ମୋ ସରକାର’ରେ ପୁଲିସ୍‌ ରିପୋର୍ଟ କାର୍ଡ: ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ‘ରେଡ୍‌ ମାର୍କ

ଜଗତସିଂହପୁର ୧୦/୯ : ପ୍ରଥମ କରି ‘ମୋ ସରକାର’ କାର୍ଯ୍ୟକ୍ରମର ରିପୋର୍ଟ କାର୍ଡ଼ ସାମ୍ନାକୁ ଆସିଛି । ଏକାଧିକ ପ୍ରସଙ୍ଗକୁ ନେଇ ଏତଲାକାରୀଙ୍କଠାରୁ ସଂଗୃହୀତ ବିସ୍ତୃତ ତଥ୍ୟ, ପ୍ରତିକ୍ରିୟାକୁ ତର୍ଜମା କରାଯାଇ ରାଜ୍ୟର କିଛି ଜିଲ୍ଲା ପୁଲିସକୁ ରେଡ୍‌ (ନାଲି) ମାର୍କ ପ୍ରଦାନ କରାଯାଇଛି । ସେହିପରି ଆଉ କିଛି ଜିଲ୍ଲା ପୁଲିସ ୟେଲୋ (ହଳଦିଆ) ଓ ଗ୍ରୀନ୍‌(ସବୁଜ) ଶ୍ରେଣୀରେ ସ୍ଥାନ ପାଇଛନ୍ତି । ରିପୋର୍ଟ କାର୍ଡ଼ରେ ସବୁଠାରୁ ଖରାପ ସ୍ଥିତିରେ ରହିଛି ସୁନ୍ଦରଗଡ଼ ଜିଲ୍ଲା ପୁଲିସ । ଏକମାତ୍ର ସମୟାନୁବର୍ତ୍ତିତା ଉପରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ୩ ପ୍ରତିଶତ ମାର୍କ ପାଇ ଗ୍ରୀନ୍‌ ଶ୍ରେଣୀଭୁକ୍ତ ହୋଇଥିବା ବେଳେ, ଅନ୍ୟ ସବୁ ପରୀକ୍ଷାରେ ଅଭିଯୋଗକାରୀଙ୍କ ନକାରାତ୍ମକ ଟିପ୍ପଣୀ ଆଧାରରେ କେବଳ ଫେଲ୍‌ ହୋଇ ନାହିଁ, ବରଂ ରେଡ଼୍‌ ମାର୍କ ପାଇ ‘ଖରାପ ପୁଲିସ’ ତାଲିକାରେ ରହିଛି ।

ଏତଲା ଗ୍ରହଣ କ୍ଷେତ୍ରରେ ରାଜ୍ୟର ସବୁ ଜିଲ୍ଲା ପୁଲିସ ସକାରାତ୍ମକ ପ୍ରଦର୍ଶନ କରି ଗ୍ରୀନ ଶ୍ରେଣୀଭୁକ୍ତ ରହିଛନ୍ତି । କିନ୍ତୁ ଏତଲା ଗ୍ରହଣ ପୂର୍ବକ ସମୟାନୁବର୍ତ୍ତିତା କ୍ଷେତ୍ରରେ କେଉଁଝର ଓ କଟକ କମିସନରେଟ୍‌ ପୁଲିସ ୟେଲୋ ବର୍ଗରେ ଅଟକି ଯାଇଥିବା ବେଳେ ଅନ୍ୟ ଜିଲ୍ଲା ପୁଲିସ ଗ୍ରୀନ୍‌ ସ୍ତରରେ ପହଞ୍ଚି ପାରିଛନ୍ତି । ଏହାକୁ ଛାଡ଼ି ଏତଲା ଗ୍ରହଣର ପରବର୍ତ୍ତୀ ପଦକ୍ଷେପ କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲା ପୁଲିସ ଦେହରେ ନାଲି ଛାଟ ବାଜିଥିବା ବେଳେ କେଉଁଝର, ଖୋର୍ଦ୍ଧା, କଳାହାଣ୍ଡି, କେନ୍ଦ୍ରାପଡ଼ା, କଟକ ଗ୍ରାମାଞ୍ଚଳ ପୁଲିସ ୟେଲୋ ବର୍ଗରେ ରହି ଯାଇଛନ୍ତି ।

ଏତଲା ଗ୍ରହଣ ସମୟରେ ରାଜ୍ୟ ପୁଲିସର ବ୍ୟବହାର ଉଚ୍ଚକୋଟୀର ରହିଥିବାରୁ ସମସ୍ତଙ୍କୁ ଗ୍ରୀନ୍‌ ସଙ୍କେତ ଦିଆଯାଇଛି । ତେବେ ଏତଲା ପ୍ରାପ୍ତିର ପ୍ରମାଣପତ୍ର ଦେବାରେ ଘୋର ଅବହେଳା କରି ସୁନ୍ଦରଗଡ଼ ଜିଲ୍ଲା ପୁଲିସ ନାଲି ବା ରେଡ଼୍‌ ସ୍ତରକୁ ଖସି ଆସିଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲା ପୁଲିିସଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଏତଦ୍‌ଭିନ୍ନ ଏତଲା ଦେବା ସମୟରେ ତଦନ୍ତକାରୀ ଅଧିକାରୀ ବା ଆଇଓଙ୍କ ଯୋଗାଯୋଗ ସଂର୍ପକିତ ସୂଚନା ଦେବାରେ କୁଣ୍ଠା ପ୍ରକାଶ କରାଯାଇଥିବା ଜନିତ ପ୍ରତିକ୍ରିୟାରୁ କେନ୍ଦୁଝର, ବଲାଙ୍ଗୀର, କୋରାପୁଟ ଓ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିିସକୁ ୟେଲୋ ମାର୍କରେ ରଖାଯାଇଛି ।

ଏହାଛଡ଼ା ଏତଲା ପରର ପଦକ୍ଷେପ ଗ୍ରହଣରେ ପଛୁଆ ରହି ନବରଙ୍ଗପୁର, ମୟୁରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଦେହରେ ନାଲି ମାର୍କ ବାଜିଛି । ସେହିପରି ଭଦ୍ରକ, ରାଉରକେଲା, ବାଲେଶ୍ୱର, କଟକ ଗ୍ରାମାଞ୍ଚଳ, କଳାହାଣ୍ଡି, କୋରାପୁଟ, କେଉଁଝର ଜିଲ୍ଲା ପୁଲିସକୁ ୟେଲୋ ବା ହଳଦିଆ ମାର୍କ ପ୍ରଦାନ କରାଯାଇଛି । ଅନ୍ୟପଟେ ଏତଲା ଦେବା ସମୟରେ ସୌଜନ୍ୟ ପ୍ରଦର୍ଶନ ବ୍ୟାପାରରେ ପୁଲିସର ରେକର୍ଡ଼ ସେତେ ଖରାପ ହୋଇନାହିଁ । ଏହାସହ ଏତଲା ଦେବା ସମୟରେ ପୁଲିସ ପକ୍ଷରୁ ଯଥେଷ୍ଟ ସ୍ୱଚ୍ଛତା ରକ୍ଷା କରାଯାଇଥିବା ସଂଗୃହୀତ ଫିଡ଼୍‌ବ୍ୟାକ୍‌ ଆଧାରରେ ରାଜ୍ୟର ସବୁ ଜିଲ୍ଲାକୁ ସବୁଜ ସଙ୍କେତ ମିଳିଥିବା ଜଣାପଡ଼ିଛି ।

ଅପରପକ୍ଷେ ଟାଇମ୍‌ଲିନେସ୍‌ (ସମୟାନୁବର୍ତ୍ତିତା) ଅର୍ଥାତ ଥାନାରେ ଏତଲାକାରୀଙ୍କୁ କେତେ ସମୟ ବସାଯାଇ ଅଭିଯୋଗପତ୍ର ଗ୍ରହଣ କରାଗଲା ତାହା ଉପରେ କଣ୍ଟ୍ରୋଲ ରୁମ୍‌ରୁ ଖୋଦ୍‌ ଅଭିଯୋଗକାରୀଙ୍କ ଠାରୁ ମତାମତ ବା ପ୍ରତିକ୍ରିୟା ସଂଗ୍ରହ ପୂର୍ବକ ବଲାଙ୍ଗୀର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସକୁ ରେଡ଼୍‌ ତାଲିକାଭୁକ୍ତ କରାଯାଇଛି । ସେହିପରି ବାଲେଶ୍ୱର, ଭୁବନେଶ୍ୱର କମିଶନରେଟ୍‌ ପୁଲିସକୁ ହଳଦିଆ ବା ୟେଲୋ ମାର୍କ ମିଳିଥିବା ବେଳେ ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର, କଟକ କମିଶନରେଟ୍‌, ଅନୁଗୁଳ, ବୌଦ ଭଳି ଜିଲ୍ଲାର ପୁଲିସକୁ ସଂପୂର୍ଣ୍ଣ ୫ ପ୍ରତିଶତ ମାର୍କ ଦିଆଯାଇ ସୁନା ପୁଅ ସହ ତୁଳନା କରାଯାଇଛି । ଅନ୍ୟପଟେ ଇଫେକ୍ଟିଭ୍‌ନେସ୍‌ ବା ଅଭିଯୋଗ ଗ୍ରହଣ ପରେ ପୁଲିସ ଏହା ଉପରେ କେତେ ଗୁରୁତ୍ୱ ଦେଇ କାର୍ଯ୍ୟ କରିଛି ସେ ସଂକ୍ରାନ୍ତରେ ଏତଲାକାରୀଙ୍କ ମତାମତକୁ କଣ୍ଟ୍ରୋଲ ରୁମ୍‌ ଜରିଆରେ ସଂଗ୍ରହ କରାଯାଇ ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସକୁ ରେଡ଼୍‌ ଶ୍ରେଣୀଭୁକ୍ତ କରାଯାଇଥିବା ବେଳେ ୟେଲୋ ବା ହଳଦିଆ ତାଲିକାରେ ରହିଛନ୍ତି ଢେଙ୍କାନାଳ, ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲା ପୁଲିସ ।

ଏହାଛଡ଼ା ଥାନାରେ ମିଳିଥିବା ବ୍ୟବହାର ଉପରେ ଅଭିଯୋଗକାରୀଙ୍କୁ ମତକୁ ସମ୍ମାନ ଦିଆଯାଇ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଦେହରେ ନାଲି ଗାର ବାଜିଥିବା ବେଳେ ସୁବର୍ଣ୍ଣପୁରକୁ ୟେଲୋ ଶ୍ରେଣୀଭୁକ୍ତରେ ରଖାଯାଇଛି । ସେହିପରି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଯଥୋଚିତ ସମ୍ମାନ ଦେଇ ବଲାଙ୍ଗୀର, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ମୟୁରଭଞ୍ଜ, ସମ୍ବଲପୁର, କଟକ କମିଶନରେଟ୍‌, ଯାଜପୁର, ଖୋର୍ଦ୍ଧା, ଭଦ୍ରକ, ଭୁବନେଶ୍ୱର କମିଶନରେଟ୍‌, ବୌଦ ଜିଲ୍ଲାର ସମସ୍ତ ଥାନା ପୁଲିସ ପୂରା ୫ ପ୍ରତିଶତ ମାର୍କ ପାଇ ସାଧାରଣରେ ପ୍ରିୟପାତ୍ର ହୋଇଛନ୍ତି ।

ଆକନ୍‌ଲେଜ୍‌ମେଣ୍ଟ ବା ଅଭିଯୋଗପତ୍ର ଗ୍ରହଣ କରିବାରେ ମଧ୍ୟ ଉଭୟ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ପୁଲିସ ରେଡ଼୍‌ ତାଲିକାରେ ରହିଥିବା ବେଳେ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ପୁଲିସ ୟେଲୋ ଶ୍ରେଣୀବର୍ଗରେ ନାମ ଲେଖାଇଛନ୍ତି । ଅନ୍ୟ ଜିଲ୍ଲାଗୁଡ଼ିକ ଗ୍ରୀନ୍‌ ବର୍ଗରେ ରହି ନିଜ ନିଜ ସମ୍ମାନ ରକ୍ଷା କରିବା ସହ ପୁଲିସ ବିଭାଗର ଟେକ ରଖିଛନ୍ତି । ଏତଦ୍‌ଭିନ୍ନ ଏତଲା ନେଇ ଆସୁଥିବା ଏତଲାକାରୀଙ୍କୁ ଥାନା ପକ୍ଷରୁ ଆଇଓ ବା ତଦନ୍ତକାରୀ ଅଫିସରଙ୍କ ଯୋଗାଯୋଗ ନମ୍ବର ଦିଆଯିବା ଉପରେ ଅଭିଯୋଗକାରୀଙ୍କ ପ୍ରତିକ୍ରିୟାକୁ ସଂଗ୍ରହ କରାଯାଇ ପସ୍ତୁତ ରିପୋର୍ଟ କାର୍ଡ଼ରେ ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାକୁ ରେଡ଼୍‌ ଏବଂ ଗଞ୍ଜାମ ଓ ବୌଦକୁ ୟଲୋ ମାର୍କ ପ୍ରଦାନ କରାଯାଇଛି । ଫଲୋଅପ୍‌ ବା ଅଭିଯୋଗ ମିଳିବାର ୧୫ ଦିନ ଭିତରେ ପୁଲିସ ଦ୍ୱାରା କି’ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଉପରେ ସଂପୃକ୍ତ ଏତଲାକାରୀମାନଙ୍କଠାରୁୁ ନିଆଯାଇଥିବା ଫିଡ଼୍‌ବ୍ୟାକ୍‌ ବା ପ୍ରତିକ୍ରିୟାକୁ ତଉଲା ଯାଇ ଢେଙ୍କାନାଳ, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାକୁ ରେଡ଼୍‌ ଶ୍ରେଣୀଭୁକ୍ତ କରାଯିବା ସହ ଏକ୍ଷେତ୍ରରେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ, ବାଲେଶ୍ୱର, ଅନୁଗୁଳ, ବଲାଙ୍ଗୀରକୁ ୟେଲୋ ମାର୍କ ପ୍ରଦାନ କରାଯାଇଛି ।

ଏହାସହ ସୌଜନ୍ୟ ବା କର୍ଟସି କ୍ଷେତ୍ରରେ ଅଭିଯୋଗକାରୀଙ୍କଠାରୁ ମତାମତ ସଂଗ୍ରହ କରାଯାଇ ଥାନା ଗୁଡ଼ିକୁ ମୂଲ୍ୟାୟନ କରାଯାଇଛି । ଏଥିରେ ମଧ୍ୟ ସୁନ୍ଦରଗଡ଼ ଫେଲ ମାରି ନାଲି ଗାର ପାଇଥିବା ବେଳେ ଖୋର୍ଦ୍ଧା ୟେଲୋ ସ୍ତରରେ ରହିଛି । ଅନ୍ୟପଟେ ପୁଲିସ ପାଇଁ ସବୁଠାରୁ ବଡ଼ ଆଶୀର୍ବାଦ ରହିଛି ଇଣ୍ଟିଗ୍ରିଟି ବା ସାଧୁତା, ସ୍ୱଚ୍ଛତା କ୍ଷେତ୍ରରେ । କାରଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ପୁଲିସ ସେଥିରେ ଖୁବ୍‌ ଭଲ ମାର୍କ ପାଇ ପ୍ରତ୍ୟକ୍ଷ ଭାବେ ଅଭିଯୋଗକାରୀଙ୍କ ଗୁଡ଼୍‌ବୁକ୍‌ରେ ରହିଛନ୍ତି । ଗତ ୫ ତାରିଖରୁ ୮ ତାରିଖ ଭିତରେ କଲ ସେଣ୍ଟରଗୁଡ଼ିକରୁ ଏତଲାକାରୀଙ୍କଠାରୁ ସଂଗ୍ରହ କରାଯାଇଥିବା ମତାମତ ଆଧାରରେ ଏଭଳି ମୂଲ୍ୟାୟନ କରାଯାଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ଅପରପକ୍ଷେ ଜଗତସିଂହପୁର ଜିଲ୍ଲା ପୁଲିସ ସବୁ କ୍ଷେତ୍ରରେ ଭଲ କାମ କରି ଗ୍ରୀନ୍‌ ବା ସବୁଜ ଶ୍ରେଣୀଭୁକ୍ତ ରହି ସୁନାମ ଅର୍ଜନ କରିଥିବାରୁ ଏସ୍‌ପି ପ୍ରକାଶ ରଙ୍ଗରାଜଙ୍କୁ ସମସ୍ତ ଶ୍ରେୟ ଯାଉଛି କହିଲେ କିଛି ଭୁଲ ହେବ ନାହିଁ । ଏପଟେ ସିଟିଜେନ୍‌ ସର୍ଭିସେସ୍‌ ଫିଡ଼୍‌ବ୍ୟାକ୍‌ ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସର ରେକର୍ଡ଼ ଖୁବ୍‌ ଭଲ ରହିଥିବାରୁ, ଏସବୁ ଥାନାଗୁଡ଼ିକୁ ଗ୍ରୀନ୍‌ ମାର୍କ ପ୍ରଦାନ କରାଯାଇଛି, ଯାହାକି ପୁଲିସ ମହଲରେ ଆଶ୍ୱସ୍ତି ଭରି ଦେଇଛି ।

ସୂଚନାଯୋଗ୍ୟ କି, ମୋ ସରକାର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବଚ୍ଛା ବଚ୍ଛା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଯାଇ ସାରିଛି । ଜିଲ୍ଲାର ବିଭିନ୍ନ ପୁଲିସ ମୁଖ୍ୟାଳୟରେ କଲ୍‌ ସେଣ୍ଟର୍‌ ଖୋଲାଯିବା ସହ ଏହାକୁ ଡିଜି, ରେଞ୍ଜ ଡିଆଇଜି/ଆଇଜିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହ ସଂଯୋଗ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଥାନାକୁ ଏତଲା ନେଇ ଯାଉଥିବା ଅଭିଯୋଗକାରୀଙ୍କ ପ୍ରତି ପୁଲିସ କି’ପ୍ରକାର ଆଚରଣ ପ୍ରଦର୍ଶନ କରୁଛି, ଅଭିଯୋଗ ଉପରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ଆଦି ଉପରେ ତର୍ଜମା କରାଯିବ । ଖାସ୍‌କରି ଅଭିଯୋଗକାରୀଙ୍କଠାରୁ କଲ ସେଣ୍ଟର ଜରିଆରେ ଫିଡ଼୍‌ବ୍ୟାକ୍‌ ବା ପ୍ରତିକ୍ରିୟା ଗ୍ରହଣ କରାଯାଇ ଥାନା ସହ ଜିଲ୍ଲା ପୁଲିସର ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରାଯିବାକୁ ଯୋଜନା କରାଯାଇଛି । ଅକ୍ଟୋବର ଗାନ୍ଧୀ ଜୟନ୍ତୀ ପରଠାରୁ ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାକୁ ଥିବା ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


କରୋନା କାଳରେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ : ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ