ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଭୂବନେଶ୍ବର ୨୯।୯ : ବିଧାନସଭାର ଆଉ ୬ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ ବିଧାୟକଙ୍କ ମଧ୍ୟରେ ସରୋଜ ମେହେର, ଭୂଦାନ ମୁର୍ମୁ, ଜୟନ୍ତ ଷଡ଼ଙ୍ଗୀ, ଅଙ୍ଗଦ କହଁର, ବିକ୍ରମ ପଣ୍ଡା, ମହିଧର ରଣା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ୨୫ ବିଧାୟକଙ୍କର କରୋନା ଟେଷ୍ଟ କରାଯାଇଥିଲା। ମୋଟ ୨୦ ମନ୍ତ୍ରୀ ଓ ବିଧାୟକଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ଏମାନେ ମୌସୁମୀ ଅଧିବେଶନରେ ଭାଗ ନେଇପାରିବେ ନାହିଁ। ଯେଉଁମାନଙ୍କ ହାତରେ ନେଗେଟିଭ୍ ରିପୋର୍ଟ ରହିଛି ସେମାନେ ବିଧାନସଭା ଭିତରକୁ ପ୍ରବେଶ କରିପାରିବେ। ଅଧିବେଶନ ପୂର୍ବରୁ କରୋନା ପରୀକ୍ଷା କରାଇବା ଲାଗି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ୬ଜଣ ବିଧାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ସେହିପରି ଗତକାଲି ହୋଇଥିବା ପ୍ରାୟ ୨ ଶହ କୋଭିଡ୍‌ ନମୁନା ପରୀକ୍ଷାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାସହ ୩୬ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କୁ ମିଶାଇ ସମୁଦାୟ ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଉପ-ବାଚସ୍ପତି ରଜନୀକାନ୍ତ ସିଂ ପଜିଟିଭ୍ ହୋଇଛନ୍ତି। ତାଙ୍କୁ ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କଠାରେ କରୋନାର ସ୍ବଳ୍ପ ଲକ୍ଷଣ ଥିବା ସେ ନିଜେ ଟ୍ବିଟ୍‌ କରିଛନ୍ତି। ସେହିପରି ମନ୍ତ୍ରୀ ସମୀର ରଂଜନ ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ରି ପୋର୍ଟ ପଜିଟିଭ୍ ରହିଛି। ଏହାସହ ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରି ନାଏକ, ପ୍ରଶାନ୍ତ ଜଗଦ୍ଦେବ, ଅଶୋକ ବଳ, ଭାଗିରଥୀ ସେଠୀ, ବିଷ୍ଣୁବ୍ରତ ରାଉତରାୟ ଓ ସୁକାନ୍ତ ନାୟକ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ସୁକାନ୍ତ ନାୟକ, ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ ଓ ସମୀର ରଂଜନ ଦାଶ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। 

କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ ସମେତ ମୋଟ୍ ୧୬ଟି ବିଲ୍‌ ଆଗତ କରିବେ ବୋଲି ଜଣାପଡିଛି । ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ୍‌ ମହାମାରୀ ସମୟରେ ଏହି ଅଧିବେଶନ ବସୁଥିବାରୁ ସାମାଜିକ ଦୂରତା ଓ ସଂକ୍ରମଣ ରୋକିବାକୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ଗୃହରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ନିବାସରୁ ଯୋଡି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ସ୍ତରରେ କିଛି ବିଧାୟକ ମଧ୍ୟ ଯୋଡି ହେବେ । ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ସମେତ କିଛି ବିଧାୟକ ଜିଲ୍ଲା ସ୍ତରରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବେ । ସେହିଭଳି ସଚିବାଳୟ କନଫରେନ୍ସିଂ ହଲ୍‌ରୁ ମଧ୍ୟ ବିଧାୟକ ଉଷା ଦେବୀ, ବଦ୍ରି ପାତ୍ର, ସାବିତ୍ରୀ ଅଗ୍ରୱାଲ ଅଧିବେଶନ ସହ ଯୋଡି ହେବେ ।

   ସମ୍ବନ୍ଧିତ ଖବର


ପୂଜାରେ ପାର୍ବଣର ମାହୋଲ ନଥିଲା, ହେଲେ ୩ ଦିନରେ ଦୁର୍ଘଟଣାରେ ଗଲା ୧୬ ଜୀବନ…

ଓରଟେଲ୍‌, ଓଟିଭିରେ ବିପୁଳ କଳାଧନ; ସିବିଆଇ, ଆୟକର, ଇଡି ସ୍କାନରରେ ବୈଜୟନ୍ତ-ଜାଗି…

ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା