‘ପିଲାଙ୍କ ଇଚ୍ଛାକୁ ସମ୍ମାନ ଦେଲେ ସଫଳତା ନିଶ୍ଚିତ’

ବାଲିକୁଦା,୨୫ା୫(ଆପ୍ର): ଛାତ୍ରଟିଏ ଯେଉଁ ବିଭାଗରେ ପାଠ ପଢିବାକୁ ଇଛା ପ୍ରକାଶ କରୁଛି, ତାକୁ ସେହି ବିଭାଗରେ ପଢ଼ିବାକୁ ସୁଯୋଗ ଦେବା ନିଆତି ଜରୁରି । ପାଠପଢାରେ ପିଲାମାନଙ୍କ ଇଛାକୁ ସମ୍ମାନ ଜଣାଇଲେ ସେମାନେ ନିଶ୍ଚିତ ଭାବେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।
ଆଜି ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଡିଟୋରିୟମରେ ଆୟୋଜିତ ମାଟ୍ରିକ ପରୀକ୍ଷାର ‘ଏ-ୱାନ୍‌’ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବା ସମ୍ୱର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀର ଏହା କହିଛନ୍ତି । ମୁଖ୍ୟ ବକ୍ତା ଭାବେ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ଯୋଗଦେଇ କେବଳ ଭଲ ପାଠ ପଢିଲେ ହେବ ନାହିଁ, ଭଲ ମଣିଷ ହୋଇ ଦେଶ ଓ ଜାତିର ଟେକ ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
“ପ୍ରମେୟ’ ନ୍ୟୁଜ୍‌ ସେଭେନ୍‌ ଓ ସୋଆ ୟୁନିଭର୍ସିଟି ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ଉତ୍ସବରେ “ପ୍ରମେୟ’ର ଡିଜିଏମ୍‌ (ନ୍ୟୁଜ୍‌) ମାନସ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ତହସିଲଦାର ଡଃ ମାନସ ରଞ୍ଜନ ଭୋଇ ଯୋଗଦେଇ ସୋଆ ବିଶ୍ୱବିଦ୍ୟାଳୟ ଓ ପ୍ରମେୟର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ “ପ୍ରମେୟ’ର ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ଯୋଗଦେଇ ଆତ୍ମବିଶ୍ୱାସ ରହିଲେ ସଫଳତା ପାଦ ତଳେ ଅଜାଡି ହୋଇଯିବ ବୋଲି କହିଥିଲେ । ଏଥିସହ ପାଠପଢାର ବୋଝ ଲଦି ପିଲାମାନଙ୍କୁ ଭାରାକ୍ରାନ୍ତ କରିବାର ପ୍ରୟାସ ଠାରୁ ଅଭିଭାବକ ଦୂରେଇ ରହିବା ନିହାତି ଦରକାର ବୋଲି ଶ୍ରୀ ସୁଆର କହିଥିଲେ । ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ସୋଆ ବିଶ୍ୱବିଦ୍ୟାଳୟର ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗଦେଇ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରୁ ଏହି ‘ଏ-ୱାନ୍‌’ ତାଲିକା ଆହୁରି ଲମ୍ୱିଯାଉ ବୋଲି ସେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କହିଥିଲେ । ‘ଏ-ୱାନ୍‌’ ଛାତ୍ରଛାତ୍ରୀ ଗଠନ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକାକୁ ସେ ଉଚ୍ଚ ପ୍ରସଂଶା କରିଥିଲେ । ସମ୍ମାନିତ ଅତିଥି ଭାବେ ଗୀତା ଟିଭିଏସ୍‌ର ମୁଖ୍ୟ ପରିଚାଳକ ମିହିର କୁମାର ଶତପଥି, କ୍ୟାରିୟର କ୍ରିଏଟରର ଅଧ୍ୟାପକ ରବିନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ ।
ଉତ୍ସବର ସଭାପତି ଡିଜିଏମ ଶ୍ରୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୪୨ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଉପସ୍ଥିତ ୩୮ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଜଗତସିଂହପୁର ଗୀତା ଟିଭିଏସ ଓ କ୍ୟାରିୟର କ୍ରିଏଟର ସହାୟତାରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଆଶୁତୋଷ ମହାନ୍ତିଙ୍କୁ ଗୀତା ଟିଭିଏସ୍‌ ପକ୍ଷରୁ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଅରୋମୀରା ନାୟକ, ତୃତୀୟ ସ୍ଥାନରେ ଥିବା ସାଇଶ୍ୱେତା ସାମନ୍ତରାୟଙ୍କୁ ଅଢେଇ ହଜାର ଲେଖାଁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପ୍ରମେୟ ଜଗତସିଂହପୁରର ଜିଲ୍ଲା ପ୍ରତିନିଧି ସିଦ୍ଧାର୍ଥ ଦାସ, ନ୍ୟୁଜ୍‌ ସେଭେନ୍‌ ଜିଲ୍ଲା ପ୍ରତିନିଧି ମନୋଜ ଦାଶ, କ୍ୟାମେରାମ୍ୟାନ୍‌ ଲୋକନାଥ ସାହୁ, ପାରାଦୀପ ପ୍ରତିନିଧି ସ୍ୱାଧୀନଚେତା ଦାସ ମହାପାତ୍ର, ବାଲିକୁଦା ପ୍ରତିନିଧି ବିଧାନ ରାଉଳ, ବିରିଡି ପ୍ରତିନିଧି ବସନ୍ତ ବେହେରା, ନାଉଗାଁ ପ୍ରତିନିଧି ଅଭିମନ୍ୟୁ ସାହୁ, ରଘୁନାଥପୁର ପ୍ରତିନିଧି ସୁବାଷ ସିଂହ, ସୂର୍ଯ୍ୟକାନ୍ତ ବେହେରା, ରାଜେଶ ଖଟୁଆ, ଦୀପକ୍‌ ବାରିକ, ପ୍ରତାପ ସାହୁ, ଆଶିଷ ଦାଶ ପ୍ରମୁଖ ପରିଚାଳନା କରିଥିବା ବେଳେ କ୍ୟାରିୟର କ୍ରିଏଟର ପକ୍ଷରୁ ଆଶୁତୋଷ ପଶାୟତ, ଦୀପକ ସାମଲ, ସୂର୍ଯ୍ୟକାନ୍ତ ଜେନା, ନାରାୟଣ ସ୍ୱାଇଁ, ସୁଜିତ୍‌ ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

   ସମ୍ବନ୍ଧିତ ଖବର


ଆଜିଠୁ ବୋର୍ଡ କର୍ମଚାରୀଙ୍କ ଆନ୍ଦୋଳନ,ଦାବି ପୂରଣ ନହେଲେ ମନ୍ତ୍ରୀଙ୍କ ବାସଭବନ ଘେରାଉ

ନିଶ୍ଚିତକୋଇଲି: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳିକାର ମୃତ୍ୟୁ

କ୍ରାଇମ ବ୍ରାଞ୍ଚ୍‌ର ୨୫ ଜଣ ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

୧୫ଦିନ ପରେ ବରଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନାଁ ଆତ୍ମହତ୍ୟା ସନ୍ଦେହ କରୁଛି ପୁଲିସ୍