ବିଜେପିକୁ ସୁମିତ୍ରା ମହାଜନଙ୍କ ଚିଠି, ଏଥର ଲଢିବେନି ନିର୍ବାଚନ

ଭୋପାଳ,୫।୪: ଲୋକସଭା ଅଧ୍ୟକ୍ଷ ଓ ଇନ୍ଦୋରରୁ ସାଂସଦ ସୁମିତ୍ରା ମହାଜନ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି। ଏହାର ଘୋଷଣା ସେ ଦଳକୁ ଚିଠି ଲେଖି ଜଣାଇଛନ୍ତି। ଯଦିଓ ତାଙ୍କର ଏହି ପତ୍ରରେ କୌଣସି ପରାମର୍ଶ କିମ୍ବା ଅଭିଯୋଗ ସେ ଦେଖାଇ ନାହାଁନ୍ତି। ସେ ଲେଖିଛନ୍ତି, ’ଭାରତୀୟ ଜନତା ପାର୍ଟି ଏପର୍ଯ୍ୟନ୍ତ ଇନ୍ଦୋରରେ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ଏଭଳି ନିଷ୍ପତ୍ତି ନେଇପାରିନଥିବା ସ୍ଥିତି କାହିଁକି ହୋଇଛି? ବୋଧହୁଏ ଦଳ ନିଷ୍ପତ୍ତି ନେବା ପାଇଁ ସଙ୍କୋଚ କରୁଛି। ଯଦିଓ ଏ ସମ୍ପର୍କରେ ମୁଁ ଦଳର ବରିଷ୍ଠ ନେତାଙ୍କ ସହ ପୂର୍ବରୁ ଆଲୋଚନା କରିସାରିଛି। ଲାଗୁଛି ତାଙ୍କ ମନରେ ଏବେ ବି କିଛି ଅସମଞ୍ଜସ୍ ରହିଛି। ତେଣୁ ମୁଁ ଏହା ଘୋଷଣା କରୁଛି ଯେ ମୁଁ ଆଗାମୀ ଲୋକସଭା ନିର୍ବାଚନ ଲଢିବି ନାହିଁ। ଦଳ ନିଜର ନିଷ୍ପତ୍ତି ମୁକ୍ତ ମନରେ କରୁ, ନିସଙ୍କୋଚ ହୋଇ କରୁ।’
ଏହି ଏହି ଚିଠିରେ ଆହୁରି ଲେଖିଛନ୍ତି, ଇନ୍ଦୋରର ଲୋକ ଆଜି ପର୍ଯ୍ୟନ୍ତ ମୋତେ ଭଲ ପାଇବା ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ଏବଂ ସମସ୍ତ କର୍ମୀ ଯେଉଁଭଳି ଭାବରେ ସହଯୋଗ କରୁଛନ୍ତି ଓ ଯେଉଁ ଯେଉଁ ଲୋକ ମୋତେ ଆଜି ପର୍ଯ୍ୟନ୍ତ ସହଯୋଗ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ହୃଦୟରୁ ଆଭାର ବ୍ୟକ୍ତ କରୁଛି। ଅପେକ୍ଷା କରୁଛି ଦଳ ଖୁବ୍ ଶୀଘ୍ର ନିଜର ନିଷ୍ପତ୍ତି ନେଉ, ଆଗାମୀ ଦିନରେ ସମସ୍ତଙ୍କୁ କାମ କରିବାରେ ସୁବିଧା ହେବ ତଥା ଅସମଞ୍ଜସ ସ୍ଥିତି ଶେଷ ହେବ।’
ଉଲ୍ଲେଖନୀୟ ଯେ, ବିଜେପିର ନୀତି ରହିଛି ଯେ ୭୫ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ଟିକେଟ୍ ଦିଆଯିବ ନାହିଁ। ଯଦିଓ ଦଳ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ଭଳି ନେତାଙ୍କୁ ନିଜେ ନିଷ୍ପତ୍ତି ନେବା ପାଇଁ ଛାଡି ଦେଇଥିଲା। ,ହାପରେ ଦଳ ନିଷ୍ପତ୍ତି ନେଇଥିଲା ଗୁଜରାଟର ଗାନ୍ଧିନଗର ଆସନ, ଯେଉଁଠାରୁ ଆଡଭାନୀ ସାଂସଦ ଥିଲେ ଏବେ ସେଠାରେ ଅମିତ ଶାହାଙ୍କୁ ପ୍ରାର୍ଥୀ କରିବେ। ସେଭଳି ମୂରଲୀ ମନୋହର ଯୋଶୀଙ୍କ ଆସନ କାନପୁରରୁ ସତ୍ୟଦେବ ପଚୌରିଙ୍କୁ ଟିକେଟ୍ ଦିଆଯାଇଥିଲା।