ମାଟ୍ରିକ୍‌ ଆଡ୍‌ମିଟ୍‌ କାର୍ଡରେ ତ୍ରୁଟି: ବୋର୍ଡ କହିଲା, ପରୀକ୍ଷା ଦେବାରେ ଅସୁବିଧା ହେବନି

କଟକ,୧୩ା୨(ବ୍ୟୁରୋ): ଆସନ୍ତା ୧୯ ତାରିଖରୁ ହେବାକୁଥିବା ମାଟ୍ରିକ୍‌ ପରୀକ୍ଷା ପାଇଁ ବୋର୍ଡ (ମାଧ୍ୟମିକ ଶିକ୍ଷା ପରିଷଦ) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଆଡ୍‌ମିଟ୍‌ କାର୍ଡରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିବା ଅଭିଯୋଗ ମିଳିଛି । କାହା କାର୍ଡରେ ଅଭିଭାବକଙ୍କ ନାଁ ଭୁଲ୍‌ ତ’ ଆଉ କାହା ପ୍ରବେଶପତ୍ରରେ ଫଟୋ ନାହିଁ । ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍‌ କାର୍ଡରେ ଏଭଳି ତ୍ରୁଟି ରହିଥିବା ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ମିଳିଛି । ପରୀକ୍ଷାକୁ ଆଉ ମାତ୍ର ଚାରି ଦିନ ଥିବା ବେଳେ ଏଭଳି ତ୍ରୁଟିକୁ ନେଇ ରାଜ୍ୟ ତମାମ୍‌ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି । ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଉଦ୍‌ବେଗ ଓ ଅସନ୍ତୋଷକୁ ବୁଝିବା ପରେ ବୋର୍ଡ ପକ୍ଷରୁ ଭୁଲ୍‌ ସ୍ୱୀକାର କରାଯିବା ସହ ଏଭଳି ତ୍ରୁଟି ପାଇଁ ପରୀକ୍ଷା ଦେବାରେ ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଏବର୍ଷ ମୋଟ୍‌ ୭ ଲକ୍ଷ ୫୮ ହଜାର ୫୧୮ ଜଣ ପିଲା ପରୀକ୍ଷା ଦେଉଛନ୍ତି । ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ପ୍ରଦାନ ସ୍ୱରୂପ ବୋର୍ଡ ପକ୍ଷରୁ ଆଡ୍‌ମିଟ୍‌ କାର୍ଡ ପ୍ରଦାନ କରାଯାଇଛି । ଗତ ୬ ତାରିଖରୁ ପରୀକ୍ଷାର୍ଥୀମାନଙ୍କୁ ସ୍କୁଲ୍‌ ଜରିଆରେ କାର୍ଡ ଦିଆଯାଉଛି । କାର୍ଡ ପାଇବା ପରେ କେତେକ ଅଞ୍ଚଳରେ ଛାତ୍ରଛାତ୍ରୀମାନେ କାର୍ଡରେ ଏକାଧିକ ଗୁରୁତର ଭୁଲ ଥିବା ଦେଖିବାକୁ ପାଇଛନ୍ତି । କିଛି କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ଠିକ୍‌ ଥିବା ବେଳେ ସେମାନଙ୍କ ବାପା-ମାଆଙ୍କ ନାମ ଭୁଲ୍‌ ରହିଛି । ସେହିପରି କିଛି କାର୍ଡରେ ଛାତ୍ରଙ୍କ ନାମ ଓ ବାପା-ମାଆଙ୍କ ନାମ ଠିକ୍‌ ଥିବା ବେଳେ ଅନ୍ୟ କାହାର ଫଟୋ ଲାଗିଛି । କିଛି କାର୍ଡରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଦସ୍ତଖତ ମଧ୍ୟ ପ୍ରିଣ୍ଟ ହୋଇଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ହଜାର ହଜାର କାର୍ଡ଼ରେ ବୋର୍ଡ଼ର ପରୀକ୍ଷା ନିୟନ୍ତ୍ରକ (ଏକ୍‌ଜାମିନେସନ୍‌ କଂଟ୍ରୋଲର୍‌)ଙ୍କ ଦସ୍ତଖତ ବିଲ୍‌କୁଲ୍‌ ନାହିଁ । ଏସବୁ ବିଷୟ ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀମାନେ ମାନସିକ ଚାପରେ ପଡ଼ିଛନ୍ତି । କାଳେ ପରୀକ୍ଷା ଦେବାରେ କିଛି ଅସୁବିଧା ହେବ ସେଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି । ଏ ପ୍ରସଂଗକୁ ନେଇ ରାଜ୍ୟ ତମାମ୍‌ ପ୍ରତିକ୍ରିୟା ପ୍ରକାଶ ପରେ ପରୀକ୍ଷା ପରିଚାଳନାକାରୀ ବୋର୍ଡ ପକ୍ଷରୁ ଆଜି ଏନେଇ ସଫେଇ ଦିଆଯାଇଛି କି’ ଚିନ୍ତା କରିବାର କିଛି କାରଣ ନାହିଁ । ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ସ୍କୁଲ୍‌ ପକ୍ଷରୁ ଯେଉଁ ତଥ୍ୟ, ଯେଭଳି ଢଙ୍ଗରେ ପ୍ରଦାନ କରାଯାଇଥିଲା ସେହି ଅନୁସାରେ କାର୍ଡ ପ୍ରସ୍ତୁତ ହୋଇଛି । ଯଦି କାର୍ଡରେ ତ୍ରୁଟି ଜଣାପଡ଼ୁଛି ତାହେଲେ ବୋର୍ଡ ପକ୍ଷରୁ ତାହାକୁ ଅନ୍‌ଲାଇନ୍‌ରେ ସଂଶୋଧନ କରାଯାଇ ପାରିବ । ମାତ୍ର ଏବେ ସମୟ ନଥିବାରୁ ପରୀକ୍ଷା ପରେ ତ୍ରୁଟି ସଂଶୋଧନ କରାଯାଇ ତଥ୍ୟ ଓ ଫଟୋ ଠିକ୍‌ କରି ଦିଆଯିବ । ବର୍ତ୍ତମାନର ଏଭଳି ତ୍ରୁଟି କିନ୍ତୁ ପରୀକ୍ଷା ଦେବାରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଅଡ଼ୁଆ ସୃଷ୍ଟି କରିବ ନାହିଁ । ରୋଲ୍‌ ନମ୍ବର ଅନୁସାରେ, ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବେ । ଏଥିପାଇଁ ଛାତ୍ରଛାତ୍ରୀମାନେ ଭୟଭୀତ ନହେବାକୁ ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି । ବୋର୍ଡର ଏଭଳି ଖାମ୍‌ଖିଆଲ୍‌ କାରବାରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

   ସମ୍ବନ୍ଧିତ ଖବର


ଡି’ବ୍ରଦର୍ସର ପ୍ରମୁଖ ସହଯୋଗୀ ଭାରତ ସ୍ୱାଇଁକୁ ତଡ଼ିପାର୍‌ କଲା ପୁଲିସ, ୩ ମାସ ଯାଏଁ କଟକ କମିସନ୍‌ରେଟ୍‌ ଅଞ୍ଚଳରେ ପଶିପାରିବନି

IIFL ଡକାୟତି ଘଟଣା: ସିକ୍ୟୁରିଟି ଗାର୍ଡ ପାଖରେ ଦୁଇ ଦାମୀ କାର ଜବତ, ପୁଣି ରିମାଣ୍ଡ୍‌ରେ ଲାଲା ଓ ତାର ଦୁଇ ସହଯୋଗୀ

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଶ୍ରୀମନ୍ଦିର ନାମକ ବସ୍‌ରେ ଲାଗିଲା ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ