ରାଜଧାନୀରେ ବାଲ୍ୟ ବିବାହ, ହାତଗଣ୍ଠି ପୂର୍ବରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର,୨୬ ।୪(ବ୍ୟୁରୋ): ଧୁମ୍‌ଧାମରେ ଭୋଜିଭାତ ଚାଲିଥିଲା । ସାହି ପଡ଼ୋଶୀ ଓ ବନ୍ଧୁବାନ୍ଧବ ମସ୍‌ଗୁଲ ଥିଲେ । ଆଉ ମାତ୍ର କିଛି ସମୟ ପରେ ବରକନ୍ୟାଙ୍କ ବାହାଘର ଅନୁଷ୍ଠିତ ହୋଇଥାଆନ୍ତା । କିନ୍ତୁ ହଠାତ୍‌ ଏଥିରେ ପୂର୍ଣ୍ଣଛେଦ ପଡ଼ିଲା । ବାଲ୍ୟ ବିବାହ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ, ସିଡ଼ିପିଓ, ଅଙ୍ଗନବାଡ଼ି ସୁପରଭାଇଜର ଓ ଖଣ୍ଡଗିରି ଥାନା ପୁଲିସ ଭରତପୁରରେ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କଲେ । ତେବେ ଏହି ଚଢ଼ଉ ସମୟରେ ଉତ୍ତ୍ୟକ୍ତ ଲୋକେ ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ଏକ ଘରେ ପୂରାଇ ତାଲା ପକାଇ ଦେଇଥିଲେ । ପୁଲିସ ଲୋକଙ୍କୁ ବୁଝାସୁଝା କରିବା ସହ ତାଲା ଭାଙ୍ଗି ସୁପରଭାଇଜରଙ୍କୁ ଉଦ୍ଧାର କରିଛି । ଉଦ୍ଧାର ନାବାଳିକାକୁ ଚାଇଲ୍ଡ ଲାଇନ୍‌ରେ ରଖାଯାଇଛି । ଏହି ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ଡ. ବେଣୁଧର ସେନାପତିଙ୍କ ସୂଚନା ଅନୁଯାୟୀ, କନ୍ଧମାଳର ଜଣେ ୨୯ ବର୍ଷୀୟ ଯୁବକଙ୍କର ଭରତପୁର ଅଞ୍ଚଳରେ ରହୁଥିବା ଜଣେ ୧୭ ବର୍ଷର ନାବାଳିକା ସହ ଆଜି ସନ୍ଧ୍ୟାରେ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା । ନାବାଳିକାର ଅନିଛା ସତ୍ତେ୍ୱ ପରିବାର ଲୋକେ ଜୋର୍‌ ଜବରଦସ୍ତ ତାଙ୍କ ବିବାହ କରୁଥିଲେ । ଭରତପୁର କମ୍ୟୁନିଟି ହଲ୍‌ରେ ଧୁମ୍‌ଧାମରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା । ବରପକ୍ଷ ବରଯାତ୍ରୀଙ୍କ ସହ ନାଚଗୀତ ଓ ରୋଷଣି କରି ବିବାହ ମଣ୍ଡପରେ ପହଞ୍ଚିଥିଲେ । ସମସ୍ତେ ଭୋଜିଭାତ ଖାଇ ସାରିଥିଲେ । ଆଉ ମାତ୍ର କିଛି ସମୟ ପରେ ହାତଗଣ୍ଠି ପଡ଼ିଥାନ୍ତା ।

ବାଲ୍ୟ ବିବାହ ହେଉଥିବା ଖବରପାଇ ଚାଇଲ୍ଡ ଲାଇନ୍‌ର ହରପ୍ରିୟା ପତି, ସିଡିିପିଓ ସସ୍ମିତା ହୋତା ଖଣ୍ଡଗିରି ଥାନାରେ ପହଞ୍ଚି ପୁଲିସର ସହାୟତା ଲୋଡ଼ିଥିଲେ । ଖଣ୍ଡଗିରି ଥାନା ପୁଲିସ ସହ ଟିମ୍‌ ସ୍ଥାନୀୟ ଅଙ୍ଗନବାଡ଼ି ସୁପରଭାଇଜର ଖୁଲଣା ସେଠୀଙ୍କୁ ନେଇ ଭରତପୁର କମ୍ୟୁନିଟି ସେଣ୍ଟରରେ ଚଢ଼ଉ କରିଥିଲେ । ସେଠାରୁ ସଜବାଜ ହୋଇ ବସିଥିବା ନାବାଳିକାକୁ ଉଦ୍ଧାର କରା ଯାଇଥିଲା । ତେବେ ଏହାକୁ ନେଇ କନ୍ୟା ପକ୍ଷ ଓ ସେମାନଙ୍କ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ଅଙ୍ଗନବାଡ଼ି ସୁପରଭାଇଜର ଖୁଲଣା ସେଠୀଙ୍କୁ ଏକ ଘରେ ପୂରାଇ ତାଲା ପକାଇ ଦେଇଥିଲେ । ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତାଲା ଭାଙ୍ଗି ଖୁଲଣାଙ୍କୁ ଉଦ୍ଧାର କରିଥିଲା । ପରେ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ପୁଲିସ ଉପସ୍ଥିତିରେ ନାବାଳିକାକୁ ଉଦ୍ଧାର କରି ନେଇଥିଲେ । ଚାଇଲ୍ଡ ଲାଇନ୍‌ ପକ୍ଷରୁ ଏନେଇ ସିଡବ୍ଲ୍ୟୁସିଙ୍କୁ ଅବଗତ କରାଯାଇଛି । ଉଦ୍ଧାର ନାବାଳିକାକୁ ଆଜି ରାତିରେ ଚାଇଲ୍ଡ ଲାଇନ୍‌ରେ ରଖା ଯାଇଛି । ଆସନ୍ତାକାଲି ତାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯିବ । ସେପଟେ ପୁଲିସ ବିବାହ କରିବାକୁ ଯାଉଥିବା ଯୁବକ ଓ ନାବାଳିକାର ପରିବାର ଲୋକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଏହି ଘଟଣା ଆଜି ରାଜଧାନୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

   ସମ୍ବନ୍ଧିତ ଖବର


ପୁଣି ୧୭ ଜୀବନ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୭ଶହ ଟପିଲା

୨୪ଘଣ୍ଟା ଆଉ ୬୪୪ କରୋନା ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି