ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ

ଭୁବନେଶ୍ବର ୨୦|୪:ପୂର୍ବତନ ବିଧାୟକ ତଥା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।
ବେଦ ପ୍ରକାଶ ଅଗ୍ରଓ୍ବାଲ ୧୬ ଜାନୁଆରୀ ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ପାଟକୁରାରୁ ଦୁଇ ଥର ସେ ବିଧାୟକ ଥିଲେ । ପୂର୍ବରୁ କେନ୍ଦ୍ରାପଡାରୁ ମଧ୍ୟ ସେ ବିଧାୟକ ଥିଲେ । ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ ବେଦପ୍ରକାଶ ଅଗ୍ରଓ୍ବାଲ । ସେ ମଧ୍ୟ ବିଜେଡିର ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଥିଲେ । ସେ ବିଜେଡିର ଇସ୍ତାହାର କମିଟି ଅଧ୍ୟକ୍ଷ ମଧ୍ୟ ଥିଲେ । ଏବେ ତାଙ୍କ ଆକସ୍ମିକ ବିୟୋଗରେ ରାଜନୈତିକ ପ୍ରଭାବ ରହିବ ।
ଚଳିତ ନିର୍ବାଚନରେ ମଧ୍ୟ ସେ ପାଟକୁରାରୁ ଲଢିଥାନ୍ତେ । ସ୍ବାସ୍ଥ୍ୟଗତ କାରଣରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ପ୍ରକାଶ କରିଥିଲେ । ମାତ୍ର ବିଜେଡି ଦଳ ତରଫରୁ ଯେତେବେଳେ ତାଙ୍କ ନାଁ ଘୋଷଣା କରାଯାଇଥିଲା ସେତେବେଳେ ସେ ଟିକେଟ୍ ନେବାକୁ ଆସିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସ୍ତ୍ରୀ ଏବଂ ପୁଅ ନବୀନ ନିବାସ ଯାଇଥିଲେ ଟିକେଟ୍ ପାଇଁ । ମାତ୍ର ଏସବୁ ଭିତରେ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କୁ ଟିକେଟ୍ ମିଳିଥିଲା । ଅସୁସ୍ଥ ଥିଲେ ମଧ୍ୟ ସେ ବିଜୟୀ ହେବେ ବୋଲି ଆଶା ରଖିଥିଲେ ।