଆରସି ଜାରି କରିଥିବା ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଗୁଡିକ ସାନିଟାଇଜ୍ କରିବା, ସ୍କୁଲରେ ମାସ୍କ ପିନ୍ଧିବା, କୋବିଡ-୧୯ ନିରାପତ୍ତା ମାନିବା ପାଇଁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏତଦ୍ ବ୍ୟତୀତ ସ୍କୁଲ ଗୁଡିକରେ ସାମାଜିକ ଦୁରତ୍ଵ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍ ଓ ସାନିଟାଇଜରର ବ୍ୟବହାର ବାଧ୍ୟତାମୁଳକ କରାଯାଇଛି। ସେପଟେ ସ୍କୁଲରେ ପାଠପଢା ଛଡା ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ପାଇଁ ମନା କରିଛି ଗଣଶିକ୍ଷା ବିଭାଗ। ତେବେ ଏହି କଟକଣାକୁ ଅଣଦେଖା କଲେ କୋଭିଡ ଗାଇଡଲାଇନ ଅନୁସାରେ ଦଣ୍ଡିତ ହେବେ।
କିଛି ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଜିଲ୍ଲାପାଳ, ପୌର କମିଶନର, ଓ ଏସପିଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିବାହ, ବ୍ରତଘର, ଆଦି ସାମାଜିକ କାର୍ଯ୍ୟକ୍ରମ ଓ ହୋଟେଲ, ରେସ୍ତୋରାଁ ଗୁଡିକରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ହାଟ ବଜାରରେ ମାଇକ ଯୋଗେ ଘୋଷଣା କରାଯାଇ ନିୟମିତ ରୂପରେ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି।