କଟକ: ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଜିଆରପି ଥାନାରେ ଏତଲା କଲା ଚାଇଲ୍ଡ ଲାଇନ୍

source:odishasuntimes.com
କଟକ ୧୯/୨: ୧୫ ବର୍ଷୀୟା ନାବାଳିକାଙ୍କୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଜଣେ ନାବାଳିକାଙ୍କୁ ଶନିବାରଠୁ ଆଜି ପର୍ଯ୍ଯନ୍ତ ୫ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ନେଇ ଜିଆରପି ଥାନାରେ ଏତଲା କଲା ଚାଇଲ୍ଡ ଲାଇନ୍ । ନାବାଳିକା ଜଣକ ଶନିବାର ନିଜ ଗାଁରୁ ୩ ଜଣଙ୍କ ସହିତ କଟକର ଏକ ରାଲିକୁ ଆସିଥିଲେ । ଗାଁର ଉକ୍ତ ୩ ଜଣ ତାଙ୍କୁ ମଙ୍ଗଳାବାଗ ଅଞ୍ଚଳରେ ଏକ ଘରେ ଛାଡି କେଉଁଆଡେ ଚାଲିଯାଇଥିଲେ । ରାତିରେ ପାଖ ଘରେ ରହୁଥିବା ୫ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ।
ନାବାଳିକା ଜଣକ କହିଛନ୍ତି ଯେ ତାଙ୍କ ସହିତ ଆଉ ୩ ଜଣ ଆସିଥିଲେ । ସେ ଦଶମ ଶ୍ରେଣୀର ଛାତ୍ରୀ । ତାଙ୍କ ଘର ଅନୁଗୋଳ ଜିଲ୍ଲାର ବନ୍ତଳାରେ । ୨ ଜଣ ଯୁବକ ଏବଂ ତାଙ୍କର ଜଣେ ପଡୋଶୀ ଯୁବତୀ ତାଙ୍କ ସହିତ ଆସିଥିଲେ । ସେମାନେ ତାଙ୍କୁ ମଙ୍ଗଳାବାଗ ଅଞ୍ଚଳରେ ଏକ ଘରେ ରଖିଥିଲେ ଏବଂ ପରେ ସେଠାରୁ ଖସି କେଉଁଆଡେ ପଳାଇ ଯାଇଥିଲେ ।
ଏହା ପରେ ନାବାଳିକା ଜଣକ ଯେଉଁ ଘରେ ଥିଲେ ତା ପାଖ ଘରେ ଥିବା ୫ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏଥିରୁ ସେ ଅନୁମାନ କରୁଛନ୍ତି ଯେ ତାଙ୍କୁ ବିକ୍ରି କରିଦିଆଯାଇଛି ଏବଂ ସେ ସେହି ୩ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଯେଉଁମାନଙ୍କ ସହ ସେ କଟକ ଆସିଥିଲେ । ଶନିବାର ପରଠୁ ସେହି ୫ ଯୁବକ ଆଜି ସକାଳ ପର୍ଯ୍ଯନ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ । ଆଜି ସେ କୌଶଳ କ୍ରମେ ସେଠାରୁ ଖସି ଆସି ଜିଆରପି ଷ୍ଟେସନରେ ପହଞ୍ଚିଥିଲେ । ଜିଆରପି ଥାନା ପ୍ରଥମେ ଚାଇଲ୍ଡ ଲାଇନକୁ ଖବର ଦେଇଥିଲା । ଚାଇଲ୍ଡ ଲାଇନ୍ ଆସିବା ପରେ ସବୁ ଖବର ଜଣା ପଡିଥିଲା । ଚାଇଲ୍ଡ ଲାଇନ୍ ପକ୍ଷରୁ ଏକ ଅଭିଯୋଗ ମଧ୍ଯ ଜିଆରପି ଥାନାରେ ଦିଆଯାଇଛି । ସେଠାରୁ ନାବାଳିକାଙ୍କୁ କଟକ ବଡ ମେଡିକାଲ ନିଆଯାଇଛି ଏବଂ ତାଙ୍କର ଚିକିତ୍ସା ଚାଲିଛି । ତେବେ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି ଜିଆରପି ଥାନା ପୋଲିସ ।