ଚଳନ୍ତା ଗାଡ଼ିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଗାଁ ମୁଣ୍ଡରେ ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା ୧୫/୧: ଜଣେ ନାବାଳିକା ଛାତ୍ରୀଙ୍କୁ ରାସ୍ତାରୁ ଉଠାଇନେଇ ଚଳନ୍ତା ଗାଡ଼ି ଭିତରେ ଗଣବଳାତ୍କାର କରାଯାଇଛି । ଏଭଳି ଲୋମହର୍ଷକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ । ନାବାଳିକା ଜଣକ ନିଜ ମା’ଙ୍କୁ ନଈଘାଟ ପାଖକୁ ଆଣିବା ପାଇଁ ଯାଉଥିବା ବେଳେ ଦଳେ ଦୁର୍ବୃତ୍ତ ଏକ ବୋଲେରୋରେ ତାଙ୍କୁ ରାସ୍ତାରୁ ଉଠାଇନେବା ସହ ଚଳନ୍ତା ଗାଡ଼ି ଭିତରେ ଗଣଦୁଷ୍କର୍ମ କରିଥିଲେ । ପରେ ଗୁରୁତର ଅବସ୍ଥାରେ ଗାଁ ମୁଣ୍ଡରେ ଫିଙ୍ଗିଦେଇ ପଳାଇଥିଲେ । ଏ ନେଇ ପୀଡ଼ିତାଙ୍କ ପରିବାର ସୋମବାର ଚଉଦକୁଲାଟ ଫାଣ୍ଡିରେ ଏତଲା ଦେଇଥିଲେ ବି ପୁଲିସ ଅଭିଯୋଗକୁ ଚାପି ଦେଇ ଚୁପ୍‌ଚାପ୍‌ ବସିଯାଇଥିଲା । ତେବେ ପୀଡ଼ିତା ଛାତ୍ରୀଙ୍କ ବାପା ମଙ୍ଗଳବାର ଏ ସଂପର୍କରେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପୁଲିସ ତତ୍ପରତା ପ୍ରକାଶ କରି ମାମଲା ରୁଜୁ କରିଛି । ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରିବା ସହ ଦୁଇ ଦିନ ଡେରିରେ ତନାଘନା ଆରମ୍ଭ କରିଛି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ପୁଲିସ ଖାମ୍‌ଖିଆଲ୍‌ ଢଙ୍ଗରେ ନେବା ଯୋଗୁଁ ପୁଲିସର କାର୍ଯ୍ୟକଳାପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ତଥ୍ୟ ଅନୁସାରେ, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ରହିଆସୁଛନ୍ତି ପୀଡ଼ିତାଙ୍କ ପରିବାର । କିଛି ଦିନ ତଳେ ପୀଡ଼ିତା ଛାତ୍ରୀଙ୍କ ମା’ କାଣୀ ନଈ ଆରପାଖ ଆଳି ଥାନା ଅଞ୍ଚଳରେ ଥିବା ତାଙ୍କ ବାପଘରକୁ କୌଣସି କାମରେ ଯାଇଥିଲେ । ସେ ରବିବାର ଦିନ ବାପଘରୁ ଫେରିବାର ଥିଲା । ମା’ ଆସୁଥିବା ଜାଣି ଛାତ୍ରୀ ଜଣକ ଉକ୍ତ ଦିନ ଅପରାହ୍ଣରେ ଯାଇଥିଲେ ନଈକୂଳକୁ । ଡଙ୍ଗା ପାର୍‌ ହୋଇ ମା’ ଏପଟ ଘାଟକୁ ଫେରିବା ପରେ ସେମାନେ ସାଙ୍ଗ ହୋଇ ଘରକୁ ଆସିଥାନ୍ତେ । ତେଣୁ ସେ ଯାଉଥିଲେ ମା’ଙ୍କୁ ଘାଟପାଖରୁ ଆଣିବାକୁ । ତେବେ ଘାଟକୁ ଯିବା ବାଟରେ ରାସ୍ତାକଡ଼ ଏକ ଇଟାଭାଟି ପାଖରେ କିଛି ଲୋକ ଭୋଜିଭାତ କରୁଥିଲେ ।

ଉକ୍ତ ରାସ୍ତା ଦେଇ ସେ ଯିବା ବେଳେ ସେମାନେ ଛାତ୍ରୀଙ୍କୁ ପାଖକୁ ଡାକିଥିଲେ । କୌଣସି କାମ ଥିବା କଥା ଭାବି ସେ ଯିବାରୁ ସେମାନେ ତାଙ୍କୁ କିଛି ମୃଦୁ ପାନୀୟ ପିଇବାକୁ ଦେଇଥିଲେ । ସେ ପିଇବାକୁ ରାଜି ହୋଇନଥିଲେ ବି ବାଧ୍ୟବାଧ୍ୟକତା କରି ପିଆଇ ଦେଇଥିଲେ । ଉକ୍ତ ପାନୀୟ ପିଇବାର କିଛି ସମୟ ପରେ ଛାତ୍ରୀ ଜଣକ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଆଖପାଖରେ କେହି ଲୋକ ନଥିବା ଦେଖି ଦୁର୍ବୃତ୍ତମାନେ ଏକ ବୋଲେରୋ ଗାଡ଼ି ଭିତରକୁ ତାଙ୍କୁ ଟେକିନେଇ ବଳାତ୍କାର କରିଥିଲେ । ଗାଡ଼ିରେ ଗ୍ରାମର ଶିଶିର ନାୟକଙ୍କ ସହ ମୋଟ ୪ରୁ ୫ ଜଣ ଅଭିଯୁକ୍ତ ଥିଲେ, ସେମାନେ ତାଙ୍କୁ ଅଚେତ ଅବସ୍ଥାରେ ବଳାତ୍କାର କରିବା ପରେ ଗାଡ଼ିରେ ଆଳି, ଗୋବିନ୍ଦପୁର ଆଦି ବିଭିନ୍ନ ସ୍ଥାନକୁ ନେଇ ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଛାତ୍ରୀ ଜଣଙ୍କ ନିଜ ବୟାନ ରେକର୍ଡ ବେଳେ ଦର୍ଶାଇଛନ୍ତି । ଅଭିଯୁକ୍ତମାନେ ସମସ୍ତେ ମଦ୍ୟପାନ କରିଥିବା ସେ କହିଛନ୍ତି ।

ଏମିତିକି ସେ ଅଚେତ ଥିବା ବେଳେ ଆଉ କିଛି ସ୍ଥାନକୁ ତାଙ୍କୁ ନିଆଯାଇଥିଲେ ବି ସେ ଜାଗା କହିପାରୁ ନାହାନ୍ତି । ସାମାନ୍ୟ ଚେତା ଫେରିବା ପରେ ସେ ସବୁକଥା ଜାଣିପାରିଥିବା ନିଜ ବୟାନରେ ଦର୍ଶାଇଛନ୍ତି । ସୋମବାର ସକାଳେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଗାଁ ମୁଣ୍ଡରେ ଅର୍ଦ୍ଧଚେତନ ଅବସ୍ଥାରେ ଫିଙ୍ଗି ଦେଇ ପଳାଇବା ପରେ ସେ ଘରକୁ ଫେରି ସବୁ କଥା ଜଣାଇଥିଲେ । ଏ ସଂକ୍ରାନ୍ତରେ ଗତକାଲି ପୀଡ଼ିତାଙ୍କ ପରିବାର ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ ବି ପୁଲିସ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲା । ଆଜି ସକାଳେ ପୀଡି଼ତାଙ୍କ ପରିବାର ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ରାକେଶ କୁମାର ତ୍ରିପାଠୀ କହିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଡାକ୍ତରୀମାଇନା କରାଯିବା ସହ ବୟାନ ରେକର୍ଡ କରାଯାଇଥିବା ଆଇଆଇସି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଏଣେ ମାମଲାକୁ ରଫାଦଫା କରିବାକୁ ପୀଡ଼ିତାଙ୍କ ପରିବାରକୁ ଅର୍ଥ ପ୍ରଲୋଭନ ଦିଆଯିବା ସହ ବିଭିନ୍ନ ଦିଗରୁ ଚାପ ସୃଷ୍ଟି କରିବାକୁ ଅଭିଯୁକ୍ତମାନେ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଗ୍ରାମର ଶିଶିରଙ୍କ ସମେତ ପାଖ ଗ୍ରାମ ସିଂହପୁରର ୨ ଜଣ, ଆଳି ଥାନା ଗୋବିନ୍ଦପୁରର ଜଣେ ଯୁବକ ରହିଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଓ ଗ୍ରାମର କେତେଜଣଙ୍କୁ ପଚରାଉଚରା ଚଳାଇଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ

ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲା: ୧୩୦ ପୃଷ୍ଠା ସମ୍ବଳିତ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ

ପନିକିରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ